ମଉଜର ପର୍ବ “ରଜ “
ମଉଜର ପର୍ବ “ରଜ “
ମାଟିର ମହକ ଓ ମନର ଉତ୍ସବ…
- ‘ରଜ’ ଓଡ଼ିଆ ଜାତିର ଏକ ମୁଖ୍ୟ ଗଣପର୍ବ।
- ପ୍ରତି ଓଡ଼ିଆଙ୍କ ଘରେ ରଜ ପାଳନ ହେବା ଆମେ କାହିଁ ଆଦିକାଳରୁ ଦେଖି ଆସୁଛେ।
- ପ୍ରତିବର୍ଷ ଜୁନ୍ ମାସର ମଧ୍ୟ ଭାଗରେ ମୌସୁମୀର ସୂଚକ ରୂପେ ରଜ ଆସି ପହଞ୍ଚେ ଓଡ଼ିଶା ମାଟିରେ।
‘ରଜ’ ଓଡ଼ିଆ ଜାତିର ଏକ ମୁଖ୍ୟ ଗଣପର୍ବ। ପ୍ରତି ଓଡ଼ିଆଙ୍କ ଘରେ ରଜ ପାଳନ ହେବା ଆମେ କାହିଁ ଆଦିକାଳରୁ ଦେଖି ଆସୁଛେ। ପ୍ରତିବର୍ଷ ଜୁନ୍ ମାସର ମଧ୍ୟ ଭାଗରେ ମୌସୁମୀର ସୂଚକ ରୂପେ ରଜ ଆସି ପହଞ୍ଚେ ଓଡ଼ିଶା ମାଟିରେ। ମାସମାସ ଧରି ତାତିଥିବା ମାଟିରେ ଯେତେବେଳେ ମୌସୁମୀ ବର୍ଷାର ପାଣି ପଡ଼ିଯାଏ, ମହକ ବାହାରି ଆସିଥାଏ। ମନରେ ଏକ ଉତ୍ସବ ଜାତ ହୋଇଥାଏ। ତେବେ ମନରେ ପ୍ରଶ୍ନ ଆସେ ଯେ ଆମେ ରଜ ପାଳନ କରିବା ପଛର କାରଣ କ’ଣ ହୋଇପାରେ? କୁହାଯାଏ ଯେ, ରଜ ନାରୀତ୍ବ, ଉର୍ବରତା ଓ ଧରିତ୍ରୀ ମାତାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ। ବିଶ୍ବାସ ଅନୁଯାୟୀ ରଜ ସମୟରେ ମାତା ଧରିତ୍ରୀ ରଜସ୍ବଳା ହୁଅନ୍ତି। ସେଥିପାଇଁ ଏହି ସମୟରେ ଭୂମିକୁ ଚାଷ କରିବା କିମ୍ବା ଖୋଳାଖୋଳି କରିବା ବାରଣ ଥାଏ।
ରଜ ପର୍ବ ମିଥୁନ ସଂକ୍ରାନ୍ତି ଅବସରରେ ପାଳନ କରାଯାଏ। ଏହି ପର୍ବ ଚାରି ଦିନ ଧରି ଜାରି ରହିଥାଏ। ପ୍ରଥମ ଦିନକୁ ପହିଲି ରଜ, ତା’ପରେ ରଜ ସଂକ୍ରାନ୍ତି (ମିଥୁନ ସଂକ୍ରାନ୍ତି), ତୃତୀୟ ଦିନ ଭୂମି ଦହନ ଏବଂ ଅନ୍ତିମ ଦିନକୁ ବସୁମତି ସ୍ନାନ କୁହାଯାଏ। ରଜରେ ମାଟି ମା’ଙ୍କୁ ତିନି ଦିନ ବିଶ୍ରାମ ଦିଆଯାଏ, ଯେଉଁଥିପାଇଁ ଭୂମି ଖନନ ବାରଣ କରାଯାଏ।
ରଜର ପ୍ରଥମ ଦିନ ପୂର୍ବରୁ ଆସିଥାଏ ସଜବାଜ। ଏହି ଦିନରେ ଝିଅ ଏବଂ ମହିଳାମାନେ ସଜବାଜ ହେବା ଆରମ୍ଭ କରିଥାନ୍ତି। ହାତରେ ମେହେନ୍ଦି, ଗୋଡରେ ଅଳତା ଲଗାଇ, ନା ନା ରଙ୍ଗର ଚୁଡି ପିନ୍ଧିବା ସହ ରଙ୍ଗବେରଙ୍ଗର ଙ୍କୁଙ୍କୁମରେ ସଜେଇ ହୁଅନ୍ତି। ସମସ୍ତେ ଅପେକ୍ଷା କରିଥାନ୍ତି ପହିଲି ରଜକୁ। ଏହି ଦିନ ସମସ୍ତେ ନୂଆ ପୋଷାକ ପିନ୍ଧି ଦୋଳି ଖେଳନ୍ତି। ନାନା ପ୍ରକାରର ପିଠା ଓ ମିଠା ଖାଇଥାନ୍ତି। ରଜପର୍ବର ସବୁଠାରୁ ବଡ଼ ଆକର୍ଷଣ ପୋଡ଼ପିଠା। ଏହି ଦିନ ଗାଁଠୁ ସହର ଯାଏଁ ରଜ ଗୀତରେ ଝୁମି ଉଠେ। ତା ପରେ ଆସେ ରଜସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି। ଶେଷ ଦିନ ବସୁମତୀ ସ୍ନାନ ଦିନ ଧରଣୀ ମାତାଙ୍କୁ ସ୍ନାନ କରି ଶୁଦ୍ଧ ପୂତ କରାଯାଇଥାଏ।
ରଜ ପର୍ବରେ ଧରିତ୍ରୀ ମାତାଙ୍କ ସମ୍ମାନରେ ନାରୀମାନେ ବିଶେଷ କରି ଅବିବାହିତ ନାରୀମାନେ କୈାଣସି କାମ କରନ୍ତି ନାହିଁ। ରଜ ସମୟରେ ଓଡ଼ିଆ ଘରେ ଛେଳି ମାସଂର ଅଲଗା ଗୁରୁତ୍ୱ ଥାଏ। ରଜରେ ସାଧାରଣତଃ ଘରେ ମାଂସ ଝୋଳ ତିଆରି ହୁଏ। ପରିବାର ସମସ୍ତେ ଏକାସାଥିରେ ଖାଇ ଆନନ୍ଦ କରନ୍ତି ମଟନ ସହିତ ପିଠା, ମିଠା ଏବଂ ପାରମ୍ପରିକ ଖାଦ୍ୟ ମିଶି ଉତ୍ସବକୁ ଅଧିକ ମଜାଦାର କରେ। ଓଡିଆ ଘରେ ରଜ ଦିନରେ ମାସଂ ଝୋଳ ‘ପର୍ବର ରାଜ ଖାଦ୍ୟ’ ଭାବେ ଧରାଯାଏ।
୬୭ ବର୍ଷୀୟ ରୁକ୍ମୁଣୀ ନାୟକ କୁହନ୍ତି, ଆମ ସମୟରେ ‘ରଜ’ ମାନେ ମଉଜ। କିଛି କାମ କରିବାକୁ ପଡୁନଥିଲା। ନୂଆ ପୋଷାକ ପିନ୍ଧି, କଦଳୀ ପାଟୁଙ୍ଗାରେ ତିଆରି ଚପଲ ପିନ୍ଧି, ପାନ ଖାଇ, ବାହାରି ପଡୁଥିଲୁ ଦୋଳି ଖେଳି, ଗାଁ ବୁଲି। ସାଙ୍ଗସାଥି ମେଳରେ ଘରଘର ବୁଲି ବଡ଼ମାନଙ୍କୁ ମୁଣ୍ଡିଆ ମାରୁଥିଲୁ। ବନ୍ଧୁ ବାନ୍ଧବଙ୍କ ଘରକୁ ବୁଲିବା ପାଇଁ ଯାଉଥିଲୁ ଏବଂ ନା ନା ପ୍ରକାର ପିଠା ଖାଉଥିଲୁ। ପିଢା ଦୋଳି, ବାଉଁଶ ଦୋଳି ଆମ ରଜର ମୁଖ୍ୟ ଆକର୍ଷଣ। ତେବେ ସମୟ ଅନୁସାରେ ‘ରଜ’ ପର୍ବରେ ପରିବର୍ତ୍ତନ ଦେଖାଯାଉଛି। ଆଗ ଭଳି ଆଉ ରଜରେ ଉତ୍ସାହ ଦେଖାଯାଉ ନାହିଁ।
ଟିନା ନାୟକଙ୍କ କହିବା ଅନୁସାରେ ରଜ ହେଉଛି ମଜା ଏବଂ ମସ୍ତିର ପର୍ବ। ନୂଆ ଡ୍ରେସ୍ ପିନ୍ଧିବା, ଫୋଟ ଉଠେଇବା, ସୋସିଆଲ୍ ମିଡିଆରେ ପୋଷ୍ଟ କରିବା। ପିଠା ଓ ମିଠା ଖାଇବା। ସାଙ୍ଗ ସାଥିଙ୍କ ସହ ମଉଜ କରିବା। ମେହେନ୍ଦି, ଅଳତା ଲଗାଇ ସଜେଇ ହେବା।

