ବଙ୍ଗ ଲଢ଼େଇର ରଙ୍ଗ
ମୁସ୍ଲିମ ଭୋଟ୍ ତୃଣମୂଳ ଏବଂ ବାମ-କଂଗ୍ରେସ ମଧ୍ୟରେ ବିଭକ୍ତ ହୋଇପାରେ ବୋଲି କୁହାଯାଉଥିଲେ ହେଁ ବାସ୍ତବରେ ସଂଖ୍ୟାଲଘୁ ଭୋଟ୍ ମମତା ବାନାର୍ଜୀଙ୍କ ପଛରେ ଅଧିକ ଏକୀଭୂତ ହେଉଛି । କଳ୍ପନାଜଳ୍ପନା ପ୍ରକାଶ ପାଉଛି ଯେ ୮୫%ରୁ ଅଧିକ ମୁସଲମାନ ତାଙ୍କୁ ଭୋଟ୍ଦେବାକୁ ପସନ୍ଦ କରିବେ, ଯାହା ପୂର୍ବରୁ ହୋଇନଥିଲା । ଯଦି ତାହା ହୁଏ, ତେବେ ବିଜେପିର ବଙ୍ଗଳା ସ୍ୱପ୍ନ ଅଧିକ କଷ୍ଟକର ହେବ ।
ପଶ୍ଚିମବଙ୍ଗ ନିର୍ବାଚନକୁ ଏକ ଯୁଦ୍ଧଭଳି ବିବେଚନା କରୁଛନ୍ତି ଦେଶବାସୀ । ବିଜେପି ବନାମ ତୃଣମୂଳ କଂଗ୍ରେସ, ମୋଦୀ ବନାମ ମମତା ଲଢ଼େଇକୁ ବେଶ୍ ଉପଭୋଗ କରୁଛନ୍ତି ଭୋଟର୍ । ‘ଜୟ ଶ୍ରୀରାମ’ ଓ ‘ଜୟ ମା କାଳୀ’ ନାରାରେ ପ୍ରକମ୍ପିତ ହେଉଛି ବଙ୍ଗଳା । ମମତା ବାନାର୍ଜୀଙ୍କୁ ସବୁ ପ୍ରକାର କୌଶଳ ପ୍ରୟୋଗ କରି ପରାସ୍ତ କରିବାକୁ ପଣ ରଖିଛି ବିଜେପି । ଅନ୍ୟପକ୍ଷରେ ଦିଦି ମଧ୍ୟ ଘାଇଲା ବାଘୁଣୀ ସାଜି ମୋଦୀ ବ୍ରିଗେଡ୍ଙ୍କୁ ବୁଦ୍ଧି ଶିଖାଇବେ ବୋଲି ଘୋଷଣା କରିଛନ୍ତି । ଖେଲ୍ ହବେ, ବିକାଶ ହବେ… ଖୁବ୍ ଜୋର୍ସୋରରେ ଶୁଭୁଛି । ମମତା ବାନାର୍ଜୀ ଏକ ରାଜନୈତିକ ପ୍ଲାଟଫର୍ମରୁ ଚଣ୍ଡିପାଠ ଜପ କରିବା ଏବଂ ଗୋଡ଼ ପ୍ଲାଷ୍ଟର ସତ୍ତ୍ୱେ ହ୍ୱିଲ୍ ଚେୟାରରେ ପ୍ରଚାର କରିବା ପ୍ରସଙ୍ଗ ନିର୍ବାଚନକୁ ପରିହସିତ କରିଛି । ଅବଶ୍ୟ ତାଙ୍କୁ ପରିହାସ କରି ବ୍ୟକ୍ତିଗତ ଭାବେ ଟାର୍ଗେଟ୍ କରିବାରେ ଅତ୍ୟଧିକ ଆକ୍ରମଣାତ୍ମକ ହୋଇଥିବାରୁ ପରେ ବିଜେପିକୁ ଦୁଃଖିତ ହେବାକୁ ପଡ଼ିପାରେ ।
ଜଣେ ନେତା ଭାବରେ ମମତା ବାନାର୍ଜୀ ରାତାରାତି ଶୀର୍ଷରେ ପହଞ୍ଚିନାହାନ୍ତି, ବରଂ ସେ ତୃଣମୂଳରୁ ଉଠିଛନ୍ତି । ୧୯୯୦ ଦଶକ ମଧ୍ୟଭାଗରେ କଂଗ୍ରେସରେ ଥାଇ ସେ ଯେତେବେଳେ ଅନୁଭବ କଲେ ଯେ ଦଳର ବରିଷ୍ଠନେତାମାନେ ତାଙ୍କ ଅଭିଳାଷକୁ ଅଟକାଉଛନ୍ତି, ସେ ବିଦ୍ରୋହ କରି ନିଜର ଦଳ ଗଠନକଲେ । ଏହା ଏକ ବିରାଟ ନିଷ୍ପତ୍ତି ଥିଲା । ସେଦିନ ବିଶ୍ୱାସ କରାଯାଉଥିଲା ଯେ ଦଳରୁ ଅଲଗା ହୋଇ କୌଣସିି ନେତା ଅଧିକ ଦିନ ତିଷ୍ଠିପାରନ୍ତି ନାହିଁ, ମମତା ମଧ୍ୟ ତିଷ୍ଠି ନପାରନ୍ତି! କେବଳ ଶରଦ ପାୱାରଙ୍କ ପରି କିଛି ନେତାଙ୍କ କ୍ଷେତ୍ରରେ ତାହା ବ୍ୟତିକ୍ରମ ହୋଇପାରେ ।
ମମତା କଂଗ୍ରେସ ଛାଡ଼ିବା ପରେ ଆଉ ପଛକୁ ଚାହିଁ ନଥିଲେ । ଅଶାନ୍ତ ସମୟ ଦେଇ ଗତି କରିଥିଲେ ମଧ୍ୟ ପ୍ରଣବ ମୁଖାର୍ଜୀଙ୍କ ପରି କଂଗ୍ରେସକୁ ଫେରିବାର କଳ୍ପନା କରିନଥିଲେ। ମମତା ରାଜନୈତିକ କୌଶଳ ଶିଖିଥିଲେ, ଲଢ଼େଇକଲେ । ତାଙ୍କ ସହ ଆନ୍ତରିକ ସମ୍ପର୍କ ଥାଇ ମଧ୍ୟ ସୋନିଆ ଗାନ୍ଧୀଙ୍କ ନିକଟରେ ଆତ୍ମସମର୍ପଣ କରିବା ଅପେକ୍ଷା ସେ ସେତେବେଳେ ବିଜେପି ସହ ମେଣ୍ଟ କରିବାକୁ ଅଧିକ ପସନ୍ଦ କରିଥିଲେ । ଶେଷରେ, ତାଙ୍କର କଠିନ ପରିଶ୍ରମ ଫଳପ୍ରାପ୍ତ ହେଲା ୨୦୧୧ ରେ । ସେ ପଶ୍ଚିମବଙ୍ଗର ସିପିଏମ୍ ନେତୃତ୍ୱାଧୀନ ବାମପନ୍ଥୀ ସରକାରକୁ ପରାସ୍ତ କରି ସରକାର ଗଠନକଲେ ।
ବାମପନ୍ଥୀମାନେ ଏକ ସମୟରେ ପଶ୍ଚିମବଙ୍ଗରେ ଅପରାଜେୟ ଦେଖାଯାଉଥିଲେ । ମମତାଙ୍କୁ ବାମ ଗୁଣ୍ଡାମାନେ ଆକ୍ରମଣ କରିବାକୁ ପଛାଇଲେ ନାହିଁ, କିନ୍ତୁ ତାହା ତାଙ୍କୁ ଅଟକାଇ ପାରିନଥିଲା । ଅନ୍ୟ କୌଣସି ରାଜନେତା ଆଶା ହରାଇଥାନ୍ତେ, କିନ୍ତୁ ତାହା ସେ କଲେନାହିଁ । କିଭଳି ବାମପନ୍ଥୀଙ୍କ ଦୁର୍ଗପତନ କରିବେ ତାହାର ଫର୍ମୁଲା ସେ ନନ୍ଦିଗ୍ରାମ ଏବଂ ସିଙ୍ଗୁରରେ ଆବିଷ୍କାର କରିଥିଲେ । ଏବେ ବିଜେପି ନିର୍ଦ୍ଦୟ ତଥା ନିରନ୍ତର ଆକ୍ରମଣ ଦ୍ୱାରା ତାଙ୍କୁ ଭୟଭୀତ କରିବାକୁ ଚେଷ୍ଟାକରୁଛି, ଏଥିରୁ ଫଳ କ’ଣ ମିଳିବ ତାହା ଭୋଟ୍ ଫଳରୁ ଅବଶ୍ୟ ସ୍ପଷ୍ଟହେବ । ପ୍ରତିକୂଳ ପରିସ୍ଥିତିରେ ଉତ୍କୃଷ୍ଟ ଏବଂ ଲଢ଼େଇରେ ଆନନ୍ଦିତ ହେଉଥିବା ନେତା ହେଉଛନ୍ତି ମମତା ।
ରାଜ୍ୟରେ ନିଶ୍ଚିତ ଭାବେ ବିଜେପିର ଅଭିବୃଦ୍ଧି ଘଟିଛି । ୨୦୧୪ ବିଧାନସଭା ନିର୍ବାଚନରେ ବିଜେପିର ୧୬% ଭୋଟ୍ ଏବଂ ତିନୋଟି ଲୋକସଭା ଆସନ ଥିଲା । ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ବିଜେପି ୨୪% ଭୋଟ୍ ହାସଲ କରିଛି । ୧୮ ଟି ସଂସଦୀୟ ଆସନ ସହିତ ୨୪% ଭୋଟ୍ ହାସଲ କରିଛି । କଳ୍ପନା କରାଯାଇପାରେ ଯେ ବିଜେପିର ସଂଖ୍ୟା ଆହୁରି ଉନ୍ନତ ହେବ ।
୨୦୧୧ ନିର୍ବାଚନ ପରେ ମମତା ପ୍ରଥମ ଥର ବାମପନ୍ଥୀ ଦଳକୁ ପରାସ୍ତ କରିବା ପରେ ତୃଣମୂଳ କଂଗ୍ରେସ କ୍ରମାଗତ ଭାବରେ ୪୨% ରୁ ୪୫% ଭୋଟ୍ ପାଇଛି । ବାମପନ୍ଥୀ ଏବଂ କଂଗ୍ରେସ ଭୋଟ୍ ବିଜେପି ହାସଲ କରିଛି । ଦଳ ଗଢ଼ିବା ପରେ ମମତା କଂଗ୍ରେସର ବେସ୍ ଭୋଟ୍କୁ ହାତେଇ ନେଇଥିଲେ । ଅଧିକାଂଶ କଂଗ୍ରେସ ଭୋଟର ତାଙ୍କୁ ପସନ୍ଦ କରିଥିଲେ ଏବଂ ଯେତେବେଳେ ନିରାଶ ବାମ ଭୋଟରମାନେ ତାଙ୍କ ବ୍ୟାଣ୍ଡ ୱାଗନରେ ଯୋଗ ଦେଇଥିଲେ, ସେ ବାମପନ୍ଥୀଙ୍କ ଦୁର୍ଗକୁ ଭାଙ୍ଗିବାରେ ସଫଳହେଲେ । ବର୍ତ୍ତମାନ କଂଗ୍ରେସ ଏବଂ ବାମପନ୍ଥୀମାନେ ଏକାଠି ଅଛନ୍ତି, କିନ୍ତୁ ସେମାନେ ମମତା ବାନାର୍ଜୀ କିମ୍ବା ବିଜେପି ପାଇଁ କୌଣସି ପ୍ରକାର ବିପଦ ସୃଷ୍ଟି କରୁନାହାନ୍ତି । କାରଣ ସେଭଳି ଶକ୍ତି କଂଗ୍ରେସ ଓ ବାମପନ୍ଥୀଙ୍କ ଭିତରେ ଆଉ ନାହିଁ ।
ବଙ୍ଗଳାରେ ମୁସଲମାନମାନେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି । ୨୦୧୧ ଜନଗଣନା ଅନୁଯାୟୀ ଏହି ସମ୍ପ୍ରଦାୟର ଜନସଂଖ୍ୟା ୨୭% । ୩୪ ବର୍ଷର ନିରବଚ୍ଛିନ୍ନ ବାମ ଶାସନରେ, ଅଧିକାଂଶ ମୁସଲମାନ ବାମପନ୍ଥୀଙ୍କ ସହିତ ଦୃଢ଼ଭାବରେ ଥିଲେ । ବର୍ତ୍ତମାନ ଏହି ଭୋଟ୍ ମମତା ବାନାର୍ଜୀଙ୍କ ଆଡ଼କୁ ଢ଼ଳିଛି । ମୁସଲମାନଙ୍କୁ ଭରସା କରିବା ସହ ହିନ୍ଦୁଙ୍କୁ ଅବହେଳା କରିଥିବାରୁ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରୁଛି ବିଜେପି । କିନ୍ତୁ ଦଳର ଆକ୍ରମଣାତ୍ମକ ପୋଲାରାଇଜିଂ ଅଭିଯାନ କ୍ଷତିକାରକ ପ୍ରମାଣିତ ହୋଇପାରେ ।
ମୁସଲିମ ଭୋଟ୍ ତୃଣମୂଳ ଏବଂ ବାମ-କଂଗ୍ରେସ ମଧ୍ୟରେ ବିଭକ୍ତ ହୋଇପାରେ ବୋଲି କୁହାଯାଉଥିଲେ ହେଁ ବାସ୍ତବରେ ସଂଖ୍ୟାଲଘୁ ଭୋଟ୍ ମମତା ବାନାର୍ଜୀଙ୍କ ପଛରେ ଅଧିକ ଏକୀଭୂତ ହେଉଛି । କଳ୍ପନାଜଳ୍ପନା ପ୍ରକାଶ ପାଉଛି ଯେ ୮୫% ରୁ ଅଧିକ ମୁସଲମାନ ତାଙ୍କୁ ଭୋଟ୍ ଦେବାକୁ ପସନ୍ଦ କରିବେ, ଯାହା ପୂର୍ବରୁ ହୋଇନଥିଲା । ଯଦି ତାହା ହୁଏ, ତେବେ ବିଜେପିର ବଙ୍ଗଳା ସ୍ୱପ୍ନ ଅଧିକ କଷ୍ଟକର ହେବ । ଯଦିଓ ବିଜେପି ହିନ୍ଦୁ ଭୋଟର ପୋଲାରାଇଜେସନ୍ ପରିଚାଳନା କରିବାକୁ ଚାହିଁବ, ତେବେ କଳ୍ପନା କରିବା କଷ୍ଟକର ଯେ ୭୦% ଅଣ ମୁସଲମାନ ବିଜେପିକୁ ଭୋଟ୍ ଦେବେ!!
ଏଥିରେ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ବିଜେପି-ଆରଏସଏସ ମିଳିତ ହିନ୍ଦୁ ଭୋଟ୍ର ଏକ ପ୍ରମୁଖ ଅଂଶ ହାସଲ କରିବାରେ ସଫଳ ହୋଇଛି, କିନ୍ତୁ ଉତ୍ତର ଭାରତୀୟ ଅଳ୍ପ କେତେକ ରାଜ୍ୟ ବ୍ୟତୀତ ଏହି ଭୋଟ୍ ଅଂଶ ୫୦% ଭୋଟ୍ ଅତିକ୍ରମ କରିବନାହିଁ । ବିଧାନସଭା ନିର୍ବାଚନରେ ଯେଉଁଠାରେ ମୋଦୀଙ୍କ ନେତୃତ୍ୱ ପ୍ରସଙ୍ଗ ନୁହେଁ, ସେଠାରେ ବିଜେପିର ଭୋଟ୍ ଅଂଶ ୮% ରୁ ୨୪% ହ୍ରାସ ପାଇଛି । ୨୦୧୭ ପରଠାରୁ ଜାତୀୟ ନିର୍ବାଚନରେ ୧୨ଟି ବିଧାନସଭା ନିର୍ବାଚନର ତଥ୍ୟ ବିଶ୍ଳେଷଣ ଏହି କଥାକୁ ସ୍ପଷ୍ଟକରେ । ନିକଟରେ ଅନୁଷ୍ଠିତ ଝାଡ଼ଖଣ୍ଡ ନିର୍ବାଚନରେ ବିଜେପି ୨୪% ଭୋଟ୍ ହରାଇଛି । ସେହିଭଳି ବିହାରରେ ୧୭% ଭୋଟ୍, ଦିଲ୍ଲୀରେ ୧୮% , ମହାରାଷ୍ଟ୍ର ଏବଂ ହରିୟାଣାରେ ଏହି ସଂଖ୍ୟା ଯଥାକ୍ରମେ ୮% ଏବଂ ୨୨% ।
ଏହା ଯୁକ୍ତି କରାଯାଇପାରେ ଯେ ଭୋଟରଙ୍କ ବିରୋଧୀ ମନୋଭାବ ଯୋଗୁଁ ରାଜ୍ୟରେ ଏହି ଅବନତି ଘଟିଛି । କିନ୍ତୁ ଏହି ଯୁକ୍ତି ଦିଲ୍ଲୀ ଏବଂ ଓଡ଼ିଶାରେ ରହିନାହିଁ । ଓଡ଼ିଶାରେ ସଂସଦ ଏବଂ ବିଧାନସଭା ନିର୍ବାଚନ ମଧ୍ୟରେ ଭୋଟ୍ ଅଂଶ ବ୍ୟବଧାନ ୧୦% । ଦିଲ୍ଲୀ ଏକ କ୍ଲାସିକ୍ ମାମଲା । ୨୦୧୯ ରେ ବିଜେପି ସମସ୍ତ ସାତୋଟି ସିଟ୍ ଜିତିଥିଲା ଏବଂ ଆମ୍ ଆଦମୀ ପାର୍ଟିକୁ ତୃତୀୟ ସ୍ଥାନକୁ ଠେଲି ଦିଆଯାଇଥିଲା, କିନ୍ତୁ ବିଧାନସଭା ନିର୍ବାଚନରେ ଆପ୍ ୫୪% ଭୋଟ୍ ସହିତ ୬୨ଟି ସିଟ୍ ଜିତିଥିଲା । ଏଥିରୁ ସ୍ପଷ୍ଟହେଉଛି ଯେ ଭୋଟରଙ୍କ ବିଚାର ବିଜେପି ଏବଂ ମୋଦୀଙ୍କ ମଧ୍ୟରେ ସ୍ପଷ୍ଟ ପ୍ରାର୍ଥକ୍ୟ ସୃଷ୍ଟିକରୁଛି । ମୋଦୀଙ୍କ ପ୍ରଭାବ ଯୋଗୁ ସଂସଦୀୟ ନିର୍ବାଚନରେ ଅତିରିକ୍ତ ୮% ରୁ ୧୦% ଭୋଟ୍ ବିଜେପି ଆକାଉଣ୍ଟରେ ରହୁଛି । ବିଧାନସଭା ନିର୍ବାଚନରେ କିନ୍ତୁ ଦଳକୁ ଏହି ଭୋଟ୍ ମିଳିପାରୁନାହିଁ । ଆସାମରେ ବିଜେପି ସରକାର ଅଛି ଏବଂ ପୂର୍ବ ଭାରତରେ ଏହାର ରାଜନୈତିକ ସାମ୍ରାଜ୍ୟକୁ ମଜବୁତ କରିବା ପାଇଁ ବିଜେପି ବଙ୍ଗଳା ଜିତିବ ବୋଲି ଆଶା କରାଯାଉଛି । ତାମିଲନାଡୁ, ପୁଡୁଚେରୀ ଏବଂ କେରଳରେ ଦୁଇ ଅଙ୍କ ବିଶିଷ୍ଟ ସିଟ୍ ଜିତିବା ପାଇଁ ଅମିତ ଶାହା ଏବଂ ତାଙ୍କ ଦଳ ବଙ୍ଗଳାକୁ ଟାର୍ଗେଟ୍ କରିଛନ୍ତି । ଶାହାଙ୍କ ରଣନୀତିକ ପ୍ରତିଭା ଦ୍ୱାରା ପରିଚାଳିତ ମୋଦୀଙ୍କ ବିଜେପି ଏକ ଲକ୍ଷ୍ୟଭିତ୍ତିକ ଅଭିଯାନ ଚଳାଉଛି । କିନ୍ତୁ ଜାତୀୟତା ଏବଂ ଆଞ୍ଚଳିକତା ମଧ୍ୟରେ ପ୍ରକୃତ ଯୁଦ୍ଧ ପଶ୍ଚିମବଙ୍ଗରେ ଲଢ଼ୁଛି ଦଳ ।
ମମତା ବାନାର୍ଜୀଙ୍କ ଦଶବର୍ଷର ଶାସନର ଥକ୍କା ଏବଂ ସଂଖ୍ୟାଲଘୁଙ୍କ ମୁଡ୍ର ସୁଯୋଗ ନେଇ ବିଜେପି ଦୁଇବର୍ଷ ଧରି ହିନ୍ଦୁ ଭୋଟ୍ ସଂଗ୍ରହରେ ନିୟୋଜିତ ହୋଇଛି । ତେଣେ କଂଗ୍ରେସ ଏହି ନିର୍ବାଚନକୁ ବାହ୍ୟ ବନାମ ଆଭ୍ୟନ୍ତରୀଣ ଯୁଦ୍ଧରେ ପରିଣତ କରିଥିଲେ ହେଁ ଏହା ଦଳପାଇଁ କୌଣସି ଫଳ ଦେବ ବୋଲି କେହି ଆଶାକରୁନାହାନ୍ତି । କୁହାଯାଇପାରେ, ଦିଦିଙ୍କ ପ୍ଲାଷ୍ଟର ଗୋଡ଼ ଯଦି ସହାନୁଭୂତି ଭୋଟ୍ ସୃଷ୍ଟିକରେ, ତେବେ ବିଜେପି ବଡ଼ ଅସୁବିଧାରେ ପଡ଼ିବ! ବଙ୍ଗ ଲଢ଼େଇର ରଙ୍ଗ ବଦଳିଯାଇପାରେ!!
-ଜ୍ଞାନରଞ୍ଜନ ସାମନ୍ତରାୟ