କଳିଙ୍ଗପଟନମ୍ରେ ସ୍ଥଳଭାଗ ଛୁଇଁଲା ଗଭୀର ଅବପାତ ; ବୁଡ଼ାଇଲା ମନ୍ଥର ଗତି
କଳିଙ୍ଗପଟନମ୍ରେ ସ୍ଥଳଭାଗ ଛୁଇଁଲା ଗଭୀର ଅବପାତ ; ବୁଡ଼ାଇଲା ମନ୍ଥର ଗତି
ଭୁବନେଶ୍ବର ୨୪-୦୯-୨୦୨୬(ବି .ଏନ .ଓ ) : ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବୁଧବାର ମଧ୍ୟରାତିରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଓ ଓଡ଼ିଶାର ଗୋପାଳପୁର ମଧ୍ୟବର୍ତ୍ତୀ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ର ଦକ୍ଷିଣାଞ୍ଚଳରେ ସ୍ଥଳଭାଗ ଛୁଇଁଛି। ଏହି ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ପ୍ରାୟ ଦୁଇଘଣ୍ଟା ଧରି ଚାଲିଥିଲା। ଭୂମିସ୍ପର୍ଶ ପୂର୍ବରୁ ଗଭୀର ଅବପାତର ଗତି ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ଘଣ୍ଟାପ୍ରତି ୬ କିମି ରହିଥିଲା। ପ୍ରବଳ ବର୍ଷା ସହ ପବନ ଘଣ୍ଟା ପ୍ରତି ୬୫ରୁ ୭୦ କିମି ବେଗରେ ବହିଥିଲା। ଝଟ୍କା ୭୫ରୁ ୮୦ କିମି ରହିଥିଲେ ବି ବିଶେଷ କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି। କେତେକ ସ୍ଥାନରେ ଛପର ଘରର ଛାତ ଉଡାଇବା ସହ ସ୍ଥାନେ ସ୍ଥାନେ ଗଛ ଗୁଡିକ ଭାଙ୍ଗି ପଡିଛି। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ଏହାର ଗତି ମନ୍ଥର ଥିବାରୁ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଦକ୍ଷିଣ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୫୫ରୁ ୬୫ କି.ମି ବେଗରେ ପବନ ବହିବା ସହ ସ୍ଥଳବିଶେଷରେ ଝଟକା ପବନର ବେଗ ଘଣ୍ଟାପ୍ରତି ୭୦ କି.ମି ରହିଥିଲା। ଗଭୀର ଅବପାତ ସ୍ଥଳଭାଗ ଛୁଇଁବା ପରେ ଗୁରୁବାର ଓଡ଼ିଶା ଉପକୂଳରେ ବର୍ଷା ସାଙ୍ଗକୁ ପବନ ବହିପାରେ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଗଭୀର ଅବପାତ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ବୁଧବାର ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ନୟାଗଡ଼ରେ ସବୁଠୁ ଅଧିକ ୬୦.୨ମି.ମି ବର୍ଷା ହୋଇଥିବା ବେଳେ ଭୁବନେଶ୍ବରରେ ୩୧.୯ମି.ମି, ମାଲକାନଗିରିରେ ୩୪.୬ମି.ମି ବର୍ଷା ହୋଇଛି। ସେହିପରି, ଗୋପାଳପୁରରେ ୪୦.୪ମିମି, ବାଲେଶ୍ବରରେ ୩୧.୫ମିମି, ବାରିପଦାରେ ୩୧ମିମି, ଛତ୍ରପୁରରେ ୩୩.୮ ମିମି ଏବଂ ନବରଙ୍ଗପୁରରେ ୨୬ମିମି ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଗୋଟିଏରୁ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇଛି। କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ବାଲେଶ୍ବର, ମୟୂରଭଞ୍ଜ, ଗଜପତି, ବଲାଙ୍ଗିର, ଖୋରଧା, କଟକ, ଢେଙ୍କାନାଳ, ନୂଆପଡ଼ା ଏବଂ ଯାଜପୁର ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି।
ସେହିପରି, ଗତ ୨୪ ଘଣ୍ଟାରେ କୋରାପୁଟର ସେମିଳିଗୁଡ଼ାରେ ସବୁଠୁ ଅଧିକ ୨୩୦.୨ମି.ମି ବର୍ଷା ରେକର୍ଡ ହୋଇଥିବା ବେଳେ ଜୟପୁରରେ ୧୬୧.୬ମିମି, ବୋରିଗୁମ୍ମାରେ ୧୩୮.୨ମିମି, ନବରଙ୍ଗପୁର ତେନ୍ତୁଳିଖୁଣ୍ଟିରେ ୧୩୮ମିମି, ନନ୍ଦାହାଣ୍ଡିରେ ୧୨୮ମିମି, ବାଲେଶ୍ବରରେ ୧୨୬.୪ମିମି, ରେମୁଣାରେ ୧୦୩ମିମି, କୋରାପୁଟ ନନ୍ଦପୁରରେ ୧୨୧ମିମି, ଗଞ୍ଜାମର ଛତ୍ରପୁରରେ ୧୧୯.୪ମିମି, ମୟୂରଭଞ୍ଜର ଉଦଳାରେ ୧୧୭.୩ମିମି, କୋରାପୁଟରେ ୧୧୬.୪ମିମି, ବାଲେଶ୍ବର ନୀଳଗିରିରେ ୧୧୪ମିମି, କୋରାପୁଟର ଲମତାପୁଟରେ ୧୦୪.୧ ମିମି ଏବଂ ଗଜପତି ଜିଲାର ଆର.ଉଦୟଗିରିରେ ୧୦୨.୩ ମିମି ବର୍ଷା ହୋଇଛି।
ଆସନ୍ତା ୨୪ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲାର କିଛି ଅଞ୍ଚଳରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲାରେ ଘଣ୍ଟା ପ୍ରତି ୫୦ରୁ ୬୦କି.ମି. ବେଗରେ ପବନ ବହିପାରେ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାକୁ ରେଡ୍ୱାର୍ଣ୍ଣିଂ ଜାରି କରାଯାଇଛି। ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଏହି ସବୁ ଜିଲାଗୁଡ଼ିକର କିଛି ଅଞ୍ଚଳରେ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି ବେଗରେ ପବନ ବହିପାରେ। ବାଲେଶ୍ବର, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଏବଂ ରାୟଗଡ଼ା ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋୱାର୍ଣ୍ଣିଂ ଜାରି କରିଛି। ଏହି ସବୁ ଜିଲାର କିଛି ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦କି.ମି ବେଗରେ ପବନ ବହିପାରେ। ମତ୍ସ୍ୟଜୀବୀଙ୍କୁ ୨୬ତାରିଖ ପର୍ଯ୍ୟନ୍ତ ଅଶାନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

