ଶବର ଶେଷ ସାଥୀ ଚିନ୍ମୟୀ
ଅନୁଗୁଳ: କରୋନାର କରାଳ ରୂପ ଏତେ ଭୟାବହ ହେଲାଣି ଯେ ନିଜ ପ୍ରିୟଜନଙ୍କୁ ହରାଇବା ଏବେ ଏକ ସାଧାରଣ କଥା ପାଲଟିଛି । ପ୍ରିୟଜନଙ୍କୁ ହରାଇବାର କଷ୍ଟକୁ ବି ବଳିଯାଉଛି ଶବକୁ ଶେଷ ବିଦାୟ ନ ଦେଇ ପାରିବା। ଧର୍ମ ଓ ଶାସ୍ତ୍ରାନୁମୋଦିତ ଏହି ଶେଷ ଅର୍ଘ୍ୟକୁ ଠିକ୍ ଭାବେ ଅନୁପାଳନ ନ କରିପାରି ଏବେ ଶହ ଶହ ଲୋକ ମାନସିକ ଚିନ୍ତାରେ ଥିବା ବେଳେ ଶବର ଶେଷ ସାଥୀ ହେବାକୁ ସହଯୋଗର ହାତ ବଢ଼ାଇଛନ୍ତି କିନ୍ନର ଚିନ୍ମୟୀ । ପୂରା ନାମ ଚିନ୍ମୟୀ ଦାସ। ଅନୁଗୁଳ ଜିଲ୍ଲାର ଜରପଡ଼ା ଅଞ୍ଚଳରେ ଏକ ଲେଡିଜ୍ କଣ୍ଠର କରିଥିବା ଚିନ୍ମୟୀ କିନ୍ତୁ ଏଭଳି ବଦାନ୍ୟତା ପାଇଁ କାହାଠାରୁ ସାହାଯ୍ୟ ନିଅନ୍ତି ନାହିଁ; ବରଂ ଆତ୍ମସନ୍ତୋଷ ପାଇଁ ଏସବୁ ପ୍ରବୃତ୍ତିକୁ ଆପଣେଇଥିବା କହନ୍ତି।
ସ୍ଥାନୀୟ ଅଞ୍ଚଳର ଗରିବ, ଦୁଃଖ୍ ବେସାହାରାଙ୍କୁ ସାହାରା ଦେବା ସହ ସେମାନଙ୍କ ବିପଦରେ ଛିଡ଼ା ହେବା ପାଇଁ ଚିନ୍ମୟୀ ଏଭଳି ସେବାରାସ୍ତାରେ ପାଦ ଥାପିଛନ୍ତି। ଦିନେ ସମାଜ ଆନ୍ଧ୍ରରେ ଅବହେଳିତ ଓ ଘୃଣ୍ୟ ପାଲଟିଥିବା କିନ୍ନର ଚିନ୍ମୟା ଏବେ ସମସ୍ତ କରୋନା ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ଦେବଦୂତ ସଦୃଶ। ଯାହାକି ତାଙ୍କୁ ଅନ୍ୟମାନଙ୍କ ଆଗରେ କେବଳ ପ୍ରଶଂସିତ କରିନି; ଏଥୂପାଇଁ ତାଙ୍କ ମର୍ଯ୍ୟାଦା ବି ବଢ଼ାଇଛି। ବୃତ୍ତିରେ ଯଦିଓ ସେ କୌଣସି ଅଙ୍ଗନବାଡ଼ି ଦିଦି, ଅଶା କର୍ମୀ, ଏଏନ୍ଏମ୍ ନୁହଁନ୍ତି; ତଥାପି ତାଙ୍କ ଉତ୍ସର୍ଗୀକୃତ ସେବା ମନୋଭାବ ତାଙ୍କୁ ଅନ୍ୟ ତୁଳନାରେ ସ୍ଵତନ୍ତ୍ର କରି ପାରିଛି। ନିଜର ନିଚ୍ଛକ ସେବା ମନୋଭାବ ଯୋଗୁଁ ଚିନ୍ମୟ ଇତି ମଧ୍ୟରେ ୨୦ରୁ ଅଧିକ ଶବର ସତ୍କାର କରି ସାରିଛନ୍ତି। ଚିନ୍ମୟୀ କହନ୍ତି, ଏବେ କରୋନା ସମୟ ତେଣୁ ବିପଦରେ ଥିବା ଲୋକଙ୍କୁ ସହଯୋଗର ହାତ ବଢ଼ାଇବା ହିଁ ପ୍ରକୃତ ସେବାର ମୂଲ୍ୟ | ମୁଁ ନିଜେ ଶୃଙ୍ଖଳିତ ଭାବେ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରୁଛି। ଏବେ ସେବାର ପ୍ରକୃତ ମୂଲ୍ୟ ଦେବାର ସମୟ ଆସିଛି।

