ଆଖୁଆପଦା ବୈତରଣୀ ବ୍ରିଜରୁ ଡେଇଁ ବାପ ଝିଅ ନିଖୋଜ

ଭଦ୍ରକ:28.09.23(B.N.O): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଆଖୁଆପଦା ବୈତରଣୀ ବ୍ରିଜ ଉପରୁ ନଦୀକୁ ଡେଇଁ ବାପ ଝିଅ ନିଖୋଜ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ (୩୦)ଓ ତାଙ୍କ ନାବାଳିକା ଝିଅ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି । ଗତକାଲି ରାତି ପ୍ରାୟ ୯ଟା ବେଳେ ବାପ ଝିଅ ଦୁହେଁ ଏକ ମୋଟରସାଇକେଲ ଯୋଗେ ଗାଁରୁ ସିଧାସଳଖ ଆସି ପୋଲ ଉପରେ ରହିଥିଲେ । ସେଠାରେ ମୋବାଇଲ, ଜୋତା ଓ ବାଇକ ରଖି ଦୁହେଁ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଜଣାଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପୁଲିସ, ଦମକଳ ଏବଂ ଓଡ୍ରାଫ ଦଳ ପହଞ୍ଚି ନଦୀ ମଧ୍ୟରେ ଖୋଜା ଖୋଜି ଆରମ୍ଭ କରିଥିଲେ ମଧ୍ୟ ବାପ ଝିଅଙ୍କ କୌଣସି ପତ୍ତା ମିଳିପାରି ନାହିଁ । ତେବେ ଚନ୍ଦନଙ୍କ ପତ୍ନୀ ଗତ ଏକ ମାସ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ କେଉଁ ପରିସ୍ଥିତିରେ ବାପ ଝିଅ ନଦୀକୁ ଡେଇଁଲେ କାରଣ ଜଣାପଡିନାହିଁ । ତେବେ ଏ ନେଇ ଅନେକ କଥା ଶୁଣିବାକୁ ମିଳୁଥିବାବେଳେ ବାପଝିଅଙ୍କ ଅଡିଓ ମଧ୍ୟ ଭାଇରାଲ ହେଉଛି । ତେବେ ନଦୀକୁ ଡେଇବାର କିଛି ସମୟ ପୂର୍ବରୁ ଏ ନେଇ ଚନ୍ଦନ ତାଙ୍କ ଭଉଣୀଙ୍କୁ ମଧ୍ୟ ଫୋନରେ କଥା ହୋଇଥିଲେ । “ଦେଇ ଲୋ ମୁଁ ଆଉ ବଞ୍ଚିବିନି । ମୋ ଝିଅକୁ ଗାଡ଼ିରେ ବହୁ ଦୂରକୁ ନେଇ ପଳାଇଆସିଛି । ପାଣିରେ ଡେଇଁ ମୁଁ ଓ ମୋ ଝିଅ ମରିଯିବି ଲୋ । ମୁଁ ବଞ୍ଚିବାକୁ ଚାହୁଁନାହିଁ । ତୁ କାହାରିକୁ କିଛି କହିବୁନି ଲୋ ।” ଅନ୍ୟପକ୍ଷରେ ବାପା ପିଉସୀଙ୍କ ସହ କଥା ହେଉଥିବା ବେଳେ ଝିଅଟି ତାର ଖନେଇ ଖନେଇ କହି ହଉଥିଲା “ବାପା, ଶୀଘ୍ର ଚାଲ ବୁଲିବାକୁ । ଫୋନ ଟା କାଟୁନ । ବାପା ପିଉସୀ ନାନିକୁ ମରିବା କଥା କହୁଥିବା ବେଳେ ଝିଅଟି ତାର ବାପାକୁ କହୁଥିଲା,“ ବାପା ତୁମେ କାହିଁକି ମରିବ । ଆମେ କାହିଁକି ମରିବା ବୋଲି ପ୍ରଶ୍ନ କରୁଥିଲା । ହେଲେ ନିଷ୍ପାପ ଶିଶୁଟି କ’ଣ ଜାଣିଛି ତା’ର ବାପା ତାକୁ ନେଇ ନଦୀକୁ ଡେଇଁବାକୁ ଯାଉଛି । ସେ ଜାଣିଛି ସେ ତାର ବାପା ସହ ବାଇକରେ ବସି ଖୁସିରେ ବୁଲିବ କିନ୍ତୁ ଆଉ କିଛି କ୍ଷଣରେ ତାଙ୍କ ଖୁସି ସବୁଦିନ ପାଇଁ ସରିବାକୁ ଯାଉଛି କୁନି ପିଲାଟି ବୁଝିବ କୁଆଡ଼ୁ । ତେଣୁ ବୁଲିବାକୁ ଚାଲ ବୋଲି କହୁଥିଲା । ଅନ୍ୟପକ୍ଷରେ ଚନ୍ଦନଙ୍କ ମା’ କହିଛନ୍ତି, ସନ୍ଧ୍ୟା ବେଳେ ପୁଅ ଆମ ଘର ପାଖରେ ଜଣେ ପିଲା ସହ ବସି କଥା ହେଉଥିଲା । ପରେ ତାର ଝିଅକୁ ଆସି ଖୋଇ ଦେଇଥିଲା । ପରେ ଝିଅକୁ ନେଇ ବାଇକରେ ବୁଲିବାକୁ ଯାଇଥିଲା । ଘଣ୍ଟେ ଭିତରେ ଘରକୁ ଫେରି ଆସିବ ବୋଲି କହିଥିଲା । ପୁଅ ଆସିବା ଡେରି ହେବାରୁ ତାକୁ ଫୋନ୍ କରିଥିଲେ । ତେବେ ଫୋନରେ ବାପା ଆଉ ମୁଁ ମରିବାକୁ ଯାଉଛୁ ବୋଲି ମୋ ନାତୁଣୀ ମୋତେ କହିଥିଲା । ତା ପରେ ମୋବାଇଲ ସୁଇଚ ଅପ୍ ହୋଇଯାଇଥିଲା । ପରେ ପୁଅ ଓ ନାତୁଣୀ ନଦୀକୁ ଡେଇଁ ପଡ଼ିଥିବା ଖବର ପାଇଲି କହି କୋହ ସମ୍ବରଣ କରିପାରିନଥିଲେ । କାନ୍ଦିକାନ୍ଦି ମାଟିରେ ଗଡ଼ିଯାଉଥିଲେ ଚନ୍ଦନଙ୍କ ମା’ । ତେବେ ଚନ୍ଦନ ଓ ତାଙ୍କ ଝିଅ ନଦୀ ଡେଇଁବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ନିଖୋଜ ଚନ୍ଦନ ସୁରଟରେ ଚାକିରି କରୁଥିଲେ । ମାସେ ତଳେ ପତ୍ନୀ ଲକ୍ଷ୍ମୀପ୍ରିୟା ସେଠାରେ ଆତ୍ମହତ୍ୟା କରିବା ପରେ ଅଢ଼େଇ ବର୍ଷର ଝିଅକୁ ଧରି ଗାଁକୁ ଚାଲି ଆସିଥିଲେ । ତେବେ ମାନସିକ ଅବସାଦ ନା ଅନ୍ୟ କେଉଁ କାରଣରୁ ନଦୀକୁ ଡେଇଁବା ଭଳି ଚରମ ନିଷ୍ପତ୍ତି ନେଲେ ତାର କାରଣ ଜଣା ପଡ଼ିନାହିଁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *