ପାଟଣା କଲେଜ ଷ୍ଟାଡିୟମ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ
ପାଟଣା କଲେଜ ଷ୍ଟାଡିୟମ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ
ପାଟଣା:-୨୨-୦୬-୨୦୨୬(ବି .ଏନ .ଓ ) :(ଦୀନବନ୍ଧୁ ମିଶ୍ର ) ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପାଟଣା କଲେଜ ଷ୍ଟାଡିୟମ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ଏକ ବିଶାଳ ଯୋଗ ଶିବିର ଆୟୋଜନ କରାଯାଇଥିଲା। ଏହା ସହିତ ପାଟଣା ବ୍ଲକର ସମସ୍ତ ୨୦ଟି ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। ଯୋଗର ମହତ୍ତ୍ୱ ଓ ସୁସ୍ଥ ଜୀବନଶୈଳୀ ଗଠନରେ ଏହାର ଭୂମିକା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। କଲେଜ ଷ୍ଟାଡିୟମରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର କର୍ମଚାରୀ, ମହାବିଦ୍ୟାଳୟର ଏନସିସି ଛାତ୍ରୀଛାତ୍ର, ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଓ ଛାତ୍ରଛାତ୍ରୀ, ସ୍ଥାନୀୟ ଯୁବକ ଓ ମହିଳାମାନେ ଯୋଗଦେଇଥିଲେ। ସମସ୍ତେ ମିଳିତ ଭାବେ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମ ଅଭ୍ୟାସ କରିଥିଲେ। ଏଥିସହ ପାଟଣା ବ୍ଲକର ୨୦ଟି ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ କର୍ମଚାରୀ, ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଜନସାଧାରଣଙ୍କ ସହଭାଗିତାରେ ଯୋଗ ଦିବସ ପାଳନ କରାଯାଇଥିଲା। ତୁରୁମୁଙ୍ଗା ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇ ଯୋଗର ଉପକାରିତା ଓ ସୁସ୍ଥ ଜୀବନ ପାଇଁ ଏହାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ସେ ନିୟମିତ ଯୋଗାଭ୍ୟାସ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।

