ଗୃହରେ ବିବୃତି ରଖିଲେ ଯୋଗାଣ ମନ୍ତୀ 

ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ସରକାର ପ୍ରସ୍ତୁତ
ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଜେପି ସଦସ୍ୟଙ୍କ କକ୍ଷତ୍ୟାଗ 
ଭୁବନେଶ୍ୱର : ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଯେଉଁଠି ପ୍ରକୃତ ଚାଷୀଙ୍କର ଧାନ ଉଠିଲେ ବିଧାୟକ ମାନେ ଦୃଷ୍ଟି ଆକର୍ଷଣ କରନ୍ତୁ । ୧୦୦ ଜଣ ପ୍ୟାକସ ସମ୍ପାଦକଙ୍କ ବିରୋଧରେ ଅବହେଳା ପାଇଁ କାର୍ଯ୍ୟନୁଷ୍ଠାନ ନିଆଯାଇଛି । ଗୃହରେ ବିବୃତି ରଖିଲେ ଖାଦ୍ୟ ଯୋଗଣ ଓ ସମବାୟ ମନ୍ତ୍ରୀ ରଣନ୍ଦ୍ର ପ୍ରତାପ ସ୍ୱାଇଁ । ଏଥିରେ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଜେପି ସଦସ୍ୟଙ୍କ କକ୍ଷତ୍ୟାଗ କରିଥିଲେ ।

ଶୁକ୍ରବାର ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ, ରାଜ୍ୟରେ ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଅଦ୍ୟାବଧି ସର୍ବମୋଟ ୬୧.୨୪ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି । ସଂଗୃହୀତ ଧାନର ମୂଲ୍ୟ ୧୧,୪୪୧ କୋଟି ଟଙ୍କା । ଧାନ କ୍ରୟ କାର୍ଯ୍ୟକ୍ରମ ଜାରୀ ରହିଛି ଏବଂ ଏହା ୩୧ ମାର୍ଚ୍ଚ, ୨୦୨୧ ପର୍ଯ୍ୟନ୍ତ ଚାଲୁ ରହିବ । କୌଣସି ପଞ୍ଜିକୃତ ଯୋଗ୍ୟ ଚାଷୀ ସରକାରଙ୍କୁ ଧାନ ବିକ୍ରୟ କରିବା ପାଇଁ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତା’ହା ସୁନିଶ୍ଚିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଅଛନ୍ତି । ବିଗତ ଖରିଫରେ ଏହି ସମୟ ସୁଦ୍ଧା ୫୧.୭୩ ଲକ୍ଷ ମେଟ୍ରିକ ଟନ୍ ଧାନ କ୍ରୟ କରଯାଇଥିଲା । ବିଗତ ଖରିଫ ତୁଳନାରେ ଚଳିତ ଖରିଫରେ ଧାନ କ୍ରୟର ହାର ୧୮% ଅଧିକ ରହିଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବିଗତ ଖରିଫରେ ସର୍ବମୋଟ ୫୩.୩୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଥିଲା । ଚଳିତ ଖରିଫରେ ଅଦ୍ୟାବଧି ୧୧.୫୦ ଲକ୍ଷ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଛନ୍ତି । ଗତ ବର୍ଷ ଏହି ସମୟକୁ ସରକାରଙ୍କୁ ଧାନ ବିକ୍ରି କରିଥିବା ଚାଷୀଙ୍କ ସଂଖ୍ୟା ଥିଲା ୯.୩୦ ଲକ୍ଷ । ଅତଏବ, ଚଳିତ ବର୍ଷ ଚାଷୀ ଅଂଶଗ୍ରହଣରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ, ବିଗତ ଧାନ ସଂଗ୍ରହ ବର୍ଷ ୨୦୧୭-୧୮,  ୨୦୧୮-୧୯ ଓ ୨୦୧୯-୨୦ର ଖରିଫରେ ଯଥା କ୍ରମେ ସର୍ବମୋଟ ୩୮.୨୧ ଲକ୍ଷ ମେଟ୍ରିକ ଟନ୍‌, ୫୧.୫୬ ଲକ୍ଷ ମେଟ୍ରିକ ଟନ୍ ଓ ୫୩.୩୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହେଇଥିଲା । ସେହିପରି ଉକ୍ତ ବର୍ଷ ମାନଙ୍କରେ ଖରିଫରେ ସରକାରଙ୍କୁ ଧାନ ବିକ୍ରୀ କରିଥିବା ଚାଷୀଙ୍କର ସଂଖ୍ୟା ଯଥା କ୍ରମେ ୬.୮୭ ଲକ୍ଷ, ୮.୬୪ ଲକ୍ଷ ଓ ୯.୫୬ ଲକ୍ଷ ରହିଥିଲା ଏବଂ କ୍ରୟ କରାଯାଇଥିବା ଧାନର ମୂଲ୍ୟ ଯଥା କ୍ରମେ ୫,୯୨୩ କୋଟି, ୯,୦୨୪ କୋଟି ଓ ୯,୬୭୬ କୋଟି ରହିଥିଲା । ଇତି ମଧ୍ୟରେ ଧାନ କ୍ରୟ କାର୍ଯ୍ୟକୁ ନିର୍ବିଘ୍ନରେ ସମ୍ପାଦନ ନିମନ୍ତେ ନିମ୍ନ ମତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ବଲାଙ୍ଗିର ଜିଲ୍ଲାର ୪ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ ଗୋଟିଏ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ଧାନକ୍ରୟ କେନ୍ଦ୍ର ପୁନର୍ବାର ଚାଲୁ କରାଯାଇ ୫୦ ଜଣ ଚାଷୀଙ୍କଠାରୁ ୨୬୩୬.୦୬ କ୍ୱିଣ୍ଟାଲଧାନ କ୍ରୟ କାର୍ଯ୍ୟ ସମ୍ପାଦନ କରାଯାଇଛି ।

ବଲାଙ୍ଗୀର ଜିଲ୍ଲାରେ ଟୋକନ୍ ଲାପ୍ସ ହୋଇଯାଇଥିବା ପ୍ରାୟ ୪୫୦ ଜଣ ଚାଷୀଙ୍କର ଅନୁସନ୍ଧାନ ଚାଲୁ ରହିଛି । ବଲାଙ୍ଗୀର ଜିଲ୍ଲାରୁ ଆସିଥିବା ପ୍ରାୟ ୪୦୦ ଜଣ ନକଲି ଚାଷୀଙ୍କ ବାବଦ ଅଭିଯୋଗ ସଂକ୍ରାନ୍ତରେ ଆବଶ୍ୟକୀୟ ତଦନ୍ତ କରାଯାଉଛି । ଅନ୍ୟ ଜିଲ୍ଲାରୁ ଏ ବାବଦରେ ନିର୍ଦ୍ଦିଷ୍ଟ ଅଭିଯୋଗ ହସ୍ତଗତ ହେଲେ ତାହା ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦେବଗଡ ଜିଲ୍ଲାରେ ଧାନକ୍ରୟ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବାପାଇଁ ସମ୍ବଲପୁର ଜିଲ୍ଲାରୁ ଆସି ଏହି ଜିଲ୍ଲାରେ ଧାନ ସଂଗ୍ରହ କରୁଥିବା ୬ ଜଣ ମିଲରଙ୍କ ପାଇଁ ଅମାନତ ଜମା ନିୟମକୁ କୋହଳ କରାଯାଇଛି । ଦେବଗଡ ଜିଲ୍ଲାରେ ଜିଲ୍ଲାପାଳ ବୈଧତା ହରାଇଥିବା ପ୍ରାୟ ୨୯୦୦ ଟୋକନ୍ ବାବଦରେ ତଦନ୍ତ କରୁଛନ୍ତି । ନୂଆପଡା ଜିଲ୍ଲାପାଳ, ମଧ୍ୟ ଯେଉଁ ଚାଷୀମାନଙ୍କର ଧାନ ଉଠିନାହିଁ ବୋଲି ଅଭିଯୋଗ ଆସିଛି ତା’ର ତଦନ୍ତ କରୁଛନ୍ତି । ଜିଲ୍ଲାପାଳ ମୟୂରଭଞ୍ଜ ପ୍ରାୟ ୫୦୦୦ ଲାପସ ଟୋକନ୍ ବାବଦରେ ତଦନ୍ତ କରୁଛନ୍ତି ଓ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ପ୍ରାୟ ୨୦୦ ଚାଷୀଙ୍କ ବାବଦରେ ତଦନ୍ତ କାର୍ଯ୍ୟ ଜାରୀ  ରହିଛି ।

ବରଗଡ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ପୁନର୍ବାର ଚାଲୁ କରାଯାଇ ପ୍ରାୟ ୮୧୬ ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଇଛି । ୧୦୦ ଜଣ ପ୍ୟାକସ୍ ସଂପାଦକ ଓ ଅନ୍ୟ କର୍ମକର୍ତ୍ତାଙ୍କୁ ଧାନ କ୍ରୟ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି । ଏତଦ୍ ବ୍ୟତୀତ ୭ ଜଣ କର୍ମକର୍ତ୍ତାଙ୍କୁ ବହିଷ୍କାର କରାଯାଇଛି । ପଦମପୁର ଆରଏମ୍‌ସ ସଂପାଦକଙ୍କୁ ଧାନ କ୍ରୟ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି । ଚାନ୍ଦବାଲି ଆରଏମ୍‌ସି ସଂପାଦକଙ୍କୁ ଧାନ କ୍ରୟ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଉଛି  ତାଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗଜପତି ଏବଂ ଭଦ୍ରକ ଜିଲ୍ଲାରେ ଧାନ କ୍ରୟ କାର୍ଯ୍ୟରେ ଜାଲିଆତି କରିଥିବା ଦୁଇ ଜଣ ଚାଷୀଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରାଯାଇଛି । ଯେଉଁ ଜିଲ୍ଲା ଗୁଡିକରେ ତଦନ୍ତ କାର୍ଯ୍ୟ ଚାଲୁ ରହିଛି ତାହା ଠିକଣା ସମୟରେ ସମାପନ କରାଯିବ ଏବଂ ପଞ୍ଜିକୃତ ହୋଇଥିବା ପ୍ରକୃତ ଚାଷୀମାନଙ୍କର ଧାନ ୩୧ ମାର୍ଚ୍ଚ ୨୦୨୧ ପୂର୍ବରୁ ଉଠାହେବ ।

ମନ୍ତୀ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜଣାଇବାକୁ ଚାହୁଁଚି ଯେ, ଯଦି କୌଣସି ପଞ୍ଜିକୃତ ଯୋଗ୍ୟ ଚାଷୀ ଧାନ କ୍ରୟ କରିବାର ସୁଯୋଗରୁ ବଞ୍ଚିତ ହୋଇଥିବାର ସଭ୍ୟମାନଙ୍କର ଦୃଷ୍ଟି ଗୋଚର ହୋଇଥାଏ, ମୁଁ ଅନୁରୋଧ କରିବି ତା’ର ତାଲିକା ଆମକୁ ଜଣାଇବେ । ସେ ବାବଦରେ ତଦନ୍ତ କରି ଉପଯୁକ୍ତ କ୍ଷେତ୍ରରେ ଧାନ ଉଠାଣ କରାଯିବ  ଖରିଫ ଧାନ କ୍ରୟ କାର୍ଯ୍ୟକୁ ସୁଚାରୂ ରୂପେ ସଂପାଦନ କରିବା ପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ପଞ୍ଜିକୃତ ହୋଇଥିବା ପ୍ରକୃତ ଚାଷୀମାନଙ୍କ ଧାନ ଉଠାଇବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *