ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ‘ବ୍ଲାକ୍ ଫଙ୍ଗସ’ର ମୁକାବିଲା ପାଇଁ ପ୍ରସ୍ତୁତ ରୁହ

ଭୁବନେଶ୍ୱର : ତୃତୀୟ ଲହର ପାଇଁ ପ୍ରସ୍ତୁତି ଏବେଠାରୁ ଆରମ୍ଭ କର । ପିଲାମାନଙ୍କ ଯତ୍ନ ଉପରେ ସ୍ୱତନ୍ତ୍ର ଫୋକସ୍ ଦିଅ । ବ୍ଲାକ୍ ଫଙ୍ଗସର ମୁକାବିଲା ପାଇଁ ମଧ୍ୟ ପ୍ରସ୍ତୁତ ରୁହ । କୋଭିଡରେ ନିଜ ସ୍ୱାମୀଙ୍କୁ ହରାଇଥିବା ମହିଳା ଏବଂ ବାପା-ମାଙ୍କୁ ହରାଇଥିବା ପିଲାଙ୍କୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରି ୨ ସପ୍ତାହ ମଧ୍ୟରେ ମଧୁବାବୁ ପେନ୍‌ସନ୍ ଯୋଜନାରେ ସାମିଲ କର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦେଶ ଦେଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ ।  ଏହି ଅବସରରେ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀ ମାନଙ୍କୁ ଆଗୁଆ ୩ ମାସର ପେନ୍‌ସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ପେନ୍‌ସନ ନଗଦ ଟଙ୍କା ଆକାରରେ ହିତାଧିକାରୀଙ୍କ ଗାଁରେ ହିଁ ଦିଆଯିବ ।

ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ “ବ୍ଲାକ ଫଙ୍ଗସ’ର ରୋଗୀ ବହୁ ସଂଖ୍ୟାରେ ବାହାରୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହିତ ରାଜ୍ୟରେ ଏହାର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ହେବ । ତାଲିମ ପ୍ରାପ୍ତ ଡାକ୍ତର ଓ ମେଡିସିନ୍ ମହଜୁଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରାଜ୍ୟର ମେଡିକାଲ କଲେଜ ସମେତ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ଓ ନନ୍‌-କୋଭିଡ ବ୍ଲାକ୍ ଫଙ୍ଗସ ରୋଗୀଙ୍କୁ ଚିହ୍ନଟ କରି ଅଲଗା ଅଲଗା ୱାର୍ଡରେ ସେମାନଙ୍କୁ ଚିକିତ୍ସା କରିବା ପାଇଁ ନିର୍ଦେଶ ଦିଆଯାଇଛି । ଆଗାମୀ ସପ୍ତାହ ମଧ୍ୟରେ ରାଜ୍ୟରେ କୋଭିଡ ଦ୍ୱିତୀୟ ଲହରର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଆଶାବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଅଭିଜ୍ଞତାକୁ ଉପଯୋଗ କରି ଆମକୁ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ହେବ ।

ପ୍ରତ୍ୟେକ ଜିଲ୍ଲାରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ଫୋକସ ରଖି ବ୍ୟବସ୍ଥା କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ତ୍ତମାନ ରାଜ୍ୟରେ ପଜିଟିଭିଟି ରେଟ୍ ୧୫ ପ୍ରତିଶତରୁ କମ୍ ରହିଛି ଏବଂ ଅଧିକାଂଶ ଜିଲ୍ଲାରେ ପଜିଟିଭ କେସ୍ ମଧ୍ୟ ହ୍ରାସ ପାଇଲାଣି । କିନ୍ତୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅଧିକ ଟେଷ୍ଟିଂ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତାସହିତ ୨୪ ମେ’ରୁ ଆରମ୍ଭ ହୋଇଥିବା ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ସମ୍ପର୍କରେ ବ୍ୟାପକ ସଚେତନତା କରାଯିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଜିଲ୍ଲାପାଳମାନେ ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେବା ସହିତ ଚିହ୍ନଟ ରୋଗୀ ମାନଙ୍କର ଚିକିତ୍ସା ପ୍ରାଥମିକତା ଭିତ୍ତିରେ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ପରିସ୍ଥିତିରେ ସଂକ୍ରମଣ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଗୋଷ୍ଠୀକୁ ସକ୍ରିୟ ଭାବରେ ସାମିଲ କରିବା ଉପରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଟିକାକରଣ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଭବିଷ୍ୟତ ‘ଲହର’ ଏବଂ ‘ଭାରିଆଣ୍ଟ’ ବିରୁଦ୍ଧରେ ଲଢିବା ପାଇଁ ମୁଖ୍ୟ ଅସ୍ତ୍ର ହେଉଛି ଟିକା । ସମସ୍ତ ବାଧାବିଘ୍ନ ସତ୍ତ୍ୱେ ରାଜ୍ୟରେ ଟିକା ଯୋଗାଣ ବୃଦ୍ଧି ପାଇଁ ସରକାର ସବୁମତେ ଉଦ୍ୟମ ଜାରି ରଖିଛନ୍ତି ।

ଆଗାମୀ ମାସରେ ଟିକା ଯୋଗାଣ ଉପରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ଜାତିସଂଘର ସଂସ୍ଥା ‘ଯୁନାଇଟେଡ଼ ନେସନ ଡିଜାଷ୍ଟର ରିଡ଼କ୍ସନ’ ପକ୍ଷରୁ ଓଡିଶାର ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟକ୍ରମକୁ ସ୍ୱୀକୃତି ପ୍ରଦାନ ସଂପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡିଶାବାସୀଙ୍କ ସଂପୂର୍ଣ୍ଣ ସହଯୋଗ ଯୋଗୁ ହିଁ ଆମେ ଏହା ହାସଲ କରିପାରିଛୁ । ସେଥିପାଇଁ ମୁଖ୍ୟମନ୍ତ୍ରୀ ପୁଣି ଥରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଲକ୍‌ଡାଉନ ନିୟମ ତଥା କୋଭିଡ ନିୟମାବଳୀ କଡାକଡି ପାଳନ ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ଗ୍ରାମାଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୋଷ୍ଠୀ ସଂଗଠନଗୁଡିକର ଯୋଗଦାନ ଏବଂ କୋଭିଡ ପରୀକ୍ଷାକୁ ଆହୁରି ଜୋରଦାର କରାଯିବ ବୋଲି କହିଥିଲେ ।

ରାଜ୍ୟରେ କୋଭିଜ ପରିସ୍ଥିତି ସଂପର୍କରେ ସମ୍ୟକ ସୂଚନା ଦେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପିକେ ମହାପାତ୍ର କହିଥିଲେ, ରାଜ୍ୟରେ କୋଭିଡ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଲାଣି । ଗତ ୧୫ ଦିନ ମଧ୍ୟରେ ରାଜ୍ୟରେ ମୃତ୍ୟୁ ହାର ୦.୩ ପ୍ରତିଶତ ରହିଛି, ଯାହାକି ସାରା ଦେଶରେ ସର୍ବନିମ୍ନ । ରାଜ୍ୟରେ ଦକ୍ଷିଣ ଓ ପଶ୍ଚିମ ଭାଗରେ ପଜିଟିଭିଟି ହାର ହ୍ରାସ ପାଇଥିବା ବେଳେ, ଉପକୂଳବର୍ତ୍ତୀ ୧୧ଟି ଜିଲ୍ଲାରୁ ରାଜ୍ୟର ମୋଟ ପଜିଟିଭ ସଂଖ୍ୟାର ୬୩ ପ୍ରତିଶତ ରହୁଛି । ତେଣୁ ଉପକୂଳ ଓଡିଶାରେ ଅଧିକ ଟେଷ୍ଟିଂ ଉପରେ ଜୋର ଦିଆଯିବ ବୋଲି ସେ କହିଥିଲେ । ଶ୍ରୀ ମହାପାତ୍ର କହିଥଲେ ବର୍ତ୍ତମାନ ରାଜ୍ୟରେ କୋଭିଡ ଚିକିତ୍ସା ପାଇଁ ଆଇସିୟୁ , ଏଚଡିୟୁ ଓ ସାଧାରଣ ଶଯ୍ୟା ଉପରେ ଚାପ ହ୍ରାସ ପାଇଛି । ଅକ୍‌ସିଜେନ ବ୍ୟବହାର ଚାହିଦା ମଧ୍ୟ ହ୍ରାସ ପାଇଛି । ଏହା ପରିସ୍ଥିତିର ଉନ୍ନତିର ସୂଚନା ଦେଉଛି ।

ରାଜ୍ୟର ଟିକା ଯୋଗାଣ ସଂପର୍କରେ ଶ୍ରୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ସେହିପରି ତୃତୀୟ ଲହରର ମୁକାବିଲା ପାଇଁ ପିଲାମାନଙ୍କୁ ଯତ୍ନ କିପରି ଭଲ ଭାବରେ ନିଆଯାଇପାରିବ, ସେଥିପାଇଁ ଆବଶ୍ୟକ ଡାକ୍ତର ଓ ଉପକରଣର ବ୍ୟବସ୍ଥା କରାଯାଉଛି ବୋଲି ସେ ସୂଚନା ଦେଇଥିଲେ । ବ୍ଲାକ୍ ଫଙ୍ଗସ ଚିକିତ୍ସା ପାଇଁ ‘ଆମଫୋଟେରୀସିନ’ ମଗାଯାଇଛି ବୋଲି ସେ ସୂଚନା ଦେଇଥିଲେ । ପୋଲିସ ମହାନିର୍ଦ୍ଦେଶକ ଅଭୟ ଓ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଏମ୍ ଅକ୍ଷୟ ସେମାନଙ୍କ ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ମୟୁରଭଞ୍ଜ, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା ଓ କେନ୍ଦ୍ରାପଡାର ଜିଲ୍ଲାପାଳ ଏବଂ ବିଏମ୍‌ସି ଓ ସିଏମ୍‌ସି କମିଶନର ମୁଖ୍ୟମନ୍ତ୍ରୀଙ୍କୁ କୋଭିଡ ପରିଚାଳନା ସଂପର୍କରେ ଅବଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ପରିଚଳନା କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *