ପାକିସ୍ତାନ ଓ ଚୀନକୁ ଚିନ୍ତାଜନକ ରାଷ୍ଟ୍ର ତାଲିକାରେ ରଖିଲା ଆମେରିକା

ୱାଶିଂଟନ: ଧାର୍ମିକ ସ୍ୱାଧୀନତା ଉଲ୍ଲଂଘନ ଘଟଣା ପାଇଁ ପାକିସ୍ତାନ ଓ ଚୀନକୁ ଆମେରିକା ଚିନ୍ତାଜନକ ରାଷ୍ଟ୍ର ତାଲିକାରେ ସ୍ଥାନ ଦେଇଛି । ଏଥିସହିତ ଅଲ ଶବାବ, ବୋକୋ ହାରାମ, ହୟାତ ତାହରିତ ଅଲ ଶାମ୍‌, ହାଉଥିସ, ଆଇଏସଆଇଏସ, ଆଇଏସଆଇଏସ-ଗ୍ରେଟର ସାହରା, ଆଇଏସଆଇଏସ-ୱେଷ୍ଟ ଆଫ୍ରିକା, ଜମାତ ନସର ଅଲ ଇସଲାମ ୱାଲ ମୁସଲିମିନ ଏବଂ ତାଲିବାନ ଭଳି ସଂଗଠନକୁ ବିଶେଷ ଚିନ୍ତାଜନକ ତାଲିକାରେ ରଖିଛି । ଆମେରିକା ପକ୍ଷରୁ ଜାରି ଚିନ୍ତାଜନକ ରାଷ୍ଟ୍ର ତାଲିକାରେ ପାକିସ୍ତାନ ଓ ଚୀନ ସହିତ ଇରାନ, ଉତ୍ତରକୋରିଆ ଏବଂ ମିଆଁମାର ଆଦି ରାଷ୍ଟ୍ର ରହିଛନ୍ତି । ଆମେରିକାରେ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ଯେ, ଧାର୍ମିକ ସ୍ୱାଧୀନତାର ବ୍ୟାପକ ଉଲ୍ଲଂଘନ ଘଟଣାରେ ନିୟୋଜିତ ଥିବା ଚୀନ, ଏରିଟ୍ରିଆ, ଇରାନ, ଡିପିଆରକେ, ପାକିସ୍ତାନ, ରୁଷ, ସାଉଦିଆରବ, ତାଜିକିସ୍ତାନ ଏବଂ ତୁର୍କମେନିସ୍ତାନ ଭଳି ରାଷ୍ଟ୍ରକୁ ସେ ନିର୍ଦ୍ଦିଷ୍ଟ ଚିନ୍ତାଜନକ ରାଷ୍ଟ୍ର ତାଲିକାରେ ସ୍ଥାନିତ କରିଛନ୍ତି । ଆଲଜେରିଆ, କମୋରସ,କ୍ୟୁବା ଏବଂ ନିକାରାଗୁଆ ଆଦି ରାଷ୍ଟ୍ରକୁ ସ୍ୱତନ୍ତ୍ର ନିରୀକ୍ଷଣକାରୀ ତାଲିକାରେ ସ୍ଥାନ ଦିଆଯାଇଛି । ପ୍ରତ୍ୟେକ ରାଷ୍ଟ୍ରରେ ଧର୍ମୀୟ ସ୍ୱାଧୀନତା ଅଥବା ବିଶ୍ୱାସ ପ୍ରତି ପ୍ରତିବଦ୍ଧତାରୁ ଆମେରିକା ଓହରିବ ନାହିଁ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇ ବ୍ଲିଙ୍କେନ କହିଛନ୍ତି, ବିଶ୍ୱରେ ଧର୍ମୀୟ ସ୍ୱାଧୀନତା ପ୍ରତି ସଂପ୍ରତି ଦେଖାଦେଇଥିବା ଆପଦ ଯୋଜନାବଦ୍ଧ, ବ୍ୟବସ୍ଥିତ ଏବଂ ଗଭୀର ଚିନ୍ତାଜନକ ହୋଇଛି । ଏଭଳି ଉଲ୍ଲଂଘନ ପ୍ରତ୍ୟେକ ରାଷ୍ଟ୍ରରେ ଘଟୁଛି । ସମସ୍ତ ରାଷ୍ଟ୍ର ସେମାନଙ୍କ ଆଇନ ଏବଂ କାର୍ଯ୍ୟାଭ୍ୟାସରେ ଏ କ୍ଷେତ୍ରରେ ରହୁଥିବା ତ୍ରୁଟି ବିଚ୍ୟୁତି ସୁଧାରିବା ଏବଂ ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଧରିବାକୁ ଆମେରିକା ସମସ୍ତ ରାଷ୍ଟ୍ର ଉପରେ ଚାପ ପକାଇବ । ସମଗ୍ର ବିଶ୍ୱରେ ଧର୍ମୀୟ ସ୍ୱାଧୀନତାକୁ ଆଗେଇନେବା ଏବଂ ଜଣେ ନିଜର ବିଶ୍ୱାସକୁ ନେଇ ସମ୍ମୁଖୀନ ହେଉଥିବା ଦୁର୍ବ୍ୟବହାର, ଅତ୍ୟାଚାର ଏବଂ ପାତର ଅନ୍ତର ମୂଳକ ପରିସ୍ଥିତିର ସମାଧାନ କରିବାକୁ ଆମେରିକା ପ୍ରଶାସନ ବିଶ୍ୱର ସମସ୍ତ ରାଷ୍ଟ୍ରର ସରକାର, ନାଗରିକ ସଂଗଠନ ଏବଂ ଧର୍ମୀୟ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ପ୍ରତିବଦ୍ଧ ରହିଥିବା ବ୍ଲିଙ୍କେନ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *