ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ୱାମୀକୁ ଆଜୀବନ ଜେଲ୍
ମୟୁରଭଞ୍ଜ : ଚରିତ୍ର ସନ୍ଦେହରେ ନିଜ ସ୍ତ୍ରୀଙ୍କୁ ଧାରୁଆ କଟୁରୀ ସାହାଯ୍ୟରେ ହତ୍ୟା କରାଯାଇଥିବା ଅଭିଯୋଗ ସଂକ୍ରାନ୍ତ ୨୦୧୬ର ଏକ ନରହତ୍ୟା ମାମଲାକୁ ସ୍ଥାନୀୟ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ପଟ୍ଟନାୟକ ବିଚାର କରି ଅଭିଯୁକ୍ତ ସ୍ୱାମୀ ଜିତୁ ଲୋହାର (୪୮) କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଦଣ୍ଡାଦେଶ ଦେଇଛନ୍ତି । ୩୦୨ ଦଫାରେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତ ଜିତୁ ଲୋହାରକୁ ଆଜୀବନ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଓ ଜୋରିମାନା ଅନାଦେୟ ଅତିରିକ୍ତ ଏକ ମାସ ସଶ୍ରମ କାରାଦଣ୍ଡ ରାୟ ଦେଇଥିବା ପ୍ରକାଶ । ବିଚାରାଧୀନ କଏଦୀ ଭାବେ କାରାଗାରରେ ରହିଥିବା ଅବଧିକୁ ହ୍ରାସ କରାଯିବ ବୋଲି ରାୟରେ ଉଲ୍ଲେଖ ରହିଛି । ସରକାରଙ୍କ ପକ୍ଷରୁ ମୟୂରଭଞ୍ଜ ପ୍ଲବିକ୍ ପ୍ରୋସିକ୍ୟୁଟର(ସରକାରୀ ଓକିଲ) ସସ୍ମିତା ମହାପାତ୍ର ମାମଲା ପରିଚାଳନା କରିଥିଲେ । ମୃତକଙ୍କ ୩ଟି ନାବାଳକ ମଧ୍ୟରୁ ଗୋଟିଏ ପୁଅ ଓ ଦୁଇଟି ଝିଅ ରହିଛନ୍ତି । ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ସେମାନଙ୍କୁ ଯଥୋଚିତ କ୍ଷତିପୂରଣ ପ୍ରଦାନ କରାଯିବା ସକାଶେ ଜିଲ୍ଲା ଆଇନଗତ ସେବା ଅଧିକାରୀଙ୍କୁ ସୁପାରିଶ କରାଯାଇଛି । ରାୟର ଏକ ନକଲ ମଧ୍ୟ ପଠାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ଖୁଣ୍ଟା ଥାନା ଅଧିନ ଗିରିଶଚନ୍ଦ୍ରପୁର ଗ୍ରାମର ଜିତୁ ଲୋହାର ତାଙ୍କ ସ୍ତ୍ରୀ ସୁଭଦ୍ରାଙ୍କୁ ୨୦୧୬ ସେପ୍ଟେମ୍ବର ୨୮ ତାରିଖ ରାତିରେ ଏକ ଧାରୁଆ କଟୁରୀ ସାହାଯ୍ୟରେ ହତ୍ୟା କରି ଶରୀରରୁ ମୁଣ୍ଡକୁ ଅଲଗା କରି ଦେଇଥିଲେ । ଏ ସମ୍ପର୍କରେ ଖୁଣ୍ଟା ଥାନାରେ ଘଟଣାର ପରଦିନ ଅର୍ଥାତ୍ ୨୯ ତାରିଖ କେସ୍ ନଂ-୧୦୫/୨୦୧୬ ନମ୍ବରର ଏକ ମାମଲା ରୁଜୁ ହେବା ସହିତ ପୁଲିସ ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ ସହ ଅଦାଲତ ଚାଲାଣ କରାଯାଇଥିଲା । କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଥିଲା ।