ସବଳ ଅହିଂସାର ପ୍ରଚାରକ :ସାଂସଦ ଡଃ ଭର୍ତ୍ତୃହରି ମହତାବ
ସବଳ ଅହିଂସାର ପ୍ରଚାରକ :ସାଂସଦ ଡଃ ଭର୍ତ୍ତୃହରି ମହତାବ
- ସ୍ଵରାଜ ଆଶ୍ରମଠାରେ ରାଜ୍ୟସ୍ତରୀୟ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ
- ଗାନ୍ଧୀଜୀଙ୍କ ସତ୍ୟ, ଅହିଂସା ଓ ଶାନ୍ତିର ବାର୍ତ୍ତାକୁ ପରପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାକୁ ଆହ୍ଵାନ
କଟକ, ୦୪-୧୦-୨୦୨୬(ବି .ଏନ .ଓ ) :(ବିଜୟ କୁମାର ପଣ୍ଡା ) ସବଳ ଅହିଂସାର ପ୍ରଚାରକ ବୋଲି ଐତିହାସିକ ସ୍ଵରାଜ ଆଶ୍ରମରେ ଉପନିର୍ଦ୍ଦେଶକ, ସୂଚନା ଓ ଲୋକସମ୍ପର୍କ (କେନ୍ଦ୍ରାଞ୍ଚଳ) ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଟକ ଲୋକସଭା ସାଂସଦ ଡଃ ଭର୍ତ୍ତୃହରି ମହତାବ ଏହା କହିଛନ୍ତି । ସ୍ଵରାଜ ଆଶ୍ରମ ସ୍ୱାଧୀନତା ସଂଗ୍ରାମୀଙ୍କ ଏକ ପ୍ରମୁଖ କେନ୍ଦ୍ରସ୍ଥଳୀ ହୋଇଥିବାରୁ ଏହାର ମହତ୍ତ୍ୱକୁ ଅକ୍ଷୁଣ୍ଣ ରଖିବା ଆବଶ୍ୟକ, ଯାହା ଉତ୍ତରପିଢ଼ିଙ୍କ ନିକଟରେ ଇତିହାସର ଏହି ଗୌରବମୟ କଥା ପହଞ୍ଚାଇବାରେ ସହାୟକ ହେବ ବୋଲି ସେ ମତପ୍ରକାଶ କରିଛନ୍ତି । ସମ୍ମାନନୀୟ ଅତିଥିଭାବେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବାରବାଟୀ କଟକ ବିଧାୟିକା ଇଂ ସୋଫିଆ ଫିରଦୋସ ଯୋଗଦେଇ ଗାନ୍ଧୀଜୀଙ୍କ ବାଣୀର ପ୍ରାସଙ୍ଗିକତା ଆଜି ମଧ୍ୟ ରହିଛି ଓ ଶାନ୍ତିର ବାର୍ତ୍ତା ପ୍ରଦାନ କରୁଛି ବୋଲି କହିଥିଲେ । କଟକ ମହାନଗର ନିଗମ ମେୟର ସୁବାଷ ଚନ୍ଦ୍ର ସିଂହ ଯୋଗଦେଇ ଗାନ୍ଧିଜୀଙ୍କ ଆଦର୍ଶ ଓ ମୂଲ୍ୟବୋଧକୁ ନିଜ ଜୀବନରେ ଅନୁସରଣ କରି ସମାଜରେ ଶାନ୍ତି, ଭାଇଚାରା, ସ୍ୱଚ୍ଛତା ଓ ସଦ୍ଭାବନା ପ୍ରତିଷ୍ଠା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଗାନ୍ଧୀଙ୍କ ବାଣୀକୁ ପ୍ରେସସ୍କ୍ରିପସନ
( ଡାକ୍ତରଙ୍କ ଚିକିତ୍ସାପତ୍ର ଭଳି) ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ କହିଥିବାବେଳେ ମୁଖ୍ୟ ବକ୍ତା ଭାବେ ଗାନ୍ଧିଯୁଗ ତ୍ୟାଗର ଯୁଗ ଥିଲା ବୋଲି ଗାନ୍ଧୀବାଦୀ ଭାଗବତ ଶୁକ୍ଳ ମତବ୍ୟକ୍ତ କରିଥିଲେ । ଏଣୁ ସମସ୍ତେ ଭୋଗବାଦୀ ନ ହୋଇ ତ୍ୟାଗପୂତ ଜୀବନଯାପନ କଲେ ଗାନ୍ଧୀଙ୍କର ପ୍ରକୃତ ସ୍ଵପ୍ନ ପୂରଣ ହୋଇପାରିବ । ମହାତ୍ମାଗାନ୍ଧି ଓଡିଶା ଗସ୍ତରେ ଆଠ ଥର ଆସି ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ମିଶ୍ର ଓ ଡଃ ହରେକୃଷ୍ଣ ମହତାବଙ୍କ ସ୍ଵର ବହୁବିଧ ଭାବେ ପ୍ରଭାବିତ ହୋଇଥିଲେ ବୋଲି ସେ ବିସ୍ତ୍ରୁତ ଭାବେ ତାଙ୍କ ଅଭିଭାଷଣର ଅବତାରଣା କରିଥିଲେ । କାର୍ଯକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଗାନ୍ଧୀଜୀ ଓ ଶାସ୍ତ୍ରୀଜିଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥଲା। ଉପନିର୍ଦ୍ଦେଶକ, ସୂଚନା ଓ ଲୋକସମ୍ପର୍କ, କେନ୍ଦ୍ରାଞ୍ଚଳ ଆଶୁତୋଷ ପାଇକରାୟ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିବାବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵାଗତିକା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ଯକ୍ରମ ପ୍ରାରମ୍ଭରେ ଲୋକନାଥ ଦୀକ୍ଷିତ ଗୀତା, ରେଭ ପ୍ରଭାତ ବାଗ ବାଇବେଲ ଓ ସେକ୍ ହାକିମ କୋରାନ ପାଠ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ବୁଦ୍ଧିଜୀବୀ ତଥା ଗାନ୍ଧିବାଦୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ କଳାବତୀ କଳା ନିକେତନ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ “ବୈଷ୍ଣବ ଜନ ତୋ” ପରିବେଷଣ ସହ ରେବାଦେବୀ ଶୋଭନୀୟ ଶିକ୍ଷାଶ୍ରମ ପକ୍ଷରୁ ଗାନ୍ଧୀବାର୍ତ୍ତା ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ସ୍ଵରାଜ ଆଶ୍ରମ ପରିସରରେ ମହାଲକ୍ଷ୍ମୀ ତନ୍ତୁବାୟ ସହଯୋଗ ସମିତି ଲିମିଟେଡ ପକ୍ଷରୁ ତନ୍ତବୁଣା ପୋଷାକ ପ୍ରଦର୍ଶନୀ କରାଯାଇଥିଲା।

