ଭଣଜାର ଶବ ଦାହ କରିବାକୁ ଆସି ଶବ ପାଲଟିଗଲେ ମାମୁଁ
ଦେବଗଡ : ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ମହାଜନମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ନିଜ ସମ୍ପର୍କୀୟ ଭଣଜାର ଶବ ଦାହ କରି ଘରକୁ ଫେରୁଥିବା ବେଳେ ପାଣିରେ ବୁଡି ମାମୁଁଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ମହାଜନମୁଣ୍ଡା ଗାଁର ପବିତ୍ର ମୁଣ୍ଡାଙ୍କ ମୃତ୍ୟୁ ଖବର ପାଇ ଶବ ସଂସ୍କାର ପାଇଁ ଆଜି ସକାଳୁ ବୃନ୍ଦାବନପୁର ଗାଁର ସମରା ଧାଙ୍ଗର ଆସିଥିଲେ । ସମରା ଶବ ସଂସ୍କାର କରି ଘରକୁ ଫେରୁଥିବା ବେଳେ ଗାଁ ମୁଣ୍ଡରେ ଥିବା ଏକ ଛୋଟିଆ ନାଳରେ ପଡି ତାଙ୍କର ମୃତ୍ୟୁ ଘଟିଛି। ସେହି ରାସ୍ତା ଦେଇ ଶବ ସଂସ୍କାର କରି ଫେରୁଥିବା ଅନ୍ୟମାନେ ସମରାଙ୍କ ମୃତଦେହ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ଦେବଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।