ଏପ୍ରିଲ୍ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର : କରୋନା ସଂକ୍ରମଣ ଜାରି ରହିଥିବା ବେଳେ ରାଜ୍ୟ ସରକାର ବୁଧବାର ଏପ୍ରିଲ୍‍ ମାସ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନୂଆ ମାର୍ଗଦର୍ଶିକା ଅନୁସାରେ ଏଣିକି କରୋନା ସଂକ୍ରମିତ ବହୁଳ ଅଞ୍ଚଳକୁ ଚିହ୍ନିତ କରି କଣ୍ଟେନମେଣ୍ଟ ଜୋନ୍‍ ବା ଅବରୋଧ ଅଞ୍ଚଳ କିମ୍ବା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‍ ସ୍ଥାନୀୟ ପ୍ରଶାସନ ଜାରି କରିପାରିବେ । ନୂତନ ଗାଇଡ୍‌ଲାଇନ୍‌ରେ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା କ୍ଷମତା ଜିଲ୍ଲାପାଳ ଓ ପୌର ପ୍ରଶାସନକୁ ଦିଆଯାଇଛି। ଯେଉଁ ଅଞ୍ଚଳରେ ଅଧିକ ସଂକ୍ରମଣ ଚିହ୍ନଟ ହେବ ତାହାକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା ନିଷ୍ପତ୍ତି ନେଇପାରିବେ ସ୍ଥାନୀୟ ପ୍ରଶାସନ । ସେହିଭଳି ଧର୍ମାନୁଷ୍ଠାନ ଭିତରକୁ କେତେ ଜଣ ଶ୍ରଦ୍ଧାଳୁ ଯିବେ ଓ ଧାର୍ମିକ କାମରେ କେତେ ଜଣ ସାମିଲ ହୋଇପାରିବେ ତାହା ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଉପରେ ନିର୍ଭର କରିବ ।

ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ଆଶଙ୍କାରେ ସରକାର ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ମାସକ ପୂର୍ବରୁ ବିବାହ ଭୋଜିରେ ୫୦୦ ଲୋକଙ୍କୁ ସାମିଲ୍‍ ଅନୁମତି ଦିଆଯାଇଥିଲା । ଏହି ସଂଖ୍ୟାକୁ ମାର୍ଚ୍ଚ ମାସରେ ପୁଣି ୨୦୦କୁ ଖସାଇ ଦିଆଯାଇଥିଲା ଓ ଚଳିତମାସରେ ତାହା ବଳବତ୍ତର ରହିଛି । ଏହା ସହ ଏପ୍ରିଲରେ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ମିଳିବ । କୋଭିଡ୍‍ କଟକଣାକୁ କଡ଼ାକଡ଼ି କରିବାକୁ ଯାଇ ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୩୧ ତାରିଖରେ ଏହି ମାର୍ଗଦର୍ଶିକା ଜାରି ହୋଇଛି ଓ ଏହା ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବ ।

ଏସ୍‍ଆରସିଙ୍କ ନିର୍ଦ୍ଦେଶନାମାରେ କେବଳ ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟାରେ ଲୋକସଂଖ୍ୟା ଉପରେ କଟକଣା ଜାରି କରାଯାଇଛି । ଅନ୍ୟ କୌଣସି ଧାର୍ମିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଦିଆଯାଇନାହିଁ । ଏଥିରେ ସ୍ପଷ୍ଟ କରାଯାଇଛି ଯେ କୌଣସି ହଲ୍‌ରେ ବିବାହ ଭୋଜି ହେଲେ ହଲ୍‍ କ୍ଷମତାର ୫୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଅନୁମତି ମିଳିବ ନାହିଁ । ଖୋଲା ଜାଗାରେ ବିବାହ ଭୋଜି କରାଗଲେ, ଜାଗାର ଆକାରକୁ ଦେଖି ଅନୁମତି ଦିଆଯିବ । ତେବେ ତାହା ୨୦୦ରୁ ଅଧିକ ହେବ ନାହିଁ । ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରକ୍ଷା କରିବା, ଥର୍ମାଲ୍‍ ସ୍କାନିଂ ଓ ହାତ ଧୁଆକୁ ବାଧ୍ୟତାମୂଳକ କରାଯିବ । ଏଥିପାଇଁ ଆୟୋଜକ ସମସ୍ତ ବନ୍ଦୋବସ୍ତ ନିଶ୍ଚିତ କରାଇବେ।

ସବୁ ଜିଲ୍ଲାପାଳ, ଏସ୍‌ପିି, ମହାନଗର ନିଗମ କମିସନର୍‍ ଓ ପୁଲିସ୍‍ କମିସନର୍‍ କୋଭିଡ୍‍ ଗାଇଡ୍‌ଲାଇନ୍‍ ଠିକ୍‍ ଭାବେ ପାଳନ ହେଉଛି କି ନାହିଁ, ତାହାର କଡ଼ାକଡ଼ି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହ ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । କଣ୍ଟେନମେଣ୍ଟ ଜୋନରେ କେବଳ ଅତ୍ୟାବଶ୍ୟକୀୟ ସେବାକୁ ଅନୁମତି ମିଳିବ । ଘରକୁ ଘର ବୁଲି ସର୍ଭେ କରାଯିବ । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୮୦ ପ୍ରତିଶତ ଲୋକଙ୍କୁ ୭୨ ଘଣ୍ଟା ମଧ୍ୟରେ ଚିହ୍ନଟ କରାଯାଇ କ୍ୱାରେଣ୍ଟାଇନ୍ କରାଯିବ । ପିପିଲିରେ ହେଉଥିବା ଉପନିର୍ବାଚନ ଲାଗି ସଭା, ସମିତି ଓ ସମାବେ ଲାଗି ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ଅନୁମତି ଦେବେ । ଏଥିରେ ସର୍ବାଧିକ ୨୦୦ ଲୋକ କୋଭିଡ୍ ନିୟମ ମାନି ସାମିଲ୍ ହୋଇପାରିବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *