ରାଜ୍ୟରେ ନାରୀ ନିର୍ଯାତନା ପରିସ୍ଥିତି ଅଣାୟତ୍ତ : କଂଗ୍ରେସ
ରାଜ୍ୟରେ ନାରୀ ନିର୍ଯାତନା ପରିସ୍ଥିତି ଅଣାୟତ୍ତ : କଂଗ୍ରେସ
ଭୁବନେଶ୍ୱର ୧୯-୧୨-୨୦୨୫(ବି .ଏନ .ଓ ) : (ଶଶିଭୂଷଣ ଚଇନି ) ରାଜ୍ୟର ଡବଲ ଇଞ୍ଜିନ ସରକାରରେ ବଳାତ୍କାର, ଗଣବଳାତ୍କାର, ଯୌନ ଉତ୍ପୀଡ଼ନ, ଛାତ୍ରାବାସରେ ନାବାଳିକା ଗର୍ଭଧାରଣ ଓ ବିଭିନ୍ନ ଅତ୍ୟାଚାର ବଢ଼ି ଚାଲିଛି। ପରିସ୍ଥିତି ଏବେ ଅଣାୟତ୍ତ। ସରକାର, ପୁଲିସ ଓ ପ୍ରଶାସନ ଏହି ପ୍ରସଙ୍ଗକୁ ନେଇ ଆଦୌ ଚିନ୍ତିତ ନଥିବା ଜଣାପଡ଼ୁଛି ବୋଲି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି କହିଛନ୍ତି। ଗୁରୁବାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ବାହିନୀପତି କହିଲେ, ଗତ ୧୦ ତାରିଖ ସନ୍ଧ୍ୟାରେ ଧଉଳି ନିକଟରେ ହୋଇଥିବା ଗଣବଳାତ୍କାର ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କର ବହୁ ଆପରାଧିକ ଇତିହାସ ରହିଛି। ସେ ନିକଟରେ ଜାମିନରେ ମୁକୁଳି ଥିଲା। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ମହିଳା ହୋଇଥିଲେ ସୁଦ୍ଧା ମହିଳାଙ୍କ ସୁରକ୍ଷା ପାଇଁ ନା ତତ୍ପର ଅଛନ୍ତି ନା ଲୋକଙ୍କ ସରକାର ଏଥିପାଇଁ କିଛି କରୁଛନ୍ତି। ଓଡ଼ିଶାରେ ବିଜେପି ସରକାରର ୧୮ମାସରେ ମହିଳା ଓ ନାବାଳିକାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ସତ୍ତ୍ବେ ସରକାର ଓ ପ୍ରଶାସନ ପୂରାପୂରି ନିର୍ବାକ ଓ ନିଷ୍କ୍ରିୟ ରହିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିନ୍ଦା କରୁଛି ବୋଲି ଶ୍ରୀମତୀ ବାହିନୀପତି କହିଥିଲେ। ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତ୍ରୀ ପ୍ରଣତି ମିଶ୍ର ଓ ଜୟଶ୍ରୀ ପଟ୍ଟନାୟକ ଉପସ୍ଥିତ ଥିଲେ।

