ଓଡେସା ବିମାନ ବନ୍ଦର ଉଡ଼ାଇଲା ରୁଷ, ପ୍ରତିଶୋଧ ନେଲା ୟୁକ୍ରେନ
କିଭ୍,1st May,(Bnews): ରୁଷ ଓ ୟୁକ୍ରେନ୍ ମଧ୍ୟରେ ଗତ ଦୁଇ ମାସରୁ ଅଧିକ ଦିନ ହେବ ଜାରି ରହିଛି ଯୁଦ୍ଧ। ଏହି ଯୁଦ୍ଧ ୟୁକ୍ରେନ୍କୁ ଛାରଖାର କରିଦେଲାଣି। ଏତେ ସବୁ ପରେ ବି ୟୁକ୍ରେନ୍ ମୁଣ୍ଡ ନୁଆଁଇବାକୁ ନାରାଜ। ଅଧାରୁ ଅଧିକ ସହର ନଷ୍ଟ ହୋଇଯାଇଥିଲେ ସୁଦ୍ଧ ରୁଷ ସେନାକୁ କଡା ଟକ୍କର ଦେବାକୁ ଏବେବି ଦମ୍ଭ ଧରି ଠିଆ ହୋଇଛି ୟୁକ୍ରେନ।
ଏହାରି ଭିତରେ ତାଜା ରିପୋର୍ଟ ମୁତାବକ, ୟୁକ୍ରେନ୍ର ଓଡେସା ବିମାନ ବନ୍ଦରକୁ ଧ୍ୱଂସ କରିଦେଇଛି ରୁଷ। ଅଧିକୃତ କ୍ରିମିୟାରୁ ରୁଷ ଏହି ରକେଟ୍ ମାଡ କରି ବିମାନବନ୍ଦରକୁ ଉଡାଇ ଦେଇଥିବା ଓଡେସା ଆଞ୍ଚଳିକ ରାଜ୍ୟପାଳ କହିଛନ୍ତି। ତେବେ ଏହି ରକେଟ୍ ମାଡରେ କେହି ମୃତାହତ ହୋଇନଥିବା ଖବର ରହିଛି। ସେପଟେ ୟୁକ୍ରେନ୍ ମଧ୍ୟ ରୁଷଠାରୁ ବିମାନବନ୍ଦର ଧ୍ୱଂସର ପ୍ରତିଶୋଧ ନେଇଛି। ୟୁକ୍ରେନ୍ ରୁଷର ଦୁଇଟି ସୁଖୋଇ ଓ ୭ଟି ୟୁଏଭି ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଛି।
ଉଲ୍ଲେଖଯୋଗ୍ୟ ଯେ, ରୁଷ ଓ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଶାନ୍ତି ବାର୍ତ୍ତା ପାଇଁ ଚେଷ୍ଠା କରୁଥିବା ସଂଯୁକ୍ତ ରାଷ୍ଟ୍ରର ପ୍ରମୁଖ ଏଣ୍ଟୋନିୟୋ ଗୁଟେରେସ ଶୁକ୍ରବାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଥିଲେ। ଏକ ଘଣ୍ଟା କାଳ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ତେବେ ଏହି ଆଲୋଚନା ବେଳେ ହଠାତ୍ ୟୁକ୍ରେନ୍ର ରାଜଧାନୀ କିଭ୍ରେ ୨ଟି ମିସାଇଲ ମାଡ ହୋଇଥିଲା। ଅଚାନକ ହୋଇଥିବା ଏହି ହମ୍ଲାକୁ ଦେଇ ଗୁଟେରେସ ଚକିତ ହୋଇପଡିଥିଲା। ସେ ରୁଷକୁ ନିନ୍ଦା କରିଥିଲେ।