ପଙ୍କଜ କୁମାର ହତ୍ୟା ଘଟଣାର ଫର୍ଦ୍ଦାଫାଶ

ଝାରସୁଗୁଡା: ସଦରଥାନା ଅନ୍ତର୍ଗତ ଇବ୍ ସେତୁ ନିକଟରୁ ଗତକାଲି ସକାଳେ ମିଳିଥିବା ପଙ୍କଜ କୁମାରଙ୍କ ମୃତଦେହ ଘଟଣାର ଆଜି ପୁଲିସ ପର୍ଦ୍ଦାଫାଶ କରିଛି । ପଙ୍କଜଙ୍କୁ ବ୍ରଜରାଜନଗର ଓରିଏଣ୍ଟ୍ ଥାନା ଅନ୍ତର୍ଗତ କାଳୀ ମନ୍ଦିର ନିକଟରେ ଗୁଳି କରି ହତ୍ୟା କରିବା ପରେ ଅଭିଯୁକ୍ତମାନେ ଇବ ନଦୀ ନିକଟରେ ଫିଙ୍ଗିଦେଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହାସହ ପଙ୍କଜକୁ ହତ୍ୟା କରିଥିବା ବାପ, ପୁଅ ଓ ଅନ୍ୟ ଜଣେ ସହଯୋଗୀକୁ ପୁଲିସ ଗିରଫ କରିଥିବା ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ପଦମପୁର ଅଞ୍ଚଳର ମୀନକେତନ ବେହେରା(୪୮), ତାଙ୍କ ପୁଅ ବାଦଲ ବେହେରା(୧୮) ଏବଂ ସହଯୋଗୀ ଅନୁଗୁଳର ପୂର୍ଣ୍ଣଚନ୍ଦ୍ର ନାଏକ(୩୧) । ସୂଚନା ଅନୁଯାୟୀ, ପଙ୍କଜଙ୍କ ଘର ବିହାର ରାଜ୍ୟ ଲଖିସରାଇ ଜିଲ୍ଲା ବାହାରିଆ ପୁଲିସ ଷ୍ଟେସନ ଅନ୍ତର୍ଗତ ଇନ୍ଦଟୋଲ ଗ୍ରାମରେ ହୋଇଥିବାବେଳେ ସେ କିଛି ବର୍ଷ ହେବ ବ୍ରଜରାଜନଗର କାଳୀ ନଗର ଅଞ୍ଚଳରେ ଭଡ଼ାଘରେ ରହୁଥିଲେ । ପଙ୍କଜ ବ୍ରଜରାଜନଗର ଆସିବାପରେ ମୀନକେତନ, ବାଦଲ ଏବଂ ପୂର୍ଣ୍ଣଚନ୍ଦ୍ରଙ୍କ ସହ ବନ୍ଧୁତା ହୋଇଥିଲା ।

ପରେ ସମସ୍ତେ ମିଶି ବ୍ରଜରାଜନଗର ଅଞ୍ଚଳରେ ଖୁଚୁରା ଆକାରରେ ମଦ ବେପାର ଆରମ୍ଭ କରିଥିଲେ । ମଦ ବେପାରରୁ ବେଶ୍ ଦି’ ପଇସା ଲାଭ ହେବାରୁ ସେମାନଙ୍କ ମଧ୍ୟରେ ଭାଗବଣ୍ଟାକୁ ନେଇ ବେଳେବେଳେ ବଚସା ମଧ୍ୟ ହେଉଥିଲା । ସବୁଦିନ ପାଇଁ ପଙ୍କଜକୁ ମଦ ବେପାରରୁ ହଟାଇ ଦେବା ପାଇଁ ମୀନକେତନ ଏବଂ ତାଙ୍କ ପୁଅ ବାଦଲ ଯୋଜନା କରି ଗତ ୨୦ ତାରିଖ ରାତିରେ ମୀନକେତନ, ପୂର୍ଣ୍ଣଚନ୍ଦ୍ର ଓ ବାଦଲ ମିଶି ପଙ୍କଜକୁ କାଳୀ ମନ୍ଦିର ନିକଟକୁ ଡାକିବା ସହ ସେଠାରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହାପରେ ଏକ ବାଇକ୍ ଯୋଗେ ପଙ୍କଜଙ୍କର ମୃତଦେହକୁ ଆଣି ଇବ୍ ସେତୁ ନିକଟସ୍ଥ ଏକ ବୁଦାମୂଳେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ ।

ଗତକାଲି ସକାଳେ ସ୍ଥାନୀୟ ଲୋକେ ଏକ ମୃତଦେହ ପଡ଼ିଥିବାର ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବାସହ ବ୍ରଜରାଜନଗର ଏସଡିପିଓ ଦିଲ୍ଲୀପ ଦାସ, ଝାରସୁଗୁଡ଼ା ଏସଡିପିଓ ନିର୍ମଳ ମହାପାତ୍ର, ଇନ୍ସପେକ୍ଟର କଲ୍ୟାଣୀ ବେହେରା, ଏସଆଇ ପି. କେ, ସ୍ୱାଇଁ, ରବୀନ୍ଦ୍ର ଭଏଁଷା, ମହେଶ୍ୱର ପାଣୀଗ୍ରାହୀ, ଏଏସଆଇ ସଞ୍ଜୟ ସାହୁ ଏବଂ ସାଇବର ସେଲର ଏକ ସ୍ୱତନ୍ତ୍ର ଟିମ ଗଠନ କରି ଛାନଭିନ ଆରମ୍ଭ କରିଥିଲା । ଗୋଟିଏ ରାତି ଖୋଳତାଡ଼ ପରେ ପୁଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ ସହ ହତ୍ୟାରେ ବ୍ୟବହୃତ ବନ୍ଧୁକ, ଗୁଳି ଏବଂ ବାଇକ୍ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପ୍ରକାଶ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *