ଜିଲ୍ଲା ସ୍ତରରେ କୋଭିଡ୍ ମୁକାବିଲା ପାଇଁ ୨୧ ଅଧିକାରୀଙ୍କୁ ଦାୟିତ୍ୱ ଦେଲେ ସରକାର
ଭୁବନେଶ୍ୱର: କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ମୁକାବିଲା ଲାଗି ଓଡ଼ିଶା ସରକାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲାସ୍ତରରେ ମୁତୟନ କରିଛନ୍ତି । ସେମାନେ କୋଭିଡ୍ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲାସ୍ତରରେ କାମ କରିବେ । ଏହି ଅଧିକାରୀ ମାନଙ୍କ ଭିତରୁ ଭୁବନେଶ୍ୱର ମହାନଗର ନିଗମରେ ସଂକ୍ରମଣ ପ୍ରତିରୋଧ କାର୍ଯ୍ୟକ୍ରମ ତଦାରଖ ଦାୟିତ୍ୱ ନେବେ ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ଓ ଡକ୍ଟର ଏନ୍.ତିରୁମାଳା ନାୟକ । ସେହିପରି ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲା ଦାୟିତ୍ୱରେ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧୁସୂଦନ ପାଢୀଙ୍କୁ ଦିଆଯାଇଥିବା ବେଳେ ବଲାଙ୍ଗିର, ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲା ଦାୟିତ୍ୱରେ ସତ୍ୟବ୍ରତ ସାହୁ ଓ ବେଣୁଧର ବେହେରାଙ୍କୁ ସ୍ୱତନ୍ତ୍ର ଭାବରେ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି ।
ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ନିକୁଞ୍ଜ ବିହାରୀ ଧଳଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ଦିଆଯାଇଥିବା ବେଳେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୃଷ୍ଟିଙ୍କୁ ନିଯୁକ୍ତ କରାଯାଇଛି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଜି. ମାଥି ଭାଥନନ, ଯାଜପୁର-ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ହେମନ୍ତ ଶର୍ମା ଓ ଡ. ସୁରେଶ ଚନ୍ଦ୍ର ଦଳାଇଙ୍କୁ ନିଯୁକ୍ତ କରାଯାଇଛି ।
ସେହିଭଳି ସମ୍ବଲପୁର ଓ ସୋନପୁର ଜିଲ୍ଲାରେ କୋଭିଡ୍ ପର୍ଯ୍ୟବେକ୍ଷକ ଭାବେ ଚିତ୍ରା ଅରୁ ମୁଗମଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସାଶ୍ୱତ ମିଶ୍ର ଓ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ କଳାହାଣ୍ଡି-କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । କୋରାପୁଟ-ମାଲକାନଗିରି-ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା ପାଇଁ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବେ ଭି.ଭି ଯାଦବ ଓ ରସିଦ୍ ଖାନ୍ । ଗଜପତି ଜିଲ୍ଲା ପାଇଁ ଟି. ୱାପଙ୍ଗ ଆଓଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ବେଳେ ଅନୀଲ କୁମାର ସାମଲଙ୍କୁ କଟକ-ନୟାଗଡ଼-ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । କଟକ ନଗର ଓ ଗ୍ରାମାଞ୍ଚଳ ପାଇଁ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ସୁଶାନ୍ତ ମହାପାତ୍ର ତୁଲାଇବେ ବୋଲି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।