୧୦୦ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ‘ବ୍ଲାକ ଫଙ୍ଗସ୍’ କୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ଲୋକଙ୍କଠାରେ ଦେଖାଦେଉଥିବା ମ୍ୟୁକର ମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ରୋଗକୁ ମହାମାରୀ ଭାବେ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ଏହାସହ ରାଜ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ବିଭାଗ ବି ଏନେଇ ଅଧିସୂଚନା ଜାରି କରିଦେଇଛନ୍ତି। ରାଜସ୍ଥାନ ମହାମାରୀ ଅଧିନିୟମ ୨୦୨୦ ଅନୁସାରେ ଧାରା -୩ ଓ ସହପଠିତ ଧାରା -୪ ମୁତାବକ ମ୍ୟୁକର ମାଇକୋସିସ୍ ବା ବ୍ଲାକ ଫଙ୍ଗସ୍ ରୋଗକୁ ସମ୍ପୂର୍ଣ୍ଣ ରାଜ୍ୟରେ ମହାମାରୀ ଭାବେ ଘୋଷଣା କରାଯାଇଛି । ଚିକିତ୍ସା ବିଭାଗର ପ୍ରମୁଖ ଶାସନ ସଚିବ ଅଖିଲ ଆରୋରାଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ଅଧିସୂଚନା ମୁତାବକ କରୋନା ଭୂତାଣୁ ସଂକ୍ରମିତଙ୍କଠାରେ ଦେଖା ଦେଉଥିବା ମ୍ୟୁକର ମାଇକୋସିସ୍ ବା ବ୍ଲାକ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବ୍ଲାକ ଫଙ୍ଗସ୍ କୁ କରୋନା ସଂକ୍ରମଣର ଦ୍ୱିତୀୟ ସୋପାନ ଭାବେ ନଜରରେ ରଖି କରୋନା ସଂକ୍ରମିତଙ୍କ ଭଳି ବ୍ଲାକ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା କରାଯିବା ନେଇ ଏଭଳି ପଦକ୍ଷେପ ନିଆଯାଇଛି । ଉଲ୍ଲେଖଯୋଗ୍ୟ, ସାରା ଦେଶରେ ବଢୁଥିବା ବ୍ଲାକ ଫଙ୍ଗସ୍ ରୋଗକୁ ନେଇ ପ୍ରଥମେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଚିନ୍ତା ପ୍ରକଟ କରିଥିଲେ । ଅନ୍ୟପଟେ ବିଶେଷଜ୍ଞଙ୍କ ମତରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ମଧୁମେହ ରୋଗୀଙ୍କଠାରେ ଏହି ରୋଗ ଅଧିକ ମାତ୍ରାରେ ଦେଖା ଦେଉଛି । ଏହି ରୋଗ ସଂକ୍ରମଣ ଫଳରେ ରୋଗୀ ଅନ୍ଧ ହୋଇଯାଇଥାଏ । ରାଜସ୍ଥାନରେ ପାଖା ପାଖି ୧୦୦ ଜଣ ଲୋକଙ୍କଠାରେ ଏହି ରୋଗ ଚିହ୍ନଟ ହୋଇସାରିଛି ।

 
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *