କ୍ୟାଣ୍ଟନମେଣ୍ଟ ଥାନାରୁ ଫେରାର ଅଭିଯୁକ୍ତଙ୍କ ମୃତଦେହ ମହାନଦୀରୁ ଉଦ୍ଧାର।

କ୍ୟାଣ୍ଟନମେଣ୍ଟ ଥାନାରୁ ଫେରାର ଅଭିଯୁକ୍ତଙ୍କ ମୃତଦେହ ମହାନଦୀରୁ ଉଦ୍ଧାର।

କଟକ:23.07.23(BREAKING NEWS ODIA) ପୁଲିସ ହେପାଜତରେ ଥିବା ଅଭିଯୁକ୍ତ ଥାନାରୁ ଫେରାର ହୋଇଯିବା ପରେ ମହାନଦୀରୁ ମୃତ ଦେହ ଉଦ୍ଧାର ହେବା ଘଟଣାକୁ ନେଇ କଟକରେ ବିଭିନ୍ନ ଚର୍ଚ୍ଚା ହେଉଛି । କେହି କେହି ପୁଲିସର ଅତ୍ୟାଚାରକୁ ସହିନପାରି ଆତ୍ମହତ୍ୟା କରୁଥିବା କହୁଥିବାବେଳେ ଆଉ କେହି କେହି ପୁଲିସ ଚୋରି ଅଭିଯୋଗ ଲଗାଇବା ପରେ ସେ ଲଜ୍ଜାରେ ଆତ୍ମହତ୍ୟା କରୁଥିବା ଶୁଣିବାକୁ ମିଳିଛି । ତେବେ ଥାନାରୁ ଖସି ପଳାଇବା ପରେ ଯୁବକଙ୍କ ଶବ ମିଳିବା ଘଟଣାକୁ ନେଇ ପରିବାର ଲୋକେ ସାଂଘାତିକ ଅଭିଯୋଗ ଆଣିଥିବା ଜଣାପଡ଼ିଛି । ପୁଲିସର ଅତ୍ୟଧିକ ଶାରୀରିକ ଓ ମାନସିକ ନିର୍ଯାତନା ସହି ନ ପାରି ବବୁଲୁ ଜୀବନ ବିକଳରେ ମହାନଦୀରେ ପଶି ଆଖି ବୁଜିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେଣୁ କ୍ଷତିପୂରଣ ସହ ଯେଉଁ ପୁଲିସ୍ କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ବବୁଲୁର ଜୀବନ ଗଲା ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି ।
ସୂଚନା ଅନୁଯାୟୀ, କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଗତକାଲି ଭୋରୁ ଚମ୍ପଟ ମାରିଥିବା ଶଙ୍କର୍ଷଣ ବେହେରା ଓରଫ ବବୁଲୁଙ୍କ ମୃତଦେହ ଆଜି ମହାନଦୀରୁ ଉଦ୍ଧାର ହୋଇଛି । ଏକ ଚୋରି ଘଟଣାରେ ପଚରାଉଚରା ପାଇଁ ପ୍ରାୟ ୩ ଦିନ ପୂର୍ବେ ବବୁଲୁଙ୍କୁ କ୍ୟାଣ୍ଟନମେଣ୍ଟ ଥାନାକୁ ନିଆଯାଇଥିବା ବେଳେ ସେଠାରୁ ସେ ଫେରାର ହୋଇ ଯାଇଥିଲେ । ଏହାପରେ ଆଜି ସକାଳେ ଯୋବ୍ରା ବ୍ୟାରେଜରୁ ଅଗ୍ନିଶମ ବାହିନୀ ଦ୍ୱାରା ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର ପରେ ମୃତଦେହ ଚିହ୍ନଟ କରିଛନ୍ତି ବବୁଲୁଙ୍କ ପରିବାର ଲୋକେ । ବବୁଲୁ କ୍ୟାଣ୍ଟନମେଣ୍ଟ ଥାନାରୁ ଫେରାର ହୋଇ ଯାଇଥିବା ନେଇ ଶୁକ୍ରବାର ସକାଳେ ଖବର ପ୍ରଚାରିତ ହୋଇଥିଲା । ଏହାକୁ ନେଇ ତନାଘନା ଆରମ୍ଭ ହୋଇଥିବା ବେଳେ ଜଣେ ବୟସ୍କ କର୍ମଚାରୀଙ୍କୁ ଧକ୍କା ମାରି ବବୁଲୁ ଥାନାରୁ ଚମ୍ପଟ ମାରିଥିବା ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଥିଲେ । ତାଙ୍କୁ ଥାନାରେ କେବଳ ପଚରାଉଚରା କରାଯାଉଥିଲା, କୌଣସି ପ୍ରକାର ନିର୍ଯାତନା ଦିଆଯାଉ ନଥିଲା ବୋଲି ଗତକାଲି ସେ ସଫେଇ ଦେଇଥିବା ବେଳେ ଆଜି ବବୁଲୁଙ୍କ ମୃତଦେହ ଉଦ୍ଧାର ହେବା ପରେ ତାତିଛନ୍ତି ପରିବାର ଲୋକେ ।
ବବୁଲୁ ନାଁରେ କୌଣସି ମାମଲା ରୁଜୁ ହୋଇ ନଥିବା ବେଳେ ତାକୁ ଉଠାଇ ଆଣି ପୁଲିସ୍ ୩ ରାତି ନିର୍ଘାତ ପିଟିଥିବା ତାଙ୍କ ଭଉଣୀ କହିଛନ୍ତି । ଏଥିସହ ସେ କହିଛନ୍ତି, ପୁଲିସ୍ ଆମ ଘରୁ ଭାଇକୁ ଉଠାଇ ଆଣିଥିବା ବେଳେ ପଚାରିବାରୁ କିଛି କେସ୍ ହେଇନି, ପଚରାଉଚରା କରିବାକୁ ନେଉଛୁ ବୋଲି କହିଥିଲେ । ଏହାପରେ ଆମେ ଭାଇକୁ ଦେଖା କରିବାକୁ ଆସିବାରୁ ଆଇଆଇସି କହିଲେ, ତମକୁ ତମ ଭାଇ ଫେରାଇ ଦିଆଯିବ । ତୁମେ ଘରେ ଶାନ୍ତିରେ ରୁହ । ତୁମ ଭାଇ ଭଲରେ ଅଛି । ତେଣୁ ଏବେ ଆମକୁ ଆମ ଭାଇକୁ ଫେରାଇ ଦିଅ, ଆମେ ପଳାଇବୁ ବୋଲି କହିଛନ୍ତି ତାଙ୍କ ଭଉଣୀ । ଏଥିସହ ସେ କହିଛନ୍ତି, ପୁଲିସ୍ ୩ ରାତି ଆମ ଭାଇକୁ ପିଟିଛି । ନିର୍ଯାତନା ଅସହ୍ୟ ହେବାରୁ ସେ ଦୌଡ଼ି ପଳାଇଛି । ଏନେଇ ପୁଲିସକୁ ପଚାରିବାରୁ ପ୍ରଥମେ କହିଲେ, ସେ ଏଠାକୁ ଆସିନି । ତା’ ପରେ କହିଲେ ଚପଲ ଅଛି, ମେଡିକାଲ ଯାଇଛି । ହେଲେ ଏବେ ମୃତଦେହ ଦେଉଛନ୍ତି । ଆମ ଭାଇ ମୃତଦେହ କେବେଠୁ ଭାସୁଛି, ପୁଲିସ୍ ଆମକୁ ଏବେ ମୃତଦେହ ଦେଉଛି ବୋଲି ତାଙ୍କ ଭଉଣୀ କହିଛନ୍ତି । ପୁଲିସ୍ ଚାହିଁଥିଲେ ଆମ ଭାଇକୁ ବଞ୍ଚାଇ ପାରିଥାନ୍ତା । ହେଲେ ପୁଲିସ୍ ଜାଣିଶୁଣି ବସି ରହିଲା । ଭାଇ ମହାନଦୀରେ ପଶିଥିବା ଭିଡିଓ ଭାଇରାଲ ହେଉଥିବା ବେଳେ ପୁଲିସ୍ ଜାଣିଶୁଣି କିଛି କଲାନି । ଯଦି ଆମ ଭାଇ ଅପରାଧୀ ତାକୁ କୋର୍ଟ ଚାଲଣ ନକରି ଥାନାରେ ୩ଦିନ କାହିଁକି ରଖିଥିଲେ ; ତାକୁ ମାରି ଦେଇ ପୁଲିସ ଏବେ କହୁଛି ଡେଡବଡି ନେଇଯା । ଆମେ କିପରି ବଞ୍ଚିବୁ ବୋଲି କୋହଭରା କଣ୍ଠରେ କହିଛନ୍ତି ବବୁଲୁଙ୍କ ଭଉଣୀ । ବବୁଲୁଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାର ତଦନ୍ତ କରାଯିବ ପୁଲିସ ଅତିରିକ୍ତ ଡିସିପି ଶ୍ରୀ ମିଶ୍ର କହିଥିବାବେଳେ ଯଦି କାହାର ଅବହେଳା ଯୋଗୁ ଅଭିଯୁକ୍ତ ଫେରାର ହୋଇଯାଇଥିବେ, ତା’ହେଲେ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *