୨୪ ଟନ ଲୁହା ଆଙ୍ଗେଲ ଚୋରିର ପର୍ଦ୍ଦାଫାସ କଲା ଭୁବନ ପୋଲିସ
ଢ଼େଙ୍କାନାଳ : ଏକ ବଡ଼ଧରଣର ଲୁହା ଆଙ୍ଗେଲ ଚୋରି ରାକେଟର ପର୍ଦ୍ଦାଫାସ କରିଛନ୍ତି ଭୁବନ ଥାନା ଅଧିକାରୀ ପ୍ରଶାନ୍ତ ପାତ୍ର । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ । ସୂଚନା ଅନୁଯାୟୀ, ରାଏଗଡରୁ ନକଲି ନମ୍ବର୍ ପ୍ଲେଟ୍ ଲଗାଇ, ନକଲି ଗାଡ଼ି କାଗଜପତ୍ର ଦେଖାଇ ଗନ୍ଦିଆ ଥାନା ଅନ୍ତର୍ଗତ ମନ୍ଦାର ଗ୍ରାମର ପ୍ରଦୀପ କୁମାର ସାହୁ ୩୯ ନାମକ ବ୍ୟକ୍ତି ନିଜକୁ ସମ୍ପୃକ୍ତ ଗାଡ଼ି ମାଲିକ ପରିଚୟ ଦେଇ ପ୍ରାୟ ୨୪ ଟନ ଓଜନର ଲୁହା ଆଙ୍ଗେଲ ବୋଝେଇ କରି ଜଗତ୍ସିଂହପୁରକୁ ଆସୁଥିଲା । ଡ୍ରାଇଭର ପ୍ରଦୀପ ଓ ତାର ସାଥୀ ମାନେ ଭୂବନ ଥାନା ଅଧୀନରେ ଥିବା କଂସରଗୋଡା ଗ୍ରାମରେ ଉକ୍ତ ଲୁହା ଆଙ୍ଗେଲକୁ ଖାଲି କରି ମାଟିରେ କିଛି ପୋତି ଦେବା ସହ ଅନ୍ୟ କିଛି ଲୁହାକୁ ଆଉ ଗୋଟିଏ ଟ୍ରକ୍ରେ ବୋଝେଇ କରି ଚାଲାଣ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଭୁବନ ଥାନାଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଟ୍ରକ୍ ଦୁଇଟିକୁ ଜବତ କରିଥିଲେ । ଚୋରି କାର୍ଯ୍ୟରେ ଲିପ୍ତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।