ଶବଙ୍କ ଶେଷ ସାଥୀ ୪ ବନ୍ଧୁ
ସୁନ୍ଦରଗଡ଼: ମୃତ୍ୟୁ ହିଁ ଏକମାତ୍ର ସତ୍ୟ | ଧନୀ ହେଉ କି ଗରିବ; ସମସ୍ତଙ୍କୁ ଦିନେ ନା ଦିନେ ଛାଡ଼ି ଯିବାକୁ ହେବ ଏ ସୁନ୍ଦର ପୃଥିବୀ | ତେଣୁ ଶବକୁ ଶେଷ ସମ୍ମାନ ଦେବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ । ମାତ୍ର କରୋନାର ହିତୀୟ ଲହର ଏତେ ଉତ୍କଟ ଆକାର ଧାରଣ କରିଛି ଯେ ବନ୍ଧୁ ପରିଜନ ତ ଦୂରର କଥା, ନିଜ ପରିବାର ଲୋକ ବି ଆତ୍ମୀୟର ଶବ ପାଖେ ଛିଡ଼ା ହେବାକୁ ଭୟ କରୁଛନ୍ତି। କେବଳ ମୁଖାଗ୍ନି ଦେବାକୁ ନୁହେଁ; ବରଂ ଶବ ସତ୍କାର ପରେ ଅସ୍ଥି ସଂଗ୍ରହ କରିବାକୁ ବି କୁଣ୍ଠିତ ହେଉଛନ୍ତି। ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ କରୋନା ମୃତକଙ୍କ ଶେଷ ସାଥୀ ହେବାକୁ ଆଗେଇ ଆସିଛନ୍ତି ସୁନ୍ଦରଗଡ଼ ଅଞ୍ଚଳର ୪ ବନ୍ଧୁ। ପେଷାରେ କିଏ ଔଷଧ ବ୍ୟବସାୟୀ ତ ଆଉ କିଏ ଷ୍ଟେସନାରୀ ଓ ପରିବହନ ବ୍ୟବସାୟୀ; ପୁଣି କିଏ ଲଜିଂ ଓ ରେସ୍ତୋରାଁ ବ୍ୟବସାୟରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି। ସମସ୍ତେ ଭିନ୍ନ ଭିନ୍ନ ପେଷାରୁ ଆସିଥିଲେ ବି ନିଶା ସେମାନଙ୍କର ଶବ ସତ୍କାର | ଆଜିକୁ ୧୫ ବର୍ଷରୁ ଅଧିକ ସମୟ ହେବ ଜିଲ୍ଲାର ଯେକୌଣସି ସ୍ଥାନରେ ନିରାଶ୍ରିତଙ୍କ ଶବ ଦେଖିଲେ ସେମାନେ ସତ୍କାର କରିବାକୁ ଆଗେଇ ଆସନ୍ତି । ହେଲେ କରୋନା ଯୋଗୁଁ ଏବେ ଏହି ନିଶା କର୍ତ୍ତବ୍ୟ ଓ ଦାୟିତ୍ୱରେ ପରିଣତ ହୋଇଛି। ଏସବୁ ଭିତରେ ଏପ୍ରିଲ ୧୪ ତାରିଖରୁ ଅଦ୍ୟାବଧୂ ନିଜ ପରିବାରଠାରୁ ଦୂରେଇ ରହିଛନ୍ତି ୪ ବନ୍ଧୁ। ପିପିଇ କିଟ୍ ପିନ୍ଧି ପ୍ରତିଦିନ କରୋନା ଶବ ସତ୍କାର କରୁଥିବା ବେଳେ ସଂକ୍ରମଣ ଭୟରେ ଏମାନେ ପରିବାରକୁ ଯାଉନାହାଁନ୍ତି । ସଙ୍ଗରୋଧ ହୋଇ ନିଜେ ବାହାରେ ରହି ପ୍ରଶାସନକୁ ଏଭଳି ବିପରିରେ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏସବୁକୁ ଛାଡ଼ିଦେଲେ ସେମାନେ ଲୋକଙ୍କୁ ମାଗଣାରେ ଅକ୍ସିଜେନ୍ ସିଲିଣ୍ଡର ମଧ୍ୟ ଯୋଗାଉଛନ୍ତି।