ଭିକାରିମୁକ୍ତ ଭୁବନେଶ୍ୱର ଯୋଜନା ଶିଥିଳ: ବେଢ଼ାରେ ରାତି, ରାସ୍ତାରେ କଟୁଛି ଦିନ

ଭୁବନେଶ୍ୱର: ରାଜ୍ୟର ମହାନଗର ନିଗମ ସମେତ ସମସ୍ତ ପୌରାଞ୍ଚଳକୁ ଭିକାରିମୁକ୍ତ କରାଯାଇ ପାରୁନାହିଁ । ଏପରିକି ସହରାଞ୍ଚଳରେ ଥିବା ଭିକାରି, ବୃଦ୍ଧ, ଅସହାୟ, ଶାରିରୀକ ଅକ୍ଷମଙ୍କୁ ଖାଦ୍ୟ ଯୋଗାଣ ପାଇଁ ହୋଇଥିବା ନିଷ୍ପତ୍ତି ବି କାର୍ଯ୍ୟକାରୀ ହୋଇନାହିଁ । ନିକଟରେ ସହରାଞ୍ଚଳରେ ଆଶ୍ରୟସ୍ଥଳ ସଂକ୍ରାନ୍ତରେ ହୋଇଥିବା ସମୀକ୍ଷାରୁ ଏହି ସୂଚନା ମିଳିଛି । ଚଳିତବର୍ଷ ଏପ୍ରିଲମାସରେ ବସିଥିବା ବୈଠକରେ ସହରାଞ୍ଚଳକୁ ଭିକାରିମୁକ୍ତ ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିସହ ଅସହାୟ, ଭିନ୍ନକ୍ଷମ ଓ ଭିକ୍ଷୁକଙ୍କୁ ଖାଦ୍ୟ ଯୋଗାଣ ପାଇଁ କୁହାଯାଇଥିଲା । ତେବେ କୌଣସି କାରଣ ପାଇଁ ଏହା ସମସ୍ତ ପୌରାଞ୍ଚଳରେ କାର୍ଯ୍ୟକାରୀ ହୋଇପାରିନାହିଁ । ଏହି ମର୍ମରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା କରାଯାଉଥିବା ଭିକାରିମୁକ୍ତ ଭୁବନେଶ୍ୱର ଅଭିଯାନ କେବଳ କଳ୍ପନାରେ ରହିଥିବା ଅଭିଯୋଗ ହୋଇଛି । ସହରରେ ମାଳ ମାଳ ଭିକାରି ରାସ୍ତା ଘାଟରେ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି । ମନ୍ଦିର ଆଗରେ ସେମାନେ ଭିକ୍ଷା ବୃତ୍ତି କରୁଥିବାବେଳେେ ବେଢ଼ାରେ ରାତି କାଟୁଥିବା ନଜରକୁ ଆସିଛି । ବିଶେଷ କରି ପ୍ରତ୍ୟେହ ଶୁକ୍ରବାର ଓ ଶନିବାର କଟକରୋଡ ସନ୍ତୋଷୀ ମା’ ମନ୍ଦିର, ବାଣୀବିହାର ଓ ସତ୍ୟ ନଗର ଶନିମନ୍ଦିରରେ ଏମାନଙ୍କ ଭିଡ଼ ନଜରକୁ ଆସୁଥିବା ନଜରକୁ ଆସିଛି । ଏମାନଙ୍କ ଥଇଥାନ ସକାଶେ ବିଏମ୍‌ସି ଘରୋଇ ଠିକା ସଂସ୍ଥାକୁ ଦାୟିତ୍ୱ ଦେଇଥିବାବେଳେ ସମୟାନୁକ୍ରମେ ଏହା ଶିଥିଳ ପଡ଼ିଥିବା ଅଭିଯୋଗ ହୋଇଛି ।
ବିଏମ୍‌ସି ସହରକୁ ଭିକାରିମୁକ୍ତ କରିବାପାଇଁ ‘ସହାୟ’ ନାମରେ କାର୍ଯ୍ୟକ୍ରମ ଚଳାଇଥିଲେ ମଧ୍ୟ ଏବେ ବି ସହରର ବିଭିନ୍ନ ସ୍ଥାନରେ ଭିକାରିମାନଙ୍କୁ ଦେଖିବାକୁ ମିଳୁଛି । ସହରର ଗଳିକନ୍ଦି ନୁହେଁ, ବରଂ ରାଜରାସ୍ତାର ବିଭିନ୍ନ ଛକ ସ୍ଥାନମାନଙ୍କରେ ପିଲାଙ୍କଠାରୁ ବୟସ୍କମାନେ ହାତ ପତାଉଛନ୍ତି । ଭିକ ମାଗିବାପାଇଁ ସେମାନେ ବିଭିନ୍ନ ପ୍ରକାର କୌଶଳ ଆପଣଉଥିବାରୁ ସେମାନଙ୍କୁ ସହଜରେ ଠାବ କରାଯାଇ ପାରୁନାହିଁ । ସହରର ପ୍ରମୁଖ ଛକ ବିଶେଷକରି ପାୱାରହାଉସ, କଳିଙ୍ଗ ହସ୍ପିଟାଲ, ଡମଣା ଆଦି ଛକରେ ଗାଡିମୋଟର ରହିଲାମାତ୍ରେ ପିଲା ଓ ବୟସ୍କମାନେ ହାତରେ ବିଭିନ୍ନ ଖେଳନା ଓ ଘରକରଣା ସାମଗ୍ରୀ ଧରି ଗାଡି ନିକଟକୁ ଆସୁଛନ୍ତି । କେତେବେଳେ ଲୋକଙ୍କୁ ସେମାନଙ୍କ ସାମଗ୍ରୀ ଖରିଦ ପାଇଁ କହୁଛନ୍ତି ତ ଆଉ କେତେବେଳେ ହାତ ପତାଇ ପଇସା ମାଗୁଛନ୍ତି । ଏମାନଙ୍କ ହାତରେ ବିକ୍ରି ଯୋଗ୍ୟ ସାମଗ୍ରୀ ଥିବାରୁ ସେମାନଙ୍କୁ ଧରିବା ସହଜ ହେଉନାହିଁ ।
ସେହିଭଳି ଏବେ କିଛି ବ୍ୟକ୍ତି ବିଭିନ୍ନ ୟୁନିଟ୍‌ର ଗଳିକନ୍ଦିରେ ଯାଇ ଭିକ୍ଷାବୃତ୍ତି କରୁଛନ୍ତି । ଗାଈ ମରିବାଠାରୁ ଆରମ୍ଭ କରି ଘରପୋଡି ଓ ଚିକିତ୍ସା ସହାୟତା ପାଇଁ ଅର୍ଥ ମାଗୁଛନ୍ତି । ତେଣୁ ଏମାନଙ୍କୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ତାହା ଏବେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ଭିକ୍ଷାବୃତ୍ତି ଭଳି ଘୃଣ୍ୟ କାର୍ଯ୍ୟରୁ ଯେଉଁମାନଙ୍କୁ ବିଏମ୍‌ସି ଉଦ୍ଧାର କରୁଛି ସେମାନଙ୍କୁ ଏବେ ବିଭିନ୍ନ ଆତ୍ମନିଯୁକ୍ତି ଯୋଜନାରେ ସାମିଲ କରି ସେମାନଙ୍କ ଜୀବନର ଗତିପଥ ବଦଳାଇବାରେ ଲାଗିଛି । ଧୂପକାଠି ତିଆରି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଘରକରଣା ସାମଗ୍ରୀ ତିଆରି ପ୍ରତି ଲୋକେ ଆଗ୍ରହ ପ୍ରକାଶ ସହିତ ଭିକ୍ଷାବୃତ୍ତି ଭଳି କାର୍ଯ୍ୟକୁ ଆଉ ନଫେରିବାକୁ ସ୍ଥିର କରିଛନ୍ତି । ତେବେ ରାଜଧାନୀରେ ବହୁ ଅଣଓଡିଆ ଭିକାରିଙ୍କ ଆର୍ବିଭାବ ହେଉଥିବାରୁ ସେମାନଙ୍କୁ ଉଦ୍ଧାର ଓ ଥଇଥାନ କର୍ତ୍ତୃପକ୍ଷଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି ।
ସୂଚନାଥାଉ କି, ବିଏମ୍‌ସିର ୩ ଜୋନ୍‌ରେ ଭିକାରୀଙ୍କ ଥଇଥାନ କରିବା ପାଇଁ ୩ଟି ଆଶ୍ରୟସ୍ଥଳ ରହିଛି । ଯାହାର ପରିଚାଳନା ଦାୟିତ୍ୱ ଘରୋଇ ଠିକା ସଂସ୍ଥାକୁ ଦିଆଯାଇଛି । ଗୋଟିଏ ଆଶ୍ରୟସ୍ଥଳରେ ଶିଶୁ ଓ ମହିଳାଙ୍କୁ ଥଇଥାନ କରାଯାଇଥିବାବେଳେ ଆଉ ୨ଟିରେ ବୃଦ୍ଧ ଓ ମାନସିକ ବିକାରଗ୍ରସ୍ତଙ୍କୁ ଥଇଥାନ କରାଯାଇଛି । ସେମାନଙ୍କୁ ପ୍ରତ୍ୟେହ ଦିନ ଖାଦ୍ୟ ସହ ଆଶ୍ରୟ ଯୋଗାଇ ଦିଆଯାଉଛି । ଏହା ସହ ସେମାନଙ୍କ ଦ୍ୱାରା ହୋଇପାରୁଥିବା କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରାଯାଉଛି । ଏହି ସବୁ କାର୍ଯ୍ୟ କରି ସମ୍ପୃକ୍ତ ଭିକ୍ଷୁକମାନେ ରୋଜଗାର ହାସଲ କରୁଛନ୍ତି ଓ ନିଜକୁ ମୁଖ୍ୟସ୍ରୋତକୁ ସାମିଲ କରୁଥିବା ବିଏମ୍‌ସି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ହେଲେ ସହରରେ ଅଧିକ ମାତ୍ରାରେ ଭିକାରି ଉପସ୍ଥିତ ଥିବାବେଳେ ସମସ୍ତଙ୍କୁ କିପରି ଥଇଥାନ କରାଯାଇପାରିବ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟିି ହୋଇଛି । ଅଧିକ ସଂଖ୍ୟକ ଆଶ୍ରୟସ୍ଥଳ କରିବାକୁ ବିଏମ୍‌ସି ପ୍ରତିଶ୍ରୁତିବଦ୍ଧ ଥିବାବେଳେ ଏଯାବତ୍ କିଛି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ଭୁବନେଶ୍ୱରକୁ ଭିକାରିମୁକ୍ତ କରିବା ଲକ୍ଷ୍ୟ ଏବେ ବିଏମ୍‌ସି ହାତରୁ ଧୀରେ ଧୀରେ ଖସିବାରେ ଲାଗିଥିବା ସାଧାରଣରେ ପ୍ରକାଶ ପାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *