୭ ବର୍ଷରେ ଏଲ୍ପିଜି ଦୁଇଗୁଣା ମହଙ୍ଗା
ନୂଆଦିଲ୍ଲୀ : ବିଗତ ସାତ ବର୍ଷ ଭିତରେ ଏଲ୍ପିଜି ଦାମ୍ ଦୁଇ ଗୁଣା ବୃଦ୍ଧି ପାଇ ୮୧୯ ଟଙ୍କାରେ ପହଞ୍ଚିଛି। ସେହି ସମୟରେ ପେଟ୍ରୋଲ୍ ଓ ଡିଜେଲ୍ରୁ ଟିକସ ସଂଗ୍ରହ ୪୫୯% ବଢ଼ିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଛନ୍ତି। ଲୋକସଭାରେ ଲିଖିତ ଉତ୍ତର ଦେଇ ସେ ଜଣାଇଛନ୍ତି ଯେ ୨୦୧୪ ମାର୍ଚ୍ଚ ୧ରେ ୧୪.୨ କେଜି ବିଶିଷ୍ଟ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ୪୧୦.୫ ଟଙ୍କା ଥିଲା। ଏବେ ସେହି ଦାମ୍ ୮୧୯ ଟଙ୍କାରେ ପହଞ୍ଚିଛି। ବିଗତ କିଛି ବର୍ଷରେ ଗ୍ୟାସ୍ ଓ ପିଡିଏସ୍ କିରାସିନି ଦାମ୍ରେ ସ୍ବଳ୍ପ ପରିମାଣର ନିୟମିତ ବୃଦ୍ଧି ଯୋଗୁଁ ଏଥିରେ ଦିଆଯାଉଥିବା ସବ୍ସିଡି ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ ହୋଇଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ କିଛି ମାସରେ ଏଲ୍ପିଜି ଅଧିକ ମହଙ୍ଗା ହୋଇଛି। ୨୦୨୦ ଡିସେମ୍ବରରେ ସିଲିଣ୍ଡର ପିଛା ଦାମ୍ ୫୯୪ ଟଙ୍କା ଥିଲା।
ପିଡିଏସ୍ ଜରିଆରେ ବିକ୍ରି ହେଉଥିବା କିରାସିନିର ଲିଟର ପିଛା ଦାମ୍ ୨୦୧୪ ମାର୍ଚ୍ଚରେ ୧୪ ଟଙ୍କା ୯୬ ପଇସା ଥିଲା। ଚଳିତ ମାସରେ ସେହି ମୂଲ୍ୟ ୩୫ ଟଙ୍କା ୩୫ ପଇସାକୁ ବୃଦ୍ଧି ପାଇଛି। ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ଆକାଶଛୁଆଁ ସ୍ତରରେ ରହିଛି। ଦିଲ୍ଲୀରେ ଏକ ଲିଟର ପେଟ୍ରୋଲ୍ ଦାମ୍ ୯୧ ଟଙ୍କା ୧୭ ପଇସା ଓ ଡିଜେଲ୍ ଦାମ୍ ୮୧ ଟଙ୍କା ୪୭ ପଇସା ରହିଛି। ଶ୍ରୀ ପ୍ରଧାନ ଜଣାଇଛନ୍ତି ଯେ ୨୦୧୦ ଜୁନ୍ ୨୬ରେ ପେଟ୍ରୋଲ୍ ଓ ୨୦୧୪ ଅକ୍ଟୋବରରେ ଡିଜେଲ୍ ଦାମ୍ ନିର୍ଧାରଣ ପ୍ରକ୍ରିୟା ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହୋଇଥିଲା। ଏହା ପରଠାରୁ ତେଲ କଂପାନିଗୁଡ଼ିକ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦାମ୍, ଡଲାରର ବିନିମୟ ମୂଲ୍ୟ, ଟିକସ ଢାଞ୍ଚା, ଦେଶ ଭିତରେ ପରିବହନ ମୂଲ୍ୟ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବିଚାରକୁ ନେଇ ପେଟ୍ରୋଲ୍ ଓ ଡିଜେଲ୍ର ଦାମ୍ ନିର୍ଧାରଣ କରୁଛନ୍ତି।