କୋଭିଡ୍ କେଳଙ୍କାରିର ନଗ୍ନ ଚିତ୍ର, ଟେଷ୍ଟ୍ ନକରି ପଜିଟିଭ୍‌

ନବରଙ୍ଗପୁର : ଜିଲ୍ଲାରେ କୋଭିଡ୍ କେଳେଙ୍କାରିର ପୁଣି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି । କୋଭିଡ୍ ଟେଷ୍ଟ ନ କରି ମଧ୍ୟ ରିପୋର୍ଟ ପଜିଟିଭ ଆସୁଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଗାଁକୁ ଗଲାପରେ ଗାଁରେ ପାଣିଠାରୁ ଆରମ୍ଭ କରି ଯାବତୀୟ ବାଚ୍ଛନ୍ଦର ଶିକାର ହେଉଛନ୍ତି ନିରୀହ ଲୋକେ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବେପରୁଆ ମନୋଭାବ ଯୋଗୁଁ ଗ୍ରାମାଞ୍ଚଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ର କମତା ଗ୍ରାମରେ ।
ଗତ ଶନିବାର କୋଭିଡ୍ ଟେଷ୍ଟ୍ ରିପୋର୍ଟରେ କମତା ଗ୍ରାମର ସୁଆଦୁ ବେପାରି କୋଭିଡ୍ ପଜିଟିଭ ତାଲିକାରେ ୧୦୧ କ୍ରମିକ ନମ୍ବରରେ ପ୍ରକାଶ ପାଇଥିଲା । ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ଥାନୀୟ ଆଶାଙ୍କୁ ଖବର ଦିଆଯାଇଥିଲା ।

ଆଶାକର୍ମୀ ଉକ୍ତ ଗ୍ରାମରେ ପହଞ୍ଚି ସୁଆଦୁ ବେପାରି କିଏ, ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ଖୋଜିଥିଲେ । ପ୍ରକୃତରେ ସେହି ନାମରେ କୌଣସି ଲୋକ ଉକ୍ତ ଗ୍ରାମରେ ନାହାଁନ୍ତି ଜାଣିବା ପରେ ସେହି ଗ୍ରାମର ଦାଉଦ ବେପାରିଙ୍କୁ କହିଲେ ତୁମର କୋଭିଡ୍ ରିପୋର୍ଟ ପଜିଟିଭ ଆସିଛି । ତୁମେ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେବ । ପ୍ରକୃତରେ ଦାଉଦ ବେପାରି ସୁସ୍ଥ ଓ ସୁରକ୍ଷିତ ଅଛନ୍ତି । କୌଣସି ଦିନ କୋଭିଡ୍ ଟେଷ୍ଟ କରିବାକୁ ହିଁ ଯାଇନାହାଁନ୍ତି । ଦାଉଦ ବେପାରି କହିଛନ୍ତି ଏହା କେମିତି ସମ୍ଭବ ହେଉଛି ।

ମନଇଚ୍ଛା ସେମାନେ ଯାହାକୁ ଚାହୁଁଛନ୍ତି ତାକୁ ପଜିଟିଭ କରିଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଶେଷରେ ଆଶାକର୍ମୀ ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣାଇଥିଲେ । ଏ ସମ୍ପର୍କରେ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସମଲେଇ ପ୍ରସାଦ ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସେହି ତାଲିକା ଜିଲ୍ଲା ମୁଖ୍ୟ ଚିକିତ୍ସାକେନ୍ଦ୍ରରୁ ଆସିଥିଲା । ତେଣୁ ସେଭଳି ଲୋକ କେହି ନାହାଁନ୍ତି ବୋଲି ଶ୍ରୀ ପଣ୍ଡା କହିଥିଲେ । ଏ ସମ୍ପର୍କରେ ଏଡିଏମଖ୍ ପିଏଚ ଡ. ମଳୟ କୁମାର ତ୍ରିପାଠୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ମୋବାଇଲ ବନ୍ଦ ଥିଲା । ଅଧିକ ଜାଣିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଚୌଧୁରୀ ଶୋଭାରାଣୀ ମିଶ୍ରଙ୍କୁ ପଚାରିବାରୁ ଆମ ପରିଚୟ ଜାଣିବା ପରେ ବ୍ୟସ୍ତ ଅଛି କହି ମୋବାଇଲ କଲ୍ କାଟିଦେଇଥିଲେ । ଏହିଭଳି କୋଭିଡ୍ ତଥ୍ୟରେ ବହୁ ଜାଲିଆତି ହେଉଥିବା ଅଭିଯୋଗ ଆସୁଛି । ଭୁଲ୍ ରିପୋର୍ଟ ଦିଆଯାଉଛି ।

ଗତ ଏପ୍ରିଲ ୧୪ ତାରିଖରେ ମୋଟ ପଜିଟିଭ ସଂଖ୍ୟା ୬୩୨୯ ଥିଲା । ୧୫ ତାରିଖରେ ୪୩ ଜଣ ନୂତନ ପଜିଟିଭ ଚିହ୍ନଟ ହୋଇଥିଲେ । କିନ୍ତୁ ମୋଟ ପଜିଟିଭ୍ ସଂଖ୍ୟା ୬୫୨୩ ହୋଇଗଲା । ପ୍ରତିଦିନର କୋଭିଡ୍ ହିସାବ ସିଏମ୍‌ଓ, ମୋ ସରକାର, ୫-ଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଅବଗତ କରାଯାଉଛି । ଏଭଳି ବାରମ୍ବାର ଭୁଲ ତଥ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି । ରବିବାର ମଧ୍ୟ ଭୁଲ ତଥ୍ୟ ଦିଆଯାଇଥିଲା । ନିତିଦିନ ପକ୍ଷରୁ ଦୃଷ୍ଟି ଆକର୍ଷଣ କରିବାରୁ ତଥ୍ୟ ଯାଞ୍ଚ କରାଯାଇ ପୁନର୍ବାର ତଥ୍ୟ ଦିଆଗଲା । ନିର୍ଭୁଲ ତଥ୍ୟ ଦେବାକୁ ଜିଲ୍ଲାର ବୁଦ୍ଧିଜୀବୀମାନେ ଦାବିକରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *