ଗୃହରେ ତେଲ ନିଆଁ : ବର୍ଦ୍ଧିତ ଦରରେ ରୋକ ଲଗାଅ 

-ବିରୋଧୀଙ୍କ ହଙ୍ଗାମା, ପୁଣି ସର୍ବଦଳୀୟ ବୈଠକ 
-ଧାରଣାରେ ବସିଲେ ତାରା, ‘ସଂକଳ୍ପ’ ଆଣିବାକୁ ଦାବି 

ଭୁବନେଶ୍ୱର : ନିୟନ୍ତ୍ରଣ ବାହାରେ ଏବେ ପେଟ୍ରୋଲ, ଡିଜେଲ ଦର । ଖାଇବା ତେଲ ଦାମ ବି ଅହେତୁକ ଭାବେ ବୃଦ୍ଧି ପାଇଛି । ଏହାର ସିଧା ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡୁଛି । ତୁରନ୍ତ ଦରବୃଦ୍ଧି ନିୟନ୍ତ୍ରଣ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୧୦ ଟଙ୍କା ଉତ୍ପାଦ ଶୁଳ୍କ କମାନ୍ତୁ । ଏନେଇ ଗୃହରେ ଏକ ସଂକଳ୍ପ ଆସୁ ଏବଂ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ବିରୋଧୀ କଂଗ୍ରେସ ସଭ୍ୟ ଦାବି କରିଥିଲେ । ହେଲେ ତାହା ଅଗ୍ରାହ୍ୟ ହେବାରୁ କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଧାରଣାରେ ବସିଥିଲେ ।

ବୁଧବାର ପ୍ରଶ୍ନୋତ୍ତର କାର୍ଯ୍ୟକାଳ ସ୍ୱାଭାବିକ ଥିଲା । ସମସ୍ତେ ଭାବିଥିଲେ ଗୃହ ସୁରୁଖୁରୁରେ ଚାଲିବ । ହେଲେ ତାହା ହେଲାନାହିଁ । ଶୂନ୍ୟକାଳ ହେବା କ୍ଷଣି ଗୃହରେ ତେଲ ଦର ବୃଦ୍ଧି ନେଇ ବିରୋଧୀ କଂଗ୍ରେସ ସଭ୍ୟମାନେ ହଟ୍ଟଗୋଳ କରିଥିଲେ । କଂଗ୍ରେସ ଦଳର ମୁଖ୍ୟ ସଚେତକ ଶ୍ରୀ ବାହିନୀପତି କହିଥିଲେ, ପେଟ୍ରୋଲ ଓ ଡିଜେଲ ଦର ସହ ଖାଇବା ତେଲ ଦର ବଢୁଥିବାରୁ ଲୋକେ ନାହିଁ ନ ଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଦୁଇ ମାସ ପୂର୍ବରୁ ଖାଇବା ତେଲ କେଜି ପ୍ରତି ୭୦ଟଙ୍କା ଥିଲାବେଳେ ଏବେ ତାହା କେଜି ପ୍ରତି ୧୮୦ରେ ପହଞ୍ଚିଛି । ପେଟ୍ରୋଲ ଲିଟର ପିଛା ୧୦୦ ଟପିଲାଣି । କଂଗ୍ରେସ ସରକାର ବେଳେ ପେଟ୍ରୋଲ ଲିଟର ପ୍ରତି ୭୦ ଓ ଡିଜେଲ ଲିଟର ପ୍ରତି ୫୦ ଟଙ୍କା ଥିଲା । ହେଲେ ଏବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୬୦ ଡଲାର ଥିଲେ ହେଁ ତେଲ ଦର ନ କମିବା ଦୁଃଖର ବିଷୟ । ସାଧାରଣ ଖାଉଟିଙ୍କ ଅବସ୍ଥା ସାଙ୍ଘାତିକ ହୋଇଛି । ତେଣୁ ତୁରନ୍ତ ଦରବୃଦ୍ଧି ନିୟନ୍ତ୍ରଣ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୧୦ ଟଙ୍କା ଉତ୍ପାଦ ଶୁଳ୍କ କମାଇବା ଜରୁରୀ । ଏନେଇ ଗୃହରେ ଏକ ବାଚସ୍ପତି ରୁଲିଂ ଦିଅନ୍ତୁ ଏବଂ ଗୃହରେ ଏକ ରୁଲିଂ ଅଣାଯାଉ ବୋଲି ସେ ଦାବି କରିଥିଲେ । ହେଲେ ତାହାକୁ ଗ୍ରହଣ ନ ହେବାରୁ ଶ୍ରୀ ବାହିନୀପତି ଧାରଣାରେ ବସିଥିଲେ । ଏହାପରେ ଗୃହରେ ଅନ୍ୟ କଂଗ୍ରେସ ସଭ୍ୟ ହଟ୍ଟଗୋଳ କରିଥିଲେ । 

ଏଭଳି ସରଗରମ ସ୍ଥିତିରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ତେଲ ଦର ହୁ ହୁ ବଢୁଛି । ଏହି ପ୍ରସଙ୍ଗ ଏକ ଛୋଟ ଘଟଣା ନୁହେଁ । ହାଲୁକା ଭାବରେ ନେବା କଥା ନୁହେଁ । ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ତେଲ ଦର କମାଇବାକୁ କହିଥିଲେ, ହେଲେ ତାହା କାର୍ଯ୍ୟକାରୀ ହେଲାନାହିଁ । ଯଦି କିଛି କଥା ଶୁଣା ନ ଯିବ ତାହାଲେ ବିଧାନସଭା ଚାଲିବ କାହିଁକି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷରେ ବିଜେପି ସଭ୍ୟ କହିବାର ସୁଯୋଗ ମିଳୁନାହିଁ ବୋଲି ଅଭିଯୋଗ କରି ଗୃହର ମଧ୍ୟ ଭାଗରେ ହୋହାଲ୍ଲା କରିଥିଲେ । ଗୃହର ମଧ୍ୟ ଭାଗରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସ୍ଥିତି ଅଣାୟତ୍ତ ହୋଇଥିଲା । ତେଣୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *