ପୁସ୍ତକାଳୟିକା ରାଜଶ୍ରୀ ଦଖିଣକବାଟଙ୍କୁ ‘ଓଡିଶା ରତ୍ନ’ ସମ୍ମାନ
କଟକ: ୦୬-୦୯-୨୦୨୫ (ବି. ଏନ. ଓ )ବିଜୟ କୁମାର ପଣ୍ଡା ସେଣ୍ଟ୍ ଜେଭିଅର୍ସ୍ ହାଇସ୍କୁଲ୍, ବାରାବାଟି କଟକର ପୁସ୍ତକାଳୟିକା ଶ୍ରୀମତୀ ରାଜଶ୍ରୀ ଦଖିଣକବାଟଙ୍କୁ ପୁସ୍ତକାଳୟ ଓ ସୂଚନା ସେବା ମାଧ୍ୟମରେ ସ୍ୱତନ୍ତ୍ର ଅବଦାନ ପାଇଁ ‘ଓଡିଶା ରତ୍ନ’ ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ଜାତୀୟ ଶିକ୍ଷା ନୀତି ୨୦୨୦ (ଏନ. ଇ. ପି-୨୦୨୦) ର ପାଞ୍ଚବର୍ଷ ପୂର୍ତ୍ତି ଅବସରରେ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ପାଇଁ ସେଣ୍ଟର୍ ଫର୍ ଏଡୁକେସ୍ନାଲ୍ ଡେଭଲପମେଣ୍ଟ ଇଣ୍ଡିଆ ଏବଂ ନୀତି ଆୟୋଗ ଓ ଭାରତ ଅଲମ୍ପିୟାଡ୍ ଫାଉଣ୍ଡେସନର ମିଳିତ ସହଯୋଗରେ ଭୁବନେଶ୍ବରର ଜୟଦେବ ଭବନରେ ଅନୁଷ୍ଠିତ ୧୭ତମ ଶିକ୍ଷା ସମ୍ମିଳନୀରେ ଓଡ଼ିଶାର ବହୁ ଉତ୍କୃଷ୍ଟ ଶିକ୍ଷକ ଓ ଅନୁଷ୍ଠାନଗୁଡ଼ିକୁ ସମ୍ମାନିତ କରାଯାଇଥିଲା। ଏହା ସହିତ, ପ୍ରାକ୍-ପ୍ରାଥମିକଠାରୁ ବରିଷ୍ଠ ମାଧ୍ୟମିକସ୍ତର ପର୍ଯ୍ୟନ୍ତ ୨୦ ଜଣ
ସ୍କୁଲ୍ ଶିକ୍ଷକଙ୍କୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ଏହି ସମାରୋହରେ ମୁଖ୍ୟଅତିଥି ଭାବରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମ୍ର ବିଧାୟକ ବାବୁ ସିଂହ ଏବଂ କଟକର ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରସିଦ୍ଧ ବିଶେଷଜ୍ଞ ଡ. ହୃଷୀକେଶ ସେନାପତି, ଏନ୍ସିଇଆର୍ଟି ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ଡ. ଶଙ୍କର ଗୋଏଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବ ଓଡ଼ିଶାର ସହୋଦୟ ସ୍କୁଲ୍ କମ୍ପ୍ଲେକ୍ସର ଅଧ୍ୟକ୍ଷ ଏବଂ ସିଇଡି ଫାଉଣ୍ଡେସନର ଡ. ପ୍ରିୟଦର୍ଶୀ ନାୟକ କାର୍ଯ୍ୟକ୍ରମ ଆୟୋଜନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ | ଓଡ଼ିଶାର ଯୁବପିଢ଼ିକୁ ଗଠନ କରିବାରେ ଗୁଣାତ୍ମକ ଶିକ୍ଷା ଏବଂ ଉତ୍ସର୍ଗୀକୃତ ଶିକ୍ଷକଙ୍କ ଗୁରୁତ୍ବ ଉପରେ ଆଲୋଚନା କରାଯାଇଥିଲା।ଶ୍ରୀମତୀ ଦଖିଣକବାଟ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ପାଠାଧ୍ୟୟନ ସଂସ୍କୃତିକୁ ପ୍ରୋତ୍ସାହନ ଦେବାରେ, ପାଠ୍ୟପୁସ୍ତକ ସୀମାରୁ ପାର୍ହେଇ ଜ୍ଞାନକୁ ଅନୁସନ୍ଧାନ ଏବଂ ପୁସ୍ତକାଳୟକୁ ଜ୍ଞାନର ଏକ ସଜୀବ କେନ୍ଦ୍ରରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି।ଶ୍ରୀମତୀ ଦାଖିଣକବାଟଙ୍କ ଏହି ସଫଳତା କେବଳ କଟକ ନୁହେଁ, ସମଗ୍ର ଓଡ଼ିଶାର ପାଇଁ ଗୌରବ ଓ ପରିଚୟ ଆଣିଦେଇଛି।


