ଓମିକ୍ରନ ଲହରୀ ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ଆଜି ରାଜ୍ୟରେ କୋଭିଡ ମହାମାରୀ ତଥା ଏହାର ନୂଆ ଭାରିଏଣ୍ଟ ଓମିକ୍ରନ ସଂପର୍କରେ ପ୍ରସ୍ତୁତି ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ବୟନ ସଂପର୍କରେ ସମୀକ୍ଷା କରି ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାରା ପୃଥିବୀରେ ଓମିକ୍ରନ ତାର ପ୍ରଭାବ ବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ ୮ଟି କେସ୍‌ ଦେଖାଦେଇଛି । ଆଗାମୀ ସପ୍ତାହ ଗୁଡିକରେ ଏହାର ପ୍ରଭାବ  ଆହୁରି ବଢିପାରେ । ତେଣୁ ଆମକୁ ଅଧିକ ସତର୍କ ରହିବା ସହିତ ଆଗୁଆ ପଦକ୍ଷେପ ନେଇ ଏହାକୁ ରୋକିବା ପାଇଁ କାର୍ଯ୍ୟକ୍ରମ କରିବାକୁ ହେବ । ମୁଖ୍ୟମନ୍ତ୍ରୀ ସମସ୍ତ ସଂପୃକ୍ତ ବିଭାଗ ଗୁଡିକୁ ପରାମର୍ଶ ଦେଇ କହିଛନ୍ତି

• ଟୀକାକରଣକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ସ୍ବତନ୍ତ୍ର ଅଭିଯାନ କରାଯାଉ ।

• ଦ୍ବିତୀୟ ଲହରୀ ସମୟରେ କୋଭିଡ ଚିକିତ୍ସା ପାଇଁ ଯେଉଁସବୁ ବ୍ୟବସ୍ଥା ଓ ସୁବିଧା କରାଯାଇଥିଲା, ସେ ସବୁକୁ ପୁନଃ କାର୍ଯ୍ୟକ୍ଷମ କରି ପ୍ରସ୍ତୁତ କରି ରଖାଯାଉ । ଏହାଦ୍ବାରା ହସ୍‌ପିଟାଲ ଗୁଡିକରେ ରୋଗୀଙ୍କର ତୁରନ୍ତ ଚିକିତ୍ସା ହୋଇପାରିବ

• ପିଲାମାନଙ୍କ ମଧ୍ୟରେ ଅଧିକ ହସ୍‌ପିଟାଲ ଚିକିତ୍ସା ଆବଶ୍ୟକ ହେଉଥିବା ଜଣାଯାଉଛି । ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଶିଶୁ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ ।

• ପୋଲିସ ବିଭାଗ କୋଭିଡ ନିୟମ ଗୁଡିକର ଦୃଢ ଅନୁପାଳନ ସୁନିଶ୍ଚିତ କରୁ । ଏ କ୍ଷେତ୍ରରେ କୌଣସି ଆତ୍ମସନ୍ତୋଷ ରହିବା ଉଚିତ ନୁହେଁ । ପ୍ରଥମ ଓ ଦ୍ବିତୀୟ ଲହରୀରେ ଯେଉଁଭଳି ଭଲ କାମ ହୋଇଥିଲା,  ସେହିପରି ଭାବରେ ଏଥର ମଧ୍ୟ ଦୃଢ ପଦକ୍ଷେପ ନିଆଯାଉ ।

• ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ନୂଆ ସଚେତନତା ଅଭିଯାନ କରାଯାଇ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ଅବଲମ୍ବନ କରିବା ଓ ହାତ ଧୋଇବା ଆଦି ସଂପର୍କରେ ସଚେତନ କରାଯାଉ ।

• ଜିଲ୍ଲାପାଳ ମାନେ ଲୋକଙ୍କୁ ସଚେତନ କରିବା ପାଇଁ ସମାଜର ସବୁ ବର୍ଗର ଲୋକ ବିଶେଷକରି ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ଗୋଷ୍ଠୀ ଓ ଅନ୍ୟ ମାନଙ୍କୁ ସାମିଲ କରି କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ ।
• ହସ୍‌ପିଟାଲ ଗୁଡିକରେ ଅକ୍‌ସିଜେନ ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉ ।

ନୂଆ ଭାରିଏଣ୍ଟ ଖୁବ ଜୋରରେ ବ୍ୟାପୁଥିବାର ଜଣାଯାଇଛି । ତେଣୁ ଆଉ ଗୋଟିଏ ନୂଆ ଲହରୀ ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।  

ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ ସତର୍କ ରହିବା ସହିତ ସମସ୍ତ କୋଭିଡ ନିୟମର ଅନୁପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ସରକାରୀ କର୍ତ୍ତୃପକ୍ଷଙ୍କ ସହିତ ସହଯୋଗ କରିବା ପାଇଁ ମଧ୍ୟ ସେ ନିବେଦନ କରିଛନ୍ତି ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା। ସ୍ମାର୍ଟ ହେଲ୍‌ଥ କାର୍ଡ ଗୁଡିକର ସୂଚାରୁ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗ ଓ ଅଧିକାରୀ ମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଏହି ଯୋଜନା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବହୁତ ପ୍ରଭାବ ରହିଛି ।

ଏହି କାର୍ଯ୍ୟକ୍ରମରେ ଅନୁବନ୍ଧିତ ବେସରକରୀ ହସ୍‌ପିଟାଲ ଗୁଡିକରେ ଯୋଜନାର କାର୍ଯ୍ୟାନ୍ବୟନ ସଂପର୍କରେ ନିୟମିତ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲପାଳ ଓ ଏସ୍‌.ପି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ ସହିତ ନିୟମିତ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ସମସ୍ତ କୋଭିଡ ହସ୍‌ପିଟାଲ ଗୁଡିକୁ ପ୍ରସ୍ତୁତ କରି ରଖାଯାଇଛି ଏବଂ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର୍‌.କେ ଶର୍ମା ରାଜ୍ୟରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ସେ କହିଥିଲେ ଯେ ଓମିକ୍ରନର ପ୍ରସାରକୁ ରୋକିବା ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ ସହିତ ନିୟମର ଦୃଢ ଅନୁପାଳନ ଓ ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଉଛି । ଆସନ୍ତା ତିନି ସପ୍ତାହ ମଧ୍ୟରେ ପ୍ରଥମ ଓ ଦ୍ବିତୀୟ ଡୋଜ ନେଇ ନଥିବା ସମସ୍ତ ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ଅକ୍‌ସିଜେନ ପାଇଁ ୮୨ଟି PSA Plant ଓ ୧୫ଟି LMO Plant  କରାଯିବ। ସବୁ ଚିକିତ୍ସାଳୟରେ ଆବଶ୍ୟକ ଅକ୍‌ସିଜେନ୍‌ର ବ୍ୟବସ୍ଥା ରହିଛି ବୋଲି ସେ କହିଥିଲେ। ସେହିପରି କୋଭିଡ ହସ୍‌ପିଟାଲ ଗୁଡିକରେ ୬୬୮୪ଟି ବେଡ ରହିଛି ଏବଂ ପିଲାଙ୍କ ପାଇଁ ୧୧୯୪ଟି ବେଡ୍‌ ପ୍ରସ୍ତୁତ ହୋଇ ରହିଛି ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଉପସ୍ଥାପନା ରଖି ସେ କହିଥିଲେ ଯେ ଏହି ଯୋଜନାରେ ଓଡିଶାର ୨୭୫ଟି ବେସରକାରୀ ହସ୍‌ପିଟାଲ ଅନୁବନ୍ଧିତ ହୋଇଛନ୍ତି । ୫୫ଟି ଜାତୀୟ ସ୍ତରର ହସ୍‌ପିଟାଲ ଖୁବ ଶୀଘ୍ର ଏହି ଯୋଜନାରେ ସେବା ଯୋଗାଇ ଦେବେ ବୋଲି ସେ କହିଥିଲେ । ସମସ୍ତ ହିତାଧିକାରୀଙ୍କ ମଧ୍ୟରୁ ୯୫ ପ୍ରତିଶତ ସ୍ମାର୍ଟ କାର୍ଡ ପାଇସାରିଲେଣି ବୋଲି ସେ କହିଥିଲେ ।  

ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କୋଭିଡ ପ୍ରୋଟୋକଲ୍‌ ଅନୁପାଳନ ପାଇଁ  ପୋଲିସର ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାଯୀ ଜିଲ୍ଲାପାଳ ଓ ଏସ୍‌.ପି ମାନେ ବେସରକାରୀ ହସ୍‌ପିଟାଲ ଗୁଡିକ ସହିତ BSKY ଯୋଜନା ସଂପର୍କରେ ନିୟମିତ ବୈଠକ କରିବା ଆବଶ୍ୟକ । ଏହାଦ୍ବାରା ଯୋଜନାର ସଫଳ ରୂପାୟନ ହୋଇପାରିବ । ଯେଉଁ ଜିଲ୍ଲା ଗୁଡିକରେ କମ୍‌ ହିତାଧିକାରୀ କାର୍ଡ ପାଇଛନ୍ତି,  ଆସନ୍ତା ଏକ ସପ୍ତାହ ମଧ୍ୟରେ ତ୍ବରାନ୍ବତ କରି ସମସ୍ତଙ୍କୁ  କାର୍ଡ ଦେବା ପାଇଁ ସେ କହିଥିଲେ । ବୈଠକରେ ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ଉଚ୍ଚପଦାଧିକାରୀ, ଜିଲ୍ଲାପାଳ ଓ ଏସ୍‌.ପି ମାନେ ଯୋଗ ଦେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *