Half-century-old Godeshwar marcket
ଅର୍ଦ୍ଧ ଶତାବ୍ଦୀର ଗଡ଼େଶ୍ୱର ହାଟକୁ ବିଏମ୍ସିର ଅଣଦେଖା କାହିଁକି ?
- ରାଜଧାନୀର କଳେବର ବଢ଼ୁଥିବା ବେଳେ ସହରର ପୁରାତନ ହାଟଗୁଡ଼ିକର ସ୍ଥିତି ସୁଧୁରି ପାରୁନି।
- ଲୋକଙ୍କ ଚାହିଦା ମୁତାବକ ହାଟଗୁଡ଼ିକୁ ବ୍ୟବସ୍ଥିତ କରିବା ପାଇଁ ହେଉଥିବା ଯୋଜନାଗୁଡ଼ିକ ନୀଳ ନକ୍ସା ତଳେ ପଡ଼ିରହିଛି।
ଭୁବନେଶ୍ୱର ୨୬-୧୦-୨୦୨୫(ବି.ଏନ .ଓ ) :(ଶଶିଭୂଷଣ ଚଇନି ) ରାଜଧାନୀର କଳେବର ବଢ଼ୁଥିବା ବେଳେ ସହରର ପୁରାତନ ହାଟଗୁଡ଼ିକର ସ୍ଥିତି ସୁଧୁରି ପାରୁନି। ଲୋକଙ୍କ ଚାହିଦା ମୁତାବକ ହାଟଗୁଡ଼ିକୁ ବ୍ୟବସ୍ଥିତ କରିବା ପାଇଁ ହେଉଥିବା ଯୋଜନାଗୁଡ଼ିକ ନୀଳ ନକ୍ସା ତଳେ ପଡ଼ିରହିଛି। ରାଜଧାନୀର ଅଧିକାଂଶ ହାଟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଦୂରରେ ଥାଉ, ମୌଳିକ ସୁବିଧା ମଧ୍ୟ ମିଳୁନାହିଁ। ଏକ ନମ୍ୱର ହାଟ ଭଳି ହଠାତ୍ କିଛି ଘଟିଲେ ନିମିଷକ ମଧ୍ୟରେ କୋଟିକୋଟି ଟଙ୍କା ଧ୍ୱଂସ ପାଇବାର ଆଶଙ୍କା ଉପୁଜିଛି। ସେହିଭଳି ଏକ ହାଟ ହେଉଛି ଭିଏସ୍ଏସ୍ନଗରର ୪୭ ବର୍ଷ ପୁରୁଣା ଗଡ଼େଶ୍ୱର ହାଟ। ସାଢ଼େ ତିନି ଏକର ପରିବ୍ୟାପ୍ତ ଏହି ହାଟରେ ୬୨୫ ଜଣ ବ୍ୟବସାୟୀ ଅଛନ୍ତି। ପୁଣି ପ୍ରତି ହାଟ ପାଳିରେ ଆଖାପାଖ ଅଞ୍ଚଳରୁ ମଧ୍ୟ ବହୁ ଉଠାବ୍ୟବସାୟୀ ବେପାର କରିବାକୁ ଆସନ୍ତି। ଏହି ହାଟ ଉପରେ ୧୦ଟି ମୌଜାର ଲୋକେ ନିର୍ଭର କରନ୍ତି। ପୁରୁଣା ହାଟ ହୋଇଥିଲେ ମଧ୍ୟ ବିଏମ୍ସି ପକ୍ଷରୁ ଏହାକୁ ସ୍ୱୀକୃତପତ୍ର ଦେବା ତ ଦୂରର କଥା, ଏଯାବତ୍ ବିକାଶ ପାଇଁ ଇଟା ଖଣ୍ଡିଏ ପଡ଼ିପାରି ନାହିଁ।
ଏନେଇ ଗଡ଼େଶ୍ୱର ହାଟ ବଣିକ ସଂଘର ସଭାପତି ଲକ୍ଷ୍ମଣ ସାହୁଙ୍କ କହିବା ଅନୁଯାୟୀ, ବର୍ଷବର୍ଷ ଧରି ଉଭୟ ଲିଖିତ ଓ ମୌଖିକ ଭାବରେ ଅଭିଯୋଗ କରିବା ପରେ ଗତ ବର୍ଷ ଜୁଲାଇ ମାସରେ ହାଟକୁ ବିଏମ୍ସି ସ୍ୱୀକୃତି ଦେବା ସହିତ ବିକାଶ ପାଇଁ କାର୍ଯ୍ୟ ହେବ ବୋଲି କହିଥିଲା। ସେଥିପାଇଁ ବ୍ୟବସାୟୀମାନେ ମଧ୍ୟ ମିଳିତ ଭାବରେ ବିଏମ୍ସିରେ ୬୨ ଲକ୍ଷ ଦଶ ହଜାର ଟଙ୍କା ପଇଠ କରିଥିଲେ। ପାଖାପାଖି ଦେଢ଼ ବର୍ଷ ବିତିଥିଲେ ସୁଦ୍ଧା ସ୍ୱୀକୃତିପତ୍ର ପ୍ରଦାନ ଦୂରର କଥା, ବିକାଶ ପାଇଁ ଇଟା ଖଣ୍ଡିଏ ପଡ଼ିନାହିଁ ବୋଲି ସେ କହିଛନ୍ତି। ନିକଟ ଅତୀତରେ ବ୍ୟବସାୟୀ ସଂଘ ଡେପୁଟି କମିସନରଙ୍କୁ ସାକ୍ଷାତ କରି ଆଲୋଚନା କରିଥିବା ସୂଚନା ମିଳିଛି। ସ୍ଥାନୀୟ କର୍ପୋରେଟର ପ୍ରଭାସିନୀ ମହାନ୍ତିଙ୍କ କହିବା ଅନୁଯାୟୀ ସେ ଏନେଇ ବାରମ୍ୱାର କର୍ପୋରେସନ୍ ବୈଠକରେ ମେୟର୍, କମିସନର୍ଙ୍କୁ ମଧ୍ୟ ଅବଗତ କରିଥିଲେ ମଧ୍ୟ ସୁଫଳ ମିଳିପାରୁନାହିଁ ବୋଲି କହିଛନ୍ତି।

