ବିକି-କ୍ୟାଟ୍ରିନାଙ୍କ ବିବାହରେ ଫୋନ ବ୍ୟବହାର ମନା
ମୁମ୍ବାଇ: ବଲିଉଡରେ ଏବେ ଚର୍ଚ୍ଚାରେ ରହିଛନ୍ତି ପ୍ରେମୀଯୁଗଳ ଅଭିନେତା ବିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ । କୌଣସି ଫିଲ୍ମ ପାଇଁ ନୁହେଁ ବରଂ ନିଜ ବିବାହକୁ ନେଇ ଦୁହେଁ ଚର୍ଚ୍ଚାରେ ରହିଛନ୍ତି । ଗତ କିଛି ଦିନ ହେଲାଣି ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କେବେ ବିକି କ୍ୟାଟ୍ରିନାଙ୍କ ହାତ ଧରିବେ ସେ ପ୍ରଶ୍ନ ଏବେ ସେମାନଙ୍କ ପ୍ରଶଂସକଙ୍କ ମନରେ ରହିଛି । ତେବେ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଡିସେମ୍ବର ଦ୍ୱିତୀୟ ସପ୍ତାହରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ ଏବଂ ସମସ୍ତ ରୀତିନୀତି ୭ ରୁ ୯ ଡିସେମ୍ବର ମଧ୍ୟରେ କରାଯିବ । ତେବେ ବିବାହରେ ସମସ୍ତ ଅତିଥିଙ୍କୁ ଫୋନର ବ୍ୟବହାର ନକରିବାକୁ ଏବଂ ଦୁହିଁଙ୍କ ଅନୁମତି ବିନା ବିବାହର କୌଣସି ଫଟୋକୁ ସୋସିଆଲ ମିଡିଆରେ ନଛାଡ଼ିବାକୁ କୁହାଯାଇଥିବା ନେଇ ସୂଚନା ମିଳିଛି ।
ଦୁହେଁ ନିଜର ବିବାହକୁ ନେଇ ଅଧିକାରୀକ ଭାବରେ କୌଣସି ଘୋଷଣା କରିନଥିବା ବେଳେ ଏଭଳି ନିୟମ ପରେ ଦୁହେଁ ବିବାହକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଥିବା ସ୍ପଷ୍ଟ ହୋଇଛି । ତେବେ ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ବିବାହ ପାଇଁ ଡିସେମ୍ବର ମାସକୁ ବାଛିଛନ୍ତି । ବିବାହ କାର୍ଯ୍ୟ ଡିସେମ୍ବର ୭ରୁ ଆରମ୍ଭ ହୋଇ ଡିସେମ୍ବର ୯ ପର୍ଯ୍ୟନ୍ତ ଚାଲିବ । ଦୁହେଁ ସାଧାରଣ ବିବାହ ନୁହେଁ ବରଂ ରାଜକୀୟ ବିବାହ କରିବେ ବୋଲି କୁହାଯାଉଛି । ରାଜସ୍ଥାନର ୭୦୦ବର୍ଷ ପୁରୁଣା ଦୁର୍ଗରେ ଦୁହିଁଙ୍କ ବିବାହ ହେବାକୁ ଥିବା ବେଳେ ଅତିଥିଙ୍କ ପାଇଁ ସବାଇ ମାଧୋପୁରର ଏକ ରାଜକୀୟ ରିସର୍ଟ ବୁକ୍ କରାଯାଇଥିବା ନେଇ ସୂଚନା ମିଳିଛି । ତେବେ ଏହି ବିବାହରେ କେଉଁ ଅତିଥିମାନେ ଯୋଗଦେବେ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଦୁହେଁ ବିବାହ ଦିନ ପିନ୍ଧିବାକୁ ଥିବା ପୋଷାକକୁ ଲୋକପ୍ରିୟ ଡିଜାଇନର ସବ୍ୟସାଚୀ ଡିଜାଇନ କରୁଥିବା ଜଣାପଡ଼ିଛି ।