ନୂଆ ଆଇଟି ନିୟମ ମାନିବା ସହ ସ୍ଥାୟୀ ଅଧିକାରୀ ନିଯୁକ୍ତ କଲା ଟ୍ୱିଟର

ନୂଆଦିଲ୍ଲୀ:ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଭାରତର ନୂଆ ଆଇଟି ନିୟମକୁ ମାନି ନେଇଛି । ଏଥିସହିତ କମ୍ପାନୀ ଭାରତରେ ସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି । ଏ ସମ୍ପର୍କିତ ତଥ୍ୟ ଦିଲ୍ଲୀ ହାଇକୋର୍ଟରେ ଉପସ୍ଥାପନ କରିଛି । ସରକାର ମେ’ ୨୫ ତାରିଖ ସମସ୍ତ ସୋଶିଆଲ ମିଡ଼ିଆ କମ୍ପାନୀଙ୍କୁ ନୂଆ ଆଇଟି ନିୟମ ଅନୁପାଳନ କରିବାକୁ କହିଥିଲା । ଆରମ୍ଭରୁ ଟ୍ୱିଟର ଏହି ନିୟମ ମାନିବାକୁ ପ୍ରସ୍ତୁତ ନଥିଲା । ହେଲେ ସରକାରଙ୍କ କଡା ଆଭିମୁଖ୍ୟ ପରେ ବାଧ୍ୟ ହୋଇ ଟ୍ୱିଟର ଏସବୁ ନିୟମକୁ ମାନି ନେଇଛି । ତେବେ ସରକାରଙ୍କ ପକ୍ଷରୁ କୁହାଯାଇଛି, ଟ୍ୱିଟର ପକ୍ଷରୁ ଦିଆଯାଇଥିଲା ପ୍ରମାଣପତ୍ର ଯାଞ୍ଚ କରିବା ପାଇଁ ସମୟ ଲାଗିବ । ସୋସିଆଲ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି, ଟ୍ୱିଇଟର ଜଣେ ସ୍ଥାୟୀ ଅଭିଯୋଗ ଅଧିକାରୀ (ଆରଜିଓ), ମୁଖ୍ୟ ଅନୁପାଳନ ଅଧିକାରୀ (ସିସିଓ) ଏବଂ ନୋଡାଲ୍ ଯୋଗାଯୋଗ ଅଧିକାରୀ (ଏନସିଓ) ନିଯୁକ୍ତ କରିଛି ।

ଏହି ସମସ୍ତ ନିଯୁକ୍ତି ଅଗଷ୍ଟ ୪ ରେ କରାଯାଇଛି । ଏଠି କହିରଖିବୁ, ଜଷ୍ଟିସ ପାଲ ସୋସିଆଲ ମିଡିଆ ଫର୍ମକୁ ଚଳିତ ବର୍ଷ ଫେବୃଆରୀ ସୁଦ୍ଧା ନୂତନ ଆଇଟି ନିୟମ ମାନିବାକୁ ଶେଷ ସୁଯୋଗ ଦେଇଥିଲେ । ଟ୍ୱିଟର ପକ୍ଷରୁ ଜଣେ ବରିଷ୍ଠ ଆଇନଜୀବୀ ସାଜନ ପୁବୈୟା କହିଛନ୍ତି, କମ୍ପାନୀର ନୂଆ ଆଇଟି ନିୟମ ଅନୁସାରେ ଅଗଷ୍ଟ ୪ରେ ଜଣେ ସିସିଓ, ଆରଜିଓ ଏବଂ ଜଣେ ଏନ୍‌ସିଓ ନିଯୁକ୍ତି ଦିଆଯାଇଛି । ଏହା ପୂର୍ବରୁ କୋର୍ଟ ଟ୍ୱିଟରର ଅସ୍ଥାୟୀ କମୀଚାରୀଙ୍କୁ ସିସିଓ ଭାବେ ନିଯୁକ୍ତି କରିବାଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଟ୍ୱିଟର ନୂଆ ଆଇଟି ନିୟମ ମାନୁ ନ ଥିବା କହିଥିଲେ । କୋର୍ଟ ଟ୍ୱିଇଟରକୁ କେବଳ ସିସିଓ ନିଯୁକ୍ତି ସମ୍ପର୍କିତ ତଥ୍ୟ ଦେବାକୁ କହି ନ ଥିଲେ ବରଂ ଆରଜିଓ ବିଷୟରେ ସୂଚନା ଦେବାକୁ ମଧ୍ୟ କହିଥିଲେ । ଏଥିସହିତ ନୋଡାଲ ସମ୍ପର୍କ ଅଧିକାରୀ ଏ ଯାଏ କାହିଁକି ନିଯୁକ୍ତି ହୋଇ ନାହାଁନ୍ତି ଏବଂ କେବେ ହେବେ ସେ ବିଷୟରେ ସ୍ପଷ୍ଟ କରିବାକୁ କହିଥିଲେ । ନୂଆ ଆଇଟି ନିୟମକୁ ନେଇ କେନ୍ଦ୍ର ଏବଂ ଟ୍ୱିଟର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଆସୁଥିଲା ।

ନୂଆ ନିୟମ ମାନିବାକୁ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ସରକାରଙ୍କ ପକ୍ଷରୁ ଅନ୍ତିମ ଚେତାବନୀ ଦିଆଯାଇଥିଲା । ଭାରତୀୟ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଟ୍ୱିଟରକୁ ଶେଷ ସୁଯୋଗ ଦେଇଥିଲେ ସରକାର । ଏଥିସହିତ ସରକାର ସ୍ପଷ୍ଟ କରିଥିଲେ , ଟ୍ୱିଟର ଏପରି ନକଲେ କମ୍ପାନୀ ପରିଣାମ ପାଇଁ ପ୍ରସ୍ତୁତ ହେବା ଉଚିତ । ନିୟମ ଉଲ୍ଲଂଘନ କଲେ ଆଇଟି ଆକ୍ଟ ୨୦୦୦ ର ଧାରା ୭୯ ଅନୁଯାୟୀ କୋହଳ ସୀମାକୁ ବାତିଲ କରାଯିବ ଏବଂ ଆଇଟି ଆକ୍ଟ ଏବଂ ଅନ୍ୟାନ୍ୟ ନିୟମ ଅନୁଯାୟୀ ଦଣ୍ଡବିଧାନ ପାଇଁ ଦାୟୀ ରହିବ ଟ୍ୱିଟର । ଏହାପୂର୍ବରୁ ମଧ୍ୟ କମ୍ପାନୀକୁ ଭାରତୀୟ ଅଧିକାରୀଙ୍କ ନିଯୁକ୍ତି ଓ ସବିଶେଷ ବିବରଣୀ ଦେବାପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଗୁଗୁଲ ଓ ଫେସବୁକ୍ ଗାଇଡଲାଇନ୍ ମାନିବାକୁ ରାଜି ଥିବାବେଳେ ନୂଆ ନିୟମ ମାନିବାକୁ ଅମଙ୍ଗ ହେଉଥିଲା ମାଇକ୍ରୋ ବ୍ଲଗିଂ କମ୍ପାମୀ ଟ୍ୱିଟର ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *