କେନ୍ଦ୍ର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ: କୋଇଲା ଓ ଖଣି ମନ୍ତ୍ରୀଙ୍କ ସହ ଆଲୋଚନା

କେନ୍ଦ୍ର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ: କୋଇଲା ଓ ଖଣି ମନ୍ତ୍ରୀଙ୍କ ସହ ଆଲୋଚନା

ଜାତୀୟ ଅର୍ଥନୀତି ପ୍ରତି ଓଡ଼ିଶାର ଅବଦାନ ବଢ଼ାଇବା ଓ ରାଜ୍ୟର ଖଣି କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି।

ଭୁବନେଶ୍ୱର: ୦୨-୦୬-୨୦୨୬(ବି.ଏନ .ଓ ): ଜାତୀୟ ଅର୍ଥନୀତି ପ୍ରତି ଓଡ଼ିଶାର ଅବଦାନ ବଢ଼ାଇବା ଓ ରାଜ୍ୟର ଖଣି କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ଆଜି ଲୋକସେବା ଭବନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶର ଖଣିଜ ଅର୍ଥନୀତି ଓ ଶିଳ୍ପ ଅଭିବୃଦ୍ଧିରେ ଓଡ଼ିଶାର ଗୁରୁତ୍ୱ କ୍ରମାଗତ ଭାବେ ବୃଦ୍ଧି ପାଉଛି। ୨୦୨୫-୨୬ରେ ଓଡ଼ିଶାରେ ପ୍ରାୟ ୪୭୧ ନିୟୁତ ଟନ୍ ଖଣିଜ ପଦାର୍ଥ ଉତ୍ପାଦନ ହୋଇଥିଲା ଓ ସେଥିରୁ ପ୍ରାୟ ୪୬ ହଜାର କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଛି। ଖଣି କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ।

ଓଡ଼ିଶାରେ ନିଲାମ ହୋଇଥିବା ଖଣି ପାଇଁ ଜଙ୍ଗଲ ଓ ପରିବେଶ ମଞ୍ଜୁରିକୁ ତ୍ୱରାନ୍ୱିତ କରିବା ପାଇଁ ସେ କେନ୍ଦ୍ରର ସହଯୋଗ ଲୋଡ଼ିଥିଲେ। ଏଥି ସହିତ ଶାଶୂବୋହୂମାଳି ବକ୍ସାଇଟ୍‌ ଖଣି ଓ ଠାକୁରାଣୀ ଲୁହାପଥର ଖଣି ଓଡ଼ିଶା ଖଣି ନିଗମ (ଓଏମ୍‌ସି)କୁ ଦେବାକୁ କହିଥିଲେ। ଖଣିଜ ପରିବହନ ପାଇଁ ରେଳ ଓ ବନ୍ଦର ଭିତ୍ତିଭୂମିରେ ଉନ୍ନତି ଆଣିବା, ପରିତ୍ୟକ୍ତ କୋଇଲା ଖଣିଗୁଡ଼ିକରେ ଫ୍ଲାଇ ଆସ୍‌ ଭର୍ତ୍ତି କରିବା ପାଇଁ ଉପଯୁକ୍ତ ଫ୍ରେମ୍‌ୱର୍କ ପ୍ରସ୍ତୁତ କରିବା ଓ ଖଣିଜ ପଦାର୍ଥର ଉନ୍ନତ ବିଶ୍ଲେଷଣ ପାଇଁ ଆଧୁନିକ ପ୍ରଯୁକ୍ତି ଯୋଗାଇ ଦେବାକୁ ମଧ୍ୟ କହିଥିଲେ।

କୋଇଲା ଓ ଖଣି ମନ୍ତ୍ରୀଙ୍କ ସହ ଆଲୋଚନା
ଓଏମ୍‌ସି ପାଇଁ ମାଗିଲେ ୨ଟି ଖଣି
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଥିଲେ ଯେ ଖଣି କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରେଳ, ବନ୍ଦର, ଜଙ୍ଗଲ ଓ ପରିବେଶ ଆଦି ବିଭିନ୍ନ ବିଭାଗର ସହଯୋଗର ଆବଶ୍ୟକତା ରହିଛି। ତେଣୁ ଏଥିପାଇଁ ସମସ୍ତ ମନ୍ତ୍ରାଳୟ ଓ ରାଜ୍ୟ ସରକାର ମିଶି ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ବୈଠକରେ ଖଣିଜ ଅଞ୍ଚଳର ବିକାଶ ଓ ସ୍ଥାନୀୟ ଲୋକଙ୍କର କଲ୍ୟାଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ରାଜ୍ୟ ଓ କେନ୍ଦ୍ରର ସମସ୍ତ ଯୋଜନା, ଡିଏମ୍‌ଏଫ୍‌ ପାଣ୍ଠି ଓ ବିଭିନ୍ନ କମ୍ପାନିର ସିଏସ୍‌ଆର୍‌ ପାଣ୍ଠିକୁ ଖଣିଜ ଅଞ୍ଚଳରେ ଏକ ସମନ୍ବିତ ପ୍ରଣାଳୀରେ କାର୍ଯ୍ୟକାରୀ କରି ସାଚୁରେସନ୍‌ ହାସଲ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଏଥିପାଇଁ ଓଡ଼ିଶାରେ ସିଏମ୍ ସମ୍ପଦା ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ବୈଠକରେ ବିଭିନ୍ନ କେନ୍ଦ୍ରୀୟ ଖଣି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ମହାନଦୀ କୋଲ୍‌ ଫିଲ୍‌ଡସ ଲିମିଟେଡ୍‌, ନେଭେଲି ଲିଗନାଇ୍‌ଟ କର୍ପୋରେସନ୍‌, ସିଙ୍ଗାରେନୀ କୋଲିଆରିଜ୍ କମ୍ପାନି ଲିମିଟେଡ୍‌, ନାଲ୍‌କୋ, ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ ଆଦି ସଂସ୍ଥାର ଉଚ୍ଚ ପଦାଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ମୁଖ୍ୟ ସଚିବ ଅନୁ ଗର୍ଗ, କେନ୍ଦ୍ର ଖଣି ସଚିବ ଓ ଖଣି ମନ୍ତ୍ରଣାଳୟର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *