କୋଭିଡ୍ ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ: କୋଭିଡ୍‌ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଏଣିକି କ୍ଷତିପୂରଣ ମିଳିବ । ପ୍ରତ୍ୟେକ କୋଭିଡ୍ ମୃତକଙ୍କ ପରିବାକୁ ସଂପୃକ୍ତ ରାଜ୍ୟ ସରକାର ୫୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି ଜଣାପଡିଛି । କେନ୍ଦ୍ର ସରକାର ବୁଧବାର ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି । ପିଛିଲାଭାବେ ଏହାକୁ କାର୍ଯ୍ୟକାରୀ କରାଯାଉଥିବାବେଳେ ଆଗାମୀ ଦିନରେ ମଧ୍ୟ ଏହି ବ୍ୟବସ୍ଥା ବଳବତ୍ତର ରହିବ । ଗତବର୍ଷ କେନ୍ଦ୍ର ସରକାର କୋଭିଡ୍‌କୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିସାରିଛନ୍ତି । ତେଣୁ ୨୦୨୦ ଜାନୁଆରୀଠାରୁ କୋଭିଡ୍‌ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଏହି ଆର୍ôଥକ ଅନୁକମ୍ପା ପାଇବାକୁ ହକ୍‌ଦାର ହୋଇଥିବାବେଳେ ଆଗାମୀ ଦିନରେ କୋଭିଡ୍‌ରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାର ମଧ୍ୟ ଏହି ଅର୍ଥ ପାଇବେ ବୋଲି କୁହାଯାଇଛି । ରାଜ୍ୟ ସରକାର ନିଜସ୍ୱ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରିବେ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ଆବେଦନପତ୍ର ମିଳିବାର ୩୦ ଦିନ ମଧ୍ୟରେ କ୍ଷତିପୂରଣ ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଏ ପ୍ରସଙ୍ଗରେ କୌଣସି ଆପତ୍ତି ଅଭିଯୋଗ ଆସେ, ତାହାହେଲେ ଜିଲ୍ଲାସ୍ତରୀୟ ଅଧିକାରୀ ଯଥା ଅତିରିକ୍ତ ଜିଲ୍ଲାପାଳ, ଚିଫ୍ ମେଡିକାଲ ଅଫିସର ଏବଂ ଜଣେ କୋଭିଡ୍ ବିଶେଷଜ୍ଞଙ୍କୁ ନେଇ ଗଠିତ କମିଟି ଦ୍ୱାରା ଏହାର ସମାଧାନ କରାଯିବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ସୂଚନାଯୋଗ୍ୟ ସେପ୍ଟେମ୍ବର ୨୧ ସୁଦ୍ଧା ଦେଶରେ ମୋଟ ୪,୪୫,୭୬୮ ଜଣ କୋଭିଡ୍‌ରେ ପ୍ରାଣ ହରାଇ ସାରିଲେଣି ।

କୋଭିଡ୍‌ରେ ପ୍ରାଣ ହରାଉଥିବା ପ୍ରତ୍ୟେକ ମୃତକଙ୍କ ପରିବାର ପିଛା କେନ୍ଦ୍ର ସରକାର ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ଦାବିକରି ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଏର କରାଯାଇଥିଲା । ତେବେ କେନ୍ଦ୍ର ସରକାର ପୂର୍ବରୁ ଏହି ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି । କୋଭିଡ୍ ଚିକିତ୍ସା ଓ ଟିକାକରଣ ବାବଦରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାରୁ ଏଭଳି କ୍ଷତିପୂରଣ ପ୍ରଦାନ କରିବା ସେମାନଙ୍କ ପକ୍ଷରେ ସମ୍ଭବ ନୁହେଁ ବୋଲି କେନ୍ଦ୍ର ସରକାର ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । ଇତିମଧ୍ୟରେ କେତେକ ରାଜ୍ୟ ସରକାର ଅବଶ୍ୟକ କୋଭିଡ୍ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ପ୍ରଦାନ କରୁଛନ୍ତି । ବିହାର ସରକାର ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାରକୁ ୪ ଲକ୍ଷ ଟଙ୍କା ପ୍ରଦାନ କରୁଥିବାବେଳେ ମଧ୍ୟପ୍ରଦେଶ ସରକାର ୧ ଲକ୍ଷ ଓ ଦିଲ୍ଲୀ ସରକାର ୫୦ ହଜାର ଟଙ୍କା ପ୍ରଦାନ କରୁଛନ୍ତି । ପୁନଶ୍ଚ କୋଭିଡ୍ କାର୍ଯ୍ୟରେ ନିୟୋଜିତ ଥିବା ଅବସ୍ଥାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ମଧ୍ୟ କୋଭିଡ୍ ମୃତକଙ୍କ ତାଲିକାରେ ସାମିଲ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏମାନଙ୍କୁ ଜାରି କରାଯାଉଥିବା ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ ‘କୋଭିଡ୍‌’ ବୋଲି ଉଲ୍ଲେଖ କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *