ସମଲେଇ ବିକାଶ ପାଇଁ ଥଇଥାନ ଓ ପୁନର୍ବାସ ପ୍ୟାକେଜ

-ଅନୁମୋଦନ ସହ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ
-ଆକର୍ଷଣୀୟ କ୍ଷତିପୂରଣ ବ୍ୟବସ୍ଥା
-ପୂଜାରୀଙ୍କୁ ଜମି ବଦଳରେ ଜମି
ଭୁବନେଶ୍ୱର : ସମଲେଇ ବିକାଶ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥିରେ ଉଭୟ ସରକାରୀ ଓ ବେସରକାରୀ ଜମିରେ ଘର ବା ଦୋକାନ କରିଥିବା ଲୋକଙ୍କ ପାଇଁ ସଂପୂର୍ଣ୍ଣ ଥଇଥାନ ବ୍ୟବସ୍ଥା କରାଯାଇଛି । ପ୍ୟାକେଜକୁ ଅନୁମୋଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ ସମଲେଶ୍ୱରୀଙ୍କ କ୍ଷେତ୍ରର ଉନ୍ନତି ପାଇଁ ସ୍ଥାନୀୟ ଜନସାଧାରଣ ଯେଉଁ ତ୍ୟାଗ କରିଛନ୍ତି, ତାକୁ ଯୁଗ ଯୁଗ ଧରି ଆମର ଉତ୍ତରପୀଢି ମନେରଖିବେ । ଏହା ସହିତ ପ୍ରକଳ୍ପକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ସମ୍ବଲପୁରର ପ୍ରସିଦ୍ଧ \”ମା’ ସମଲେଶ୍ୱରୀ ମନ୍ଦିର ତଥା ଆଖପାଖ ଅଞ୍ଚଳର ବିକାଶ ପାଇଁ ସମଲେଇଯୋଜନା’ କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ପାଇଁ ଜନସାଧାରଣଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଥିଲା । ଏଥିରେ ଡିଜାଇନ, ପରିବହନ, ନଦୀ ସମ୍ମୁଖଭାଗର ଉନ୍ନତିକରଣ ଓ ଅନ୍ୟାନ୍ୟ ବ୍ୟବସ୍ଥା ସହିତ ଆକର୍ଷଣୀୟ ଥଇଥାନ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରସ୍ତାବ ଆସିଥିଲା । ଏହିସବୁ ପ୍ରସ୍ତାବକୁ ଦୃଷ୍ଟିରେ ରଖି ଥଇଥାନ ଓ ପୁନର୍ବାସ ପ୍ୟାକେଜ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମସ୍ତ କାର୍ଯ୍ୟ ପାଇଁ ଲୋକଙ୍କ ଠାରୁ ମତାମତ ସଂଗ୍ରହ ଜାରି ରହିଛି । ଆବଶ୍ୟକ ସ୍ଥଳେ ଲୋକଙ୍କ ମତାମତା ଅନୁଯାୟୀ ଏହାକୁ ଆହୁରି ଆକର୍ଷଣୀୟ କରାଯିବ । ସଂପୂର୍ଣ୍ଣ ସମଲେଇ ଯୋଜନାକୁ ମଇ ୧୫ ତାରିଖ ସୁଦ୍ଧା ପ୍ରସ୍ତୁତ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଥଇଥାନ ଓ ପୁନର୍ବାସ ପ୍ୟାକେଜରେ ବ୍ୟବସ୍ଥା କରାଯାଇଛି । ବେସରକାରୀ ଜାଗାରେ ଘର କରିଥିବା ଲୋକଙ୍କ ଜମିକୁ ସିଧାସଳଖ କିଣାଯାଇ ଅଧିଗ୍ରହଣ କରାଯିବ ଏବଂ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ।

ମନ୍ଦିରର ପୂଜାରୀମାନଙ୍କୁ ଜମି ବଦଳରେ ଜମି ପ୍ରଦାନର ସୁବିଧା ରହିବ । ଯଦି ପ୍ରଦାନ କରାଯାଉଥିବା ଜମିର ମୂଲ୍ୟ ପୂଜାରୀଙ୍କ ମୂଳ ଜମିର ବଜାର ଦର ଠାରୁ କମ୍ ରୁହେ, ତେବେ ମୂଲ୍ୟର ପାର୍ଥକ୍ୟ ଅନୁଯାୟୀ କ୍ଷତିପୂରଣ ଟଙ୍କା ଆକାରରେ ମଧ୍ୟ ପ୍ରଦାନ କରାଯିବ । ଏହା ସହିତ ପୂଜାରୀଙ୍କୁ ୨୦ ଲକ୍ଷ ଟଙ୍କାର ପୁନର୍ବାସ ଭତ୍ତା କିମ୍ବା ତାଙ୍କ ଘରର ମୂଲ୍ୟ, ଯାହା ଅଧିକ ଥିବ, ତାକୁ ପ୍ରଦାନ କରାଯିବ । ପରିବହନ ଓ ଅନ୍ୟାନ୍ୟ ସୁବିଧା ପାଇଁ ୧ ଲକ୍ଷ ଟଙ୍କା ତୁରନ୍ତ ପ୍ରଦାନ କରାଯିବ । ପ୍ରତ୍ୟେକ ପରିବାରକୁ ୧୨ ମାସ ପାଇଁ ୧୦ ହଜାର ଟଙ୍କା ଘରଭଡା ଦିଆଯିବ । ଯେଉଁ ପୂଜାରୀମାନଙ୍କର ଘର ନଥିବ, ସେମାନଙ୍କ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା ଜରିଆରେ ଉପଯୁକ୍ତ ପୁନର୍ବାସ ପ୍ୟାକେଜ ଦିଆଯିବ । ବେସରକାରୀ ଜାଗାର ପଟ୍ଟା ଥିବା ସବୁ ଦୋକାନ ମାଲିକମାନଙ୍କ ଠାରୁ ଜମିକୁ ସିଧାସଳଖ କିଣାଯିବ ।

କ୍ଷତିପୂରଣ ଆଇନ ୨୦୧୩ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ । ଦୋକାନକୁ ଅନ୍ୟଜାଗାରେ ଅବସ୍ଥାପିତ କରିବା ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଦୁଇଟି ସମାନ କିସ୍ତିରେ ପ୍ରଦାନ କରାଯିବ । ଉଚ୍ଛେଦପ୍ରକ୍ରିୟା ଆରମ୍ଭରୁ ଗୋଟିଏ କିସ୍ତି ଏବଂ ସଂପତ୍ତି ଅଧିଗ୍ରହଣ ପରେ ଆଉ ଏକ କିସ୍ତି ପ୍ରଦାନ କରାଯିବ । ସରକାରୀ ଜାଗାରେ ଥିବା ଛୋଟ ଛୋଟ କଚ୍ଚା ଘର କିମ୍ବା ଆଂଶିକ ପକ୍କା ଘର ଥିବା ପରିବାରକୁ ଏକକାଳୀନ ୫୦ ହଜାର ଟଙ୍କା କିମ୍ବା ଘରର ମୂଲ୍ୟ, ଯାହା ଅଧିକ ଥିବା ତାହା ଦିଆଯିବ । ଏହାସହିତ ଲୋକଙ୍କ ପୁନର୍ବାସ ପାଇଁ ୬୫୦ ବର୍ଗଫୁଟ ଅଞ୍ଚଳର ଜାଗା ଦିଆଯିବ । ବଡ ବଡ ପକ୍କା ଘର ଥିବା ବସ୍ତିର ପରିବାର ଗୁଡିକୁ ଘରର ମୂଲ୍ୟ ଏବଂ ୬୫୦ ବର୍ଗଫୁଟର ଜାଗା ଦିଆଯିବ ଓ ସମ୍ବଲପୁର ମହାନଗର ନିଗମ ଦ୍ୱାରା ପରିବହନ, ୮ ଦିନ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯିବ ।ପ୍ରତ୍ୟେକ ପରିବାର ପାଇଁ ଘରର ବଜାର ଦର ଅନୁଯାୟୀ କ୍ଷତିପୂରଣ ଦିଆଯିବ ଓ ପ୍ରତ୍ୟେକ ପରିବାର ପାଇଁ ୨,୫୭,୪୭୫ ଟଙ୍କା ପୁନର୍ବାସ ସହାୟତା ମିଳିବ ଓ ଅନ୍ୟସ୍ଥାନକୁ ଯିବା ପାଇଁ ପରିବାର ପିଚ୍ଛା ଏକକାଳୀନ ୫୦ ହଜାର ଟଙ୍କା ସହାୟତା ମିଳିବ ଓ ସରକାରୀ ଜାଗାରେ ଥିବା ଅନଧିକୃତ ଦୋକାନ ଘରଭଂଗାଯିବ ଓ ଆଶିଂକ ପକ୍କା ଘର ଥିବା ଦୋକାନ ଘର ଏକକାଳୀନ ୩୦ ହଜାର ଟଙ୍କା ଓ ସଂପୂର୍ଣ୍ଣ ପକ୍କା ଘର ପାଇଁ ଏକକାଳୀନ ୫୦ ହଜାର ଟଙ୍କା ସହାୟତା ଦିଆଯିବ ।

ସରକାରୀ ଜାଗାରେ ଥିବା ଉଠାଦୋକାନୀ ଓ ଉଠାଦୋକାନୀ ମାନଙ୍କୁ ୩୦ ହଜାର ଟଙ୍କା ଦୁଇଟି ସମାନ କିସ୍ତିରେ ପ୍ରଦାନ କରାଯିବ ।ସେମାନଙ୍କ ପାଇଁ ଏକ ଷ୍ଟ୍ରିଟ ଭେଣ୍ଡିଂ ପ୍ଲାନ କରାଯିବ ଏବଂ କ୍ଷତିଗ୍ରସ୍ତ ଦୋକାନୀ ମାନଙ୍କୁ ଦୋକାନ ପାଇଁ ଜାଗା ଦିଆଯିବ । ସରକାରୀ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସଂସ୍ଥାକୁ ସହାୟତା ଦିଆଯିବ ଓ ସମ୍ବଲପୁର ଜିଲ୍ଲାପାଳ ସରକାରୀ କାର୍ଯ୍ୟାଳୟ ଗୁଡିକ ପାଇଁ ଅନ୍ୟତ୍ର ସାମୟିକ ବ୍ୟବସ୍ଥା କରିବେ ଏବଂ ସେମାନଙ୍କୁ ସରକାରୀ ଜାଗାରେ ଅଫିସ ବିଲ୍ଡିଂ କରିବା ପାଇଁ ସ୍ଥାନ ଯୋଗାଇ ଦେବେ । ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ଥଇଥାନ କରାଯିବ ଓ ପ୍ରକଳ୍ପ ଅଞ୍ଚଳରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ଏକ ସଂପୂର୍ଣ୍ଣ ଥଇଥାନ ଯୋଜନା କରାଯିବ । ଏହାକୁ ସମ୍ବଲପୁର ମହାନଗର ନିଗମ ଦ୍ୱାରା କାର୍ଯ୍ୟକାରୀ କରାଯିବ । ଏଥିରେ ଭୋକେସନାଲ ଟ୍ରେନିଂ, ଆର୍ôଥକ ସହାୟତା, ସ୍ୱାସ୍ଥ୍ୟ ସହାୟତା, ରେସନ କାର୍ଡ ବ୍ୟବସ୍ଥା, ସ୍ଥାନୀୟ ସମ୍ବଳର ଉପଯୋଗ, ଆଶ୍ରୟ ଘର ଏବଂ ଏମବିପିୱାୟୀ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବସ୍ଥା ରହିବ । ସରକାରୀ ଜମିରେ ଥିବା ଧାର୍ମିକ ଅନୁଷ୍ଠାନ ଓ କ୍ଲବ ଏହିସବୁ ସଂସ୍ଥାଗୁଡିକୁ ଏକକାଳୀନ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ । ଏହି ଆଲୋଚନାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *