ତାଲିବାନର ଫୁଡ୍ ଫର୍ ୱାର୍କ ଯୋଜନା ଆରମ୍ଭ

କାବୁଲ୍‌: ଆଫଗାନିସ୍ତାନର ତାଲିବାନ ସରକାର ଦେଶରେ କ୍ଷୁଧା ବିରୋଧରେ ଲଢ଼େଇ ପାଇଁ ରବିବାର ଏକ ନୂଆ ଯୋଜନା ଆରମ୍ଭ କରିଛି । ଏହି ଯୋଜନା ମାଧ୍ୟମରେ ହଜାର ହଜାର ଲୋକଙ୍କୁ କାମ ବଦଳରେ ଗହମ ପ୍ରଦାନ କରାଯିବ । ଏହି ଯୋଜନା ଦେଶର ସମସ୍ତ ବଡ଼ ବଡ଼ ସହରରେ କାର୍ଯ୍ୟକାରୀ ହେବ ଏବଂ ରାଜଧାନୀ କାବୁଲ୍‌ରେ କେବଳ ୪୦ ହଜାର ପୁରୁଷଙ୍କୁ ଏହି ସ୍କିମ୍‌ରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ତାଲିବାନ ସରକାରଙ୍କ ମୁଖ୍ୟ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି । ସେ କହିଛନ୍ତି ବେକାରୀ ସମସ୍ୟା ବିରୋଧରେ ଲଢ଼େଇ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ତେବେ ଏଥିପାଇଁ ଶ୍ରମିକମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ସେ ସୂଚାଇଛନ୍ତି । ଗରିବୀ, ମରୁଡ଼ି, ବିଦ୍ୟୁତ୍ ଅଭାବ ଏବଂ ଭୁଶୁଡ଼ି ପଡ଼ିଥିବା ଅର୍ଥନୀତିକୁ ନେଇ ଯୁଝୁଥିବା ଆଫଗାନିସ୍ତାନରେ ଆଗାମୀ ଶୀତ ଋତୁରେ ଏହି ପରିସ୍ଥିତି ଭୟଙ୍କର ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ବେକାର ଥାଇ ଆଗାମୀ ଶୀତ ଋତୁରେ ଖାଦ୍ୟ ଅଭାବକୁ ନେଇ ବିଶେଷ ଭାବେ ପ୍ରଭାବିତ ହେବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଆରମ୍ଭ କରାଯାଇଥିବା ତାଲିବାନର ଏହି ଫୁଡ୍ ଫର୍ ୱାର୍କ ଯୋଜନାରେ ଶ୍ରମିକଙ୍କୁ କୌଣସି ଅର୍ଥ ପ୍ରଦାନ କରାଯିବ ନାହିଁ । ଦୁଇମାସ ପାଇଁ ଚାଲିବାକୁ ଥିବା ଏହି ଯୋଜନାରେ ରାଜଧାନୀ କାବୁଲ୍‌ରେ କେବଳ ୧୧,୬୦୦ ଟନ୍ ଏବଂ ଦେଶର ଅନ୍ୟ ସହରରେ ପ୍ରାୟ ୫୫ ହଜାର ଟନ୍ ଗହମ ବିତରଣ କରାଯିବ । ଅନ୍ୟ ସହରଗୁଡ଼ିକ ହେଲା ହେରାତ୍‌, ଜଲାଲାବାଦ୍‌, କାନ୍ଦାହାର, ମଜାର-ଏ-ଶରିଫ୍ ଏବଂ ପୋଲ୍ ଏ ଖୋମରି । ମରୁଡ଼ିର ମୁକାବିଲା ନିମନ୍ତେ ଏହି ସ୍କିମ୍ ଅଧୀନରେ ଶ୍ରମିକମାନଙ୍କୁ କାବୁଲ୍‌ରେ ୱାଟର ଚାନେଲ୍ ଓ କ୍ୟାଚ୍‌ମେଣ୍ଟ୍‌ନ୍ ଖୋଳିବା କାର୍ଯ୍ୟରେ ନିୟୋଜିତ କରାଯିବ । କାବୁଲ୍‌ର ରିଶ ଖୋର୍‌ରେ ଆୟୋଜିତ ଏକ ସମାରୋହରେ ମୁଜାହିଦ୍‌ଙ୍କ ସମେତ କୃଷି ମନ୍ତ୍ରୀ ଅବ୍‌ଦୁଲ୍ ରହମାନ୍ ରଶିଦ ଏବଂ କାବୁଲ୍ ମେୟର୍ ହମଦୁଲ୍ଲା ନୋମାନି ରିବନ୍ କାଟି ଏହି ସ୍କିମ୍‌ର ଉଦ୍ଘାଟନ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *