ପୁଣି ଫେରିଲା ଜିକା ଭାଇରସ
ଥିରୁଅନନ୍ତପୁରମ: ଦେଶକୁ ପୁଣି ଥରେ ଫେରିଛି ଜିକା ଭାଇରସ୍ । ୨୦୧୭ରେ ପ୍ରଥମ ଥର ପାଇଁ ଦେଶରେ ଚିହ୍ନଟ ହୋଇଥିବା ଜିକା ଭାଇରସ୍ ପୁଣି ଥରେ ଫେରିଛି । ଶୁକ୍ରବାର କେରଳରୁ ଦେଶର ପ୍ରଥମ ଜିକା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଥିରୁଅନନ୍ତପୁରମର ପାରାସାଲ୍ଲାର ୨୪ ବର୍ଷୀୟ ମହିଳାଙ୍କ ଠାରେ ଜିକା ଭାଇରସର ଲକ୍ଷଣ ରହିଥିବା ନେଇ ସ୍ପଷ୍ଟ କରିଛନ୍ତି କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ । ମହିଳା ଜଣଙ୍କ କେରଳର ଏକ ଘରୋଇ ହସ୍ପିଟାଲରେ ଜୁନ୍ ୨୮ରେ ଚିକିତ୍ସିିତ ହେବା ପାଇଁ ଭର୍ତ୍ତି ହୋଇଥିଲେ । ସାଧାରଣତଃ ଏହି ଭାଇରସ ମଶା ଦ୍ୱାରା ବ୍ୟାପୁଥିବା ବେଳେ ଗର୍ଭବତୀ ମହିଳା ମାନେ ଏହା ଦ୍ୱାରା ଅଧିକ ପରିମାଣରେ ଆକ୍ରାନ୍ତ ହୋଇଥାନ୍ତି । ଜୁନ୍ ୭ରେ ମହିଳା ଜଣଙ୍କ ସନ୍ତାନ ଜନ୍ମ ଦେଇଥିଲେ । ଏହାପରେ ଜୁନ୍ ୨୮ରେ ମହିଳା ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ମହିଳା ଜଣଙ୍କ କେଉଁଆଡେ ଗସ୍ତ କରିନଥିବା ବେଳେ ସେ ତାମିଲନାଡୁ ସୀମାରେ ରୁହନ୍ତି । ଏକ ସପ୍ତାହ ପୂର୍ବରୁ ମହିଳାଙ୍କ ମାଙ୍କ ଠାରେ ମଧ୍ୟ ସମାନ ଲକ୍ଷଣ ଦେଖା ଦେଇଥିଲା। ତେବେ ତାଙ୍କ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସିନାହିଁ । ଏହା ସହିତ ସମାନ ଲକ୍ଷଣ ରହିଥିବା ଆଉ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ପୁଣେ ସ୍ଥିତ ନ୍ୟାସନାଲ ଭାଇରୋଲୋଜି ସେଣ୍ଟରକୁ ପଠାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଜିକା ଭାଇରସ୍ ମୁଖ୍ୟତଃ ଗର୍ଭବତୀ ମହିଳାଙ୍କୁ ଆକ୍ରାନ୍ତ କରୁଥିବା ବେଳେ ଏହାର ଲକ୍ଷଣ ଡେଙ୍ଗୁ ପରି ରହିଥାଏ । ଶରୀର କୁଣ୍ଡେଇ ହେବା ସହିତ ଗଣ୍ଠି ଦରଜ ପରି ଲକ୍ଷଣ ଦେଖିବାକୁ ମିଳିଥାଏ ।