ବଦଳିଲା ବୋର୍ଡର ନିଷ୍ପତ୍ତି : ୨୬ରୁ ନବମଶ୍ରେଣୀ ପ୍ରଥମ ଆସେସ୍‌ମେଣ୍ଟ ପରୀକ୍ଷା

କଟକ: ଚଳିତବର୍ଷ ନବମଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଥମ ସମ୍ମେଟିଭ୍ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ଏହି ପରୀକ୍ଷା ୨୨ତାରିଖରୁ ଆରମ୍ଭ ହୋଇ ୨୪ତାରିଖରେ ଶେଷ ହେବାକୁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଏହାକୁ ପରିବର୍ତ୍ତନ କରାଯାଇ ନୂତନ ତାରିଖ ଧାର୍ଯ୍ୟ କରାଯାଇଛି । ଫଳରେ ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜିଛି । ନୂତନ ତାରିଖ ଅନୁଯାୟୀ ଆସନ୍ତା ୨୬ତାରିଖଠାରୁ ଏହି ପରୀକ୍ଷା କରାଯିବ । ପରୀକ୍ଷାର ଗୋଟିଏ ଦିନ ଅର୍ଥାତ୍ ୨୭ତାରିଖରେ ପ୍ରଥମାଷ୍ଟମୀ ଛୁଟି ପଡୁଥିବାବେଳେ ସେହିଦିନ ପରୀକ୍ଷା ହେବ ବୋଲି ସୂଚୀରେ ଦର୍ଶାଯାଇଛି । ଯାହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି । ୨୬ତାରିଖରୁ ରାଜ୍ୟର ସମସ୍ତ ହାଇସ୍କୁଲ ଏବଂ ସଂସ୍କୃତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେବେ ।

ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପ୍ରଥମଥର ଲାଗି ନୂତନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କର ସମ୍ମେଟିଭ୍ ପରୀକ୍ଷା ଅନୁଷ୍ଠିତ ହେବ । ଏଥିଲାଗି ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୨୨ତାରିଖ ପରିବର୍ତ୍ତେ ୨୬ ତାରିଖ ଠାରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପ୍ରଥମ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା କରିବାକୁ ସୂଚୀ ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ ହାଇସ୍କୁଲ ଛାତ୍ରଛାତ୍ରୀମାନେ ପୂର୍ବାହ୍ନ ୯ଟାରୁ ୧୦ଟା ମଧ୍ୟରେ ପ୍ରଥମ ସିଟିଂ ଏବଂ ୧୧ଟାରୁ ୧୨ଟା ମଧ୍ୟରେ ଦ୍ୱିତୀୟ ସିଟିଂରେ ପରୀକ୍ଷା କରାଯିବ । ୨୬ରେ ପ୍ରଥମ ସିଟିଂରେ ଦ୍ୱିତୀୟ ଭାଷା ବିଷୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିଭଳି ଦ୍ୱିତୀୟ ସିଟିଂରେ ସାମାଜିକ ବିଜ୍ଞାନ ବିଷୟରେ ପରୀକ୍ଷା କରାଯିବ ।

୨୭ରେ ପ୍ରଥମ ଭାଷା ଏବଂ ଗଣିତ ବିଷୟରେ ପରୀକ୍ଷା ହେବ । ୨୯ରେ ତୃତୀୟ ଭାଷା ଏବଂ ସାଧାରଣ ବିଜ୍ଞାନ ବିଷୟରେ ପରୀକ୍ଷା କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି । ପ୍ରତି ବିଷୟରେ ପରୀକ୍ଷା ଲାଗି ୨ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି । ମୂକ-ବଧିର ଛାତ୍ରଛାତ୍ରୀଙ୍କ ଲାଗି ଟିଏଲ୍‌ଭି ଏବଂ ଧନ୍ଦାମୂଳକ ଟ୍ରେଡ୍‌ରେ ପ୍ରକ୍ଟିକାଲ୍ ପରୀକ୍ଷା ଆସନ୍ତା ୧୨ରୁ ୨୨ ତାରିଖ ମଧ୍ୟରେ ହେବ । ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍କୁଲରେ ଏହି ପରୀକ୍ଷା ଦେବେ । ଏହି ପ୍ରାକ୍ଟିକାଲ୍ ପରୀକ୍ଷା ଯଥାକ୍ରମେ ୩୦ ଓ ୨୦ ମାର୍କ ବିଶିଷ୍ଟ କରାଯାଇ ନିଜ ବିଦ୍ୟାଳୟରେ ମୂଲ୍ୟାୟନ କରିବାକୁ ବୋର୍ଡ ପକ୍ଷରୁ ସମସ୍ତ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ସଂସ୍କୃତ ବିଦ୍ୟାଳୟଗୁଡ଼ିକରେ ନବମଶ୍ରେଣୀ ନିମେନ୍ତ ମଧ୍ୟମା ସଂସ୍କୃତ ପ୍ରଥମ ସମ୍ମେଟିଭ୍ ପରୀକ୍ଷା ମଧ୍ୟ ୨୬ତାରିଖରୁ ଆରମ୍ଭ ହେବ । ପୂର୍ବାହ୍ନ ୯ଟାରୁ ୧୦ଟା ମଧ୍ୟରେ ପ୍ରଥମ ସିଟିଂ ଏବଂ ୧୧ଟାରୁ ୧୨ଟା ମଧ୍ୟରେ ଦ୍ୱିତୀୟ ସିଟିଂରେ ପରୀକ୍ଷା କରାଯିବ । ୨୬ ତାରିଖ ପ୍ରଥମ ସିଟିଂରେ ଇଂରାଜୀ ଏବଂ ଦ୍ୱିତୀୟ ସିଟିଂରେ ସାମାଜିକ ବିଜ୍ଞାନ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ ।

ସେହିପରି ୨୭ରେ ମାତୃଭାଷା ଏବଂ ଗଣିତରେ, ୨୯ରେ ସଂସ୍କୃତ ସାହିତ୍ୟମ ଏବଂ ବିଜ୍ଞାନ, ୩୦ରେ ସଂସ୍କୃତ ବ୍ୟାକରଣ ଓ ଦର୍ଶନ ଏବଂ ପ୍ରୟୋଗାତ୍ମକ ସଂସ୍କୃତ ବିଷୟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ଉକ୍ତ ପରୀକ୍ଷାରେ ସମସ୍ତ ବିଷୟରେ ୪୦ ମାର୍କର ପ୍ରଶ୍ନ ଆସିବ । ପ୍ରଶ୍ନପତ୍ରରେ ପ୍ରତ୍ୟେକ ବିଭାଗରେ ଅବଜେକ୍ଟିଭ୍ ଏବଂ ସବ୍‌ଜେକ୍ଟିଭ ଲାଗି ୨୦ ମାର୍କ ରଖାଯାଇଥିବା ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପରୀକ୍ଷା ପରେ ମୂଲ୍ୟାୟନକୁ ନେଇ ମଧ୍ୟ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀମାନେ ଯେଉଁ ସ୍କୁଲରେ ପରୀକ୍ଷାଦେବେ ସେଠାରେ ପରୀକ୍ଷାଖାତା ମୂଲ୍ୟାୟନ କରାଯିବ ନାହିଁ । କେଉଁ ବିଦ୍ୟାଳୟରେ ଖାତା ଦେଖାହେବ ତାହା ବିଇଓମାନେ ସ୍ଥିର କରିବେ ବୋଲି କୁହାଯାଇଛି । ବୋର୍ଡ ପକ୍ଷରୁ ନୋଡାଲ୍ ସେଣ୍ଟର୍‌ଗୁଡ଼ିକୁ ପ୍ରଶ୍ନପତ୍ର ବୁକ୍‌ଲେଟ୍ ପଠାଇ ଦିଆଯିବ ।

ନୋଡାଲ୍ ସେଣ୍ଟର୍‌ଗୁଡ଼ିକ ସମ୍ପୃକ୍ତ ଜିଲ୍ଲା ଶିକ୍ଷାଧିକାରୀମାନେ ସ୍ଥିର କରିବେ । ସେଠାରୁ ପ୍ରଶ୍ନପତ୍ର ବୁକ୍‌ଲେଟ୍ ବିଦ୍ୟାଳୟଗୁଡିକ ସଂଗ୍ରହ କରିବେ । ସେହିପରି ଯେଉଁ ନିରପେକ୍ଷ ସ୍କୁଲରେ ଖାତା ମୂଲ୍ୟାୟନ କରାଯିବ, ତାହା ପରୀକ୍ଷାର୍ଥୀଙ୍କ ସ୍କୁଲର ନିକଟବର୍ତ୍ତୀ ସ୍କୁଲ ହୋଇଥିବ ତଥା ସବୁ ବିଷୟରେ ଶିକ୍ଷକ ସେଠାରେ ଯେପରି ରହିଥିବେ । ଯଦି ଶିକ୍ଷକ ନଥିବେ, ତାହେଲେ ଅନ୍ୟ ସ୍କୁଲରୁ ନିଆଯାଇପାରିବ । ମୂଲ୍ୟାୟନ ହେଉଥିବା ସ୍କୁଲର ପ୍ରଧାନଶିକ୍ଷକମାନେ ସବୁ ବ୍ୟବସ୍ଥା ଅନୁଧ୍ୟାନ କରିବେ । ନୋଡାଲ୍ ସେଣ୍ଟର୍‌ଗୁଡ଼ିକର ତାଲିକା ଡିଇଓମାନେ ବୋର୍ଡ ନିକଟରେ ଦାଖଲ କରିବେ । ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ନୋଡାଲ୍ ସେଣ୍ଟର୍‌ଗୁଡ଼ିକୁ ପଠାଯିବ । ମୂଲ୍ୟାୟନ ପରେ ଆସନ୍ତା ଡିସେମ୍ବର ୬ରୁ ୧୩ତାରିଖ ମଧ୍ୟରେ ମାର୍କ ଅନ୍‌ଲାଇନ୍ ଅପ୍‌ଲୋଡିଂ କରାଯିବା ଯୋଜନା ରହିଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *