ଅଗଷ୍ଟ ୨ରୁ ସିଭିଲ ସର୍ଭିସ ସାକ୍ଷାତକାର
ନୂଆଦିଲ୍ଲୀ : ଆଇଏଏସ, ଆଇପିଏସ୍, ଆଇଏଫ୍ଏସ୍ ଭଳି ସର୍ବଭାରତୀୟ ସେବା ନିମନ୍ତେ ଉଦ୍ଦିଷ୍ଟ ସିଭିଲ ସର୍ଭିସ ପରୀକ୍ଷା (୨୦୨୦)ର ସାକ୍ଷାତକାର ଆସନ୍ତା ଅଗଷ୍ଟ ୨ରୁ ଆରମ୍ଭ ହେବ ବୋଲି ୟୁପିଏସ୍ସି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ପ୍ରତିବର୍ଷ ସିଭିିଲ ସର୍ଭିସ ପାଇଁ ୟୁପିଏସ୍ସି ପକ୍ଷରୁ ତିନିଟି ପର୍ଯ୍ୟାୟ ଯଥା ପ୍ରିିଲିମ୍ସ, ମେନ୍ ଓ ପର୍ସନାଲିଟୀ ଟେଷ୍ଟ (ସାକ୍ଷାତକାର)ରେ ପରୀକ୍ଷା ଅନୁଷ୍ଠିତ ହୋଇଥାଏ ।
କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ଚଳିତବର୍ଷ ଏପ୍ରିଲ ୨୬ରୁ ଆରମ୍ଭ ହେବାକୁ ଥିବା ସାକ୍ଷାତକାର ପରୀକ୍ଷାକୁ ୟୁପିଏସ୍ସି କର୍ତ୍ତୃପକ୍ଷ ସ୍ଥଗିତ ରଖିଥିଲେ । ତେବେ କରୋନା ସ୍ଥିତିକୁ ସମୀକ୍ଷା କରାଯିବାପରେ ଅଗଷ୍ଟ ୨ରୁ ସାକ୍ଷାତକାର ପ୍ରକ୍ରିୟା ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ନିମନ୍ତେ ଖୁବଶୀଘ୍ର ଏ ସଂକ୍ରାନ୍ତ ସୂଚନା ୟୁପିଏସ୍ସି ୱେବ୍ସାଇଟରେ ଉଲ୍ଲେଖ କରାଯିବ ବୋଲି କୁହାଯାଇଛି । ତେବେ ସାକ୍ଷାତକାର ତାରିଖ ଓ ସମୟ ପରିବର୍ତ୍ତନ ସଂକ୍ରାନ୍ତ କୌଣସି ଅନୁରୋଧ ଗ୍ରହଣୀୟ ହେବନାହିଁ ବୋଲି ୟୁପିଏସ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି । କରୋନା ଯୋଗୁଁ ୨୦୨୦ ସିଭିଲ ସର୍ଭିସ ମେନ୍ ପରୀକ୍ଷାର ଫଳାଫଳ ଚଳିତବର୍ଷ ମାର୍ଚ୍ଚ ୨୩ରେ ଘୋଷଣା କରାଯାଇଥିଲା ।