ପୁଣି ଚାଷୀ, ମଣ୍ଡି ସମସ୍ୟା : ଶାସକ- ବିରୋଧୀ ମୁହାଁମୁହିଁ, ଗୃହ ହୁଲସ୍ତୁଲ 

ଭୁବନେଶ୍ୱର : ଚାଷୀ ଓ ମଣ୍ଡି ସମସ୍ୟାକୁ ନେଇ ପୁଣି ଗୃହ ହୁଲସ୍ତୁଲ ହୋଇଛି । ବିରୋଧୀ ଓ ଶାସକ ସଭ୍ୟ ମୁହାଁମୁହିଁ ହୋଇଛନ୍ତି । ଶୁକ୍ରବାର ଭଳି ଶନିବାର ବି ଆରମ୍ଭରୁ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗରେ ନାରାବାଜି ସହ ହଟଗୋଳ କରିଥିଲେ । ଅପରପକ୍ଷରେ ଶାସକ ଦଳ ସଦସ୍ୟମାନେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗତକାଲି ସାନିଟାଇଜର ପିଇ ଆତ୍ମହତ୍ୟା କରିବା ଉଦ୍ୟମ ପାଇଁ ଗୃହରେ କ୍ଷମା  ପ୍ରାର୍ଥନା କରନ୍ତୁ ବୋଲି ଦାବୀ କରିବା ସହ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଫଳରେ ଗୃହକୁ ସ୍ୱାଭାବିକ କରିବାକୁ  ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ବାରମ୍ବାର ମୂଲତବୀ କରିଥିଲେ । ଶନିବାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଦ୍ୱିତୀୟ ଦିନ ଓ  ବାଚସ୍ପତି ଶ୍ରୀ ପାତ୍ର ନିର୍ଦ୍ଧାରିତ ସମୟରେ ପ୍ରଶ୍ନୋତ୍ତର କାର୍ଯ୍ୟକାଳ ଆରମ୍ଭ କରିଥିଲେ ହେଁ ତାହା ସମ୍ଭବ ହୋଇ ନ ଥିଲା । ଧାନ ମଣ୍ଡି ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ ।

ଶାସକ ବିଜେଡି ସଦସ୍ୟମାନେ ନିଜ ଆସନରେ ଛିଡ଼ା ହୋଇ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ନିନ୍ଦା କରିବା ସହ ଗୃହରେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ, ପବିତ୍ର ଗୃହକୁ ଜନସାଧାରଣଙ୍କ ସମସ୍ୟା ସମାଧାନ କରିବା ପାଇଁ ବିଧାୟକମାନେ ଆସିଛନ୍ତି । ଆତ୍ମହତ୍ୟା କରିବାକୁ ନୁହେଁ । ଲୋକଙ୍କ ସମସ୍ୟା ସମାଧାନ କରିବା ଲାଗି ସରକାର ଓ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରିବର୍ତ୍ତେ ଆତ୍ମହତ୍ୟା ଉଦ୍ୟମ କରିଥିବାରୁ ବିଧାୟକ ଶ୍ରୀ ପାଣିଗ୍ରାହୀ କ୍ଷମାମାଗନ୍ତୁ । ଏହା ତାଙ୍କ ବ୍ୟକ୍ତିଗତ ନା ଦଳର କଥା ତାହା ସ୍ପଷ୍ଟ କରାଯାଉ । ଯେଉଁ ପର୍ଯ୍ୟନ୍ତ ସୁବାଷ ବାବୁ କ୍ଷମା ମାଗିନାହାନ୍ତି ସେଇ ପର୍ଯ୍ୟନ୍ତ ଗୃହ ଚାଲିପାରିବ ନାହିଁ ବୋଲି ସେ ରୋକଠୋକ୍ କହିଥିଲେ । ଏହାକୁ ସମର୍ଥନ କରି  ଶାସକ ଦଳର ସଦସ୍ୟମାନେ ନିଜ ଆସନରୁ ଉଠି ଗୃହ ମଧ୍ୟଭାଗକୁ ଯାଇ ହଟ୍ଟଗୋଳ କରିଥିଲେ । ଉଭୟ ବିରୋଧୀ ଓ ଶାସକ ସଭ୍ୟଙ୍କ ମଧ୍ୟରେ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହୋଇଥିଲା ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓ କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ୍ ସମ୍ମୁଖରେ ଚୌକି ଉପରେ ଛିଡ଼ାହୋଇ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ଶ୍ରୀ ପାତ୍ର ପ୍ରଥମେ ଗୃହକୁ ପୂର୍ବାହ୍ନ ୧୦.୩୩ରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଆଜି ଶାସକ ଓ ବିରୋଧୀ ଦଳଙ୍କ ହଟ୍ଟଗୋଳ କାରଣରୁ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ହୋଇପାରି ନାହିଁ ।
ଗୃହ ସାଢେ ୧୧ଟାରେ ଆରମ୍ଭ ହେବା ପରେ ବିରୋଧୀ ଅନୁରୂପ ପ୍ରତିବାଦ କରିଥିଲେ । ତେଣୁ ଗୃହରେ ଅଚଳାବସ୍ଥା ଜାରି ରହିଥିଲା । ଶାସକ ଓ ବିରୋଧୀ ସଦସ୍ୟ ଗୃହ ମଧ୍ୟଭାଗରେ ପୁଣି ହୋହାଲ୍ଲା କରିବା ସହ ନାରାବାଜି ଦେଇଥିଲେ । ନିଜ ଆସନକୁ ଯିବା ଲାଗି ବାଚସ୍ପତି ସଦସ୍ୟଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ସେମାନେ ଶୁଣିନଥିଲେ । ଅଚଳାବସ୍ଥା ଲାଗି ରହିଥିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୧୧.୩୨ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *