EDII-trained artisans from Odisha under the Handmade in India project put up a grand Fashion Show cum Exhibition

ହ୍ୟାଣ୍ଡ୍ମେଡ୍ ଇନ୍ ଇଣ୍ଡିଆ ପ୍ରକଳ୍ପ ଅଧୀନରେ ଇଡିଆଇଆଇତାଲିମପ୍ରାପ୍ତ ଓଡ଼ିଶାର କାରିଗରମାନଙ୍କ ଫେସନ୍ ସୋ’  ପ୍ରଦର୍ଶନୀ ଆୟୋଜିତ

 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗ ସହଯୋଗିତା ଅହମ୍ମଦାବାଦର ଏଟଂର୍‌ପ୍ରେନ୍ୟୁଅରସିପ୍ ଡେଭେଲପ୍‌ମେଂଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଇଡିଆଇଆଇ) ପକ୍ଷରୁ ୱାର୍ଲଡ୍ ଟ୍ରେଡ୍ ସେଂଟର (ଡବ୍ଲୁଟିସି) ଭୁବନେଶ୍ୱରରେ ହ୍ୟାଣ୍ଡ୍‌ମେଡ୍ ଇନ୍ ଇଣ୍ଡିଆ (ଏଚ୍‌ଏମ୍‌ଆଇ) ପ୍ରକଳ୍ପ ଅଧୀନରେ ଶୁକ୍ରବାର ଏକ ଫେସନ୍ ସୋ’ ଆୟୋଜନ କରାଯାଇଛି । ଏହି ଫେସନ୍ ସୋ’କୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିବା ବେଳେ ଇଡିଆଇଆଇର ଡାଇରେକ୍ଟର୍ ଜେନେରାଲ୍ ଡକ୍ଟର ସୁନିଲ ଶୁକ୍ଳା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।

ଏହି ଫେସନ୍ ସୋ’ ଏଥିପାଇଁ ବେଶ ସ୍ୱତନ୍ତ୍ର ଥିଲା କାରଣ ମଡେଲ୍‌ମାନେ ପିନ୍ଧିଥିବା ପୋଷାକକୁ ହ୍ୟାଣ୍ଡ୍‌ମେଡ୍ ଫର୍ ଇଣ୍ଡିଆ ଅଧୀନରେ ଇଡିଆଇଆଇ ଦ୍ୱାରା ତାଲିମପ୍ରାପ୍ତ ଓଡ଼ିଶାର ବୁଣାକାରମାନଙ୍କ ହାତବୁଣା ଏବଂ ଫ୍ୟାବ୍ରିକ୍‌କୁ ବ୍ୟବହାର କରି ଖ୍ୟାତନାମା ଡିଜାଇନରମାନେ ତାହାକୁ ପ୍ରସ୍ତୁତ କରିଥିଲେ । ଏହି ସୋ’ର ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ପରମ୍ପରିକ କଳାକୃତି ଓ ଐତିହ୍ୟର ସୁନ୍ଦରତାକୁ ଉପସ୍ଥାପିତ କରିବା ।

ହ୍ୟାଣ୍ଡ୍‌ମେଡ୍ ଇନ୍ ଇଣ୍ଡିଆ ହେଉଛି ଏଚ୍‌ଏସ୍‌ବିସି ସମର୍ଥିତ ଏକ ପ୍ରକଳ୍ପ ଯାହା ଓଡ଼ିଶାର ବରଗଡ଼, ମଧ୍ୟପ୍ରଦେଶର ମାହେଶ୍ୱର, ଆସାମର କାମରୁପ, ତାମିଲନାଡୁର ସାଲେମ ଓ ଗୁଜରାଟର ସୁରେନ୍ଦ୍ରନଗର ଏବଂ ଭୁଜ ଭଳି ପାଂଚଟି ରାଜ୍ୟରେ ବ୍ୟାପୀଥିବା ଛଅ ହସ୍ତତନ୍ତ କ୍ଲଷ୍ଟରରେ ଉଦ୍ୟମିତାର ଭାବ ଜାଗ୍ରତ କରିବା ଉପରେ ଗୁରୁତ୍ୱାରୋପ କରୁଛି । ଲକ୍ଷ୍ୟ ହେଉଛି ପାରମ୍ପରିକ ହସ୍ତତନ୍ତ କ୍ଲଷ୍ଟରର ସାମଗ୍ରିକ ବିକାଶକୁ ନିଶ୍ଚିତ କରିବା ଏବଂ ଏହି କ୍ଷେତ୍ରର କାରିଗରମାନଙ୍କୁ ଉନ୍ନତ ଜୀବନଜୀବିକା ପ୍ରଦାନ କରିବା । ଏହି ପ୍ରକଳ୍ପରେ ନୂଆ ଡିଜାଇନ୍ ଓ ପ୍ରିଂଟ୍ କଲେକ୍ସନ, ଅଭିନବ ପ୍ଲାଟ୍‌ଫର୍ମ ଜରିଆରେ ବିକ୍ରି ବଢ଼ାଇବା, ପ୍ରଦର୍ଶନୀ ଭଳି କାର୍ଯ୍ୟକ୍ରମ ଜରିଆରେ ବଜାର ସହ ଯୋଡ଼ିବା, ଦକ୍ଷତା ଗଠନ ଓ କୌଶଳରେ ଉନ୍ନତି, ଋଣ ଉପଲବ୍ଧତା ଏବଂ ସଂସ୍ଥା ବିକାଶ ଉପରେ ଧ୍ୟାନ ଦିଆଯାଉଛି ।

ୱାର୍ଲଡ୍ ଟ୍ରେଡ୍ ସେଂଟର୍ ପକ୍ଷରୁ କଳା ଭୂମିରେ ଆୟୋଜିତ ଏହି ଫେସନ୍ ସୋ’ରେ ୧୫ କାରିଗର ଅଂଶଗ୍ରହଣ କରି ସେମାନଙ୍କ ହସ୍ତତନ୍ତ ଏବଂ ହାତବୁଣା ଉତ୍ପାଦକୁ ପ୍ରଦର୍ଶିତ କରିଛନ୍ତି । ଏହି ପ୍ରଦର୍ଶନୀରେ ସାମିଲ ଥିଲା ଶାଢ଼ି, ଫ୍ୟାବ୍ରିକ୍‌, ଷ୍ଟୋଲ୍‌, ରୁମାଲ, ପୋଷାକ, ସୋଫା କଭର୍‌, ୱାଲେଟ୍ ଏବଂ ଅନ୍ୟାନ୍ୟ ହସ୍ତକଳା ସାମଗ୍ରୀ ।

ଆମ ସମାଜ ପ୍ରତି ବୁଣାକାରମାନଙ୍କ ଅମୂଲ୍ୟ ଯୋଗଦାନକୁ ପ୍ରଶଂସା କରି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ଯେ ବୁଣାକାରମାନେ ହେଉଛନ୍ତି ପ୍ରତ୍ୟକ୍ଷ ଭଗବାନଙ୍କ ଦୂତ ଏବଂ ଆମକୁ “ଆମ ପାଇଁ ବୁଣାକାର’ ନୁହେଁ ବରଂ “ବୁଣାକାରଙ୍କ ପାଇଁ ଆମେ’ ଭାବନା ଉପରେ ବିଶ୍ୱାସ କରିବାକୁ ପଡ଼ିବ । ବୁଣାକାରମାନଙ୍କ ଉଜ୍ଜ୍ୱଳ ଇତିହାସ ଏବଂ ରାଜ୍ୟରେ ବୁଣାକାର ସୋସାଇଟିର ବିକାଶ ପାଇଁ ରହିଥିବା ବ୍ୟାପକ ସୁଯୋଗ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବୁଣାକାରମାନଙ୍କୁ ସେ ଦୁନିଆର ବଡ଼ ଯାଦୁକର ଭାବେ ବର୍ଣ୍ଣନା କରିଥିଲେ ଏବଂ ସେଭଳି ବହୁ ଯାଦୁକର (ବୁଣାକାର)ମାନଙ୍କୁ ସେ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶାର ବୁଣାକାରମାନଙ୍କ ପାଖରେ ଥିବା ସମ୍ଭାବନାକୁ ଦେଶ ଓ ଦୁନିଆରେ ପ୍ରଦର୍ଶିତ କରିବା ଲାଗି ସେ ସମଗ୍ର ବୁଣାକାର ସୋସାଇଟିକୁ ଆହ୍ୱାନ ଦେଇଥିଲେ ।

ଏଭଳି ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଇଡିଆଇଆଇର ଡାଇରେକ୍ଟର ଜେନେରାଲ ଡକ୍ଟର ସୁନିଲ ଶୁକ୍ଳା କହିଛନ୍ତି ଯେ,“ପାରମ୍ପରିକ ହସ୍ତକଳା ଏବଂ ବୟନକୁ ପୁନଃ ସୃଷ୍ଟି କରିବାର ଅତ୍ୟନ୍ତ ଆବଶ୍ୟକତା ରହିଛି ଯାହା ଦ୍ୱାରା ରାଜ୍ୟର ସଂସ୍କୃତି ଓ ପାରମ୍ପରିକ ଐତିହ୍ୟ ବଜାୟ ରହିବ । ଅଳ୍ପ ସହାୟତା ଏବଂ ପ୍ରଶିକ୍ଷଣ ଦ୍ୱାରା ବୁଣାକାର ଓ କାରିଗରମାନେ କିଭଳି ଚମତ୍କାର ନବସୃଜନ ଉପସ୍ଥାପନ କରିଛନ୍ତି ତାହା ଜଣାପଡ଼ିଛି । ଏଭଳି ମଂଚ ସେମାନଙ୍କୁ  ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶିତ କରିବା ଲାଗି ସୁଯୋଗ ପ୍ରଦାନ କରିବ । ମୁଁ ବହୁତ ଖୁସି ଯେ କାରିଗରମାନଙ୍କ ବ୍ୟବସାୟ ସମ୍ଭାବନାରେ ଉନ୍ନତି ଆଣିବାରେ ଇଡିଆଇଆଇ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି ।’’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *