ଏସି ଓ ଏଲ୍‌ଇଡି ଲାଇଟ୍ ପାଇଁ ୬,୨୩୮ କୋଟି ଟଙ୍କାର ପିଏଲ୍‌ଆଇ ସ୍କିମ୍ ମଞ୍ଜୁରୀ

ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତର ସଂକଳ୍ପକୁ ସାକାର ସାକାର କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶ୍ୱେତ ବସ୍ତୁ (ଏୟାର କଣ୍ଡିସନର ଓ ଏଲଇଡି ଲାଇଟ୍‌) ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ମଞ୍ଜୁର ଦେଇଛନ୍ତି । ଏହି ଯୋଜନା ପାଇଁ ୬୨୩୮ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି । ପିଏଲଆଇ ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି କ୍ଷେତ୍ର ଆଧାରିତ ଅକ୍ଷମତାକୁ ଦୂର କରି, ବ୍ୟାପକ ମାତ୍ରାରେ ଅର୍ଥବ୍ୟବସ୍ଥାର ନିର୍ମାଣ ଓ ଦକ୍ଷତା ସୁନିଶ୍ଚିତ କରିବା ତଥା ଭାରତରେ ଉତ୍ପାଦନକୁ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାମୂଳକ କରିବା । ଏହାର ରୂପରେଖ ଭାରତରେ ଉପକରଣ ଏବଂ ଯନ୍ତ୍ରାଂଶ ନିର୍ମାଣର ସମ୍ପୂର୍ଣ୍ଣ ଇକୋସିଷ୍ଟମକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି ।

ଫଳରେ ଭାରତକୁ ବିଶ୍ୱ ଯୋଗାଣ-ଶୃଙ୍ଖଳର ମହତ୍ତ୍ୱପୂର୍ଣ୍ଣ ଅଂଶବିଶେଷ କରାଯାଇପାରିବ । ବୈଶ୍ୱିକ ନିବେଶ ଆକୃଷ୍ଟ କରିବା, ବ୍ୟାପକ ମାତ୍ରାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ରପ୍ତାନି ବୃଦ୍ଧି କରିବାରେ ସହାୟତା ମିଳିପାରିବ । ଏୟାର କଣ୍ଡିସନର ଏବଂ ଏଲଇଡି ଲାଇଟ ନିର୍ମାଣ ସହ ଜଡ଼ିତ କମ୍ପାନୀଗୁଡ଼ିକୁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ନିର୍ମିତ ସାମଗ୍ରୀର ପରିବର୍ଦ୍ଧିତ ବିକ୍ରି ଉପରେ ୪ରୁ ୬ ପ୍ରତିଶତ ହାରରେ ପ୍ରୋତ୍ସାହନ ଦିଆଯିବ । ବିଭିନ୍ନ ଲକ୍ଷ୍ୟ ଧାର୍ଯ୍ୟ କ୍ଷେତ୍ର ପାଇଁ ପ୍ରାକ-ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା କମ୍ପାନୀ ଯୋଜନାରେ ଅଂଶଗ୍ରହଣ ଲାଗି ଯୋଗ୍ୟ ବିବେଚିତ ହେବେ । ବ୍ରାଉନ ଫିଲ୍ଡ ଏବଂ ଗ୍ରୀନ ଫିଲ୍ଡ ନିବେଶ କରୁଥିବା କମ୍ପାନୀଗୁଡ଼ିକୁ ମଧ୍ୟ ପ୍ରୋତ୍ସାହନ ଯୋଜନା ପାଇଁ ଯୋଗ୍ୟ ଭାବେ ଗ୍ରହଣ କରାଯିବ ।

ପ୍ରୋତ୍ସାହନ ଦାବି କରିବା ଲାଗି ଆଧାର ବର୍ଷରେ ନିର୍ମିତ ସାମଗ୍ରୀ ସନ୍ଦର୍ଭରେ ପରିବର୍ଦ୍ଧିତ ନିବେଶ ଏବଂ ପରିବର୍ଦ୍ଧିତ ସର୍ତ୍ତକୁ ପୂରଣ କରିବାକୁ ହେବ । ଭାରତ ସରକାରଙ୍କ ଅନ୍ୟ କୌଣସି ପିଏଲଆଇ ଯୋଜନାର ଲାଭ ଉଠାଉଥିବା କମ୍ପାନୀ ସମାନ ଉତ୍ପାଦ ସନ୍ଦର୍ଭରେ ଯୋଜନା ଅନ୍ତର୍ଗତ ଯୋଗ୍ୟ ବୋଲି ଗ୍ରହଣୀୟ ହେବେ ନାହିଁ, କିନ୍ତୁ କମ୍ପାନୀ ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅନ୍ୟ ଯୋଜନାର ଲାଭ ପାଇପାରିବେ । ଯୋଜନାକୁ ସମ୍ପୂର୍ଣ୍ଣ ଦେଶରେ ଲାଗୁ କରାଯିବ ଏବଂ ଏଥିପାଇଁ ଯେକୌଣସି ସ୍ଥାନ, କ୍ଷେତ୍ର କିମ୍ବା ଜନସଂଖ୍ୟା ବିଶେଷକୁ ଧ୍ୟାନରେ ରଖାଯାଇନାହିଁ । ଏମଏସଏମଇ କମ୍ପାନୀଗୁଡ଼ିକ ସମେତ ଦେଶ ଓ ବିଦେଶର ବିଭିନ୍ନ କମ୍ପାନୀଗୁଡ଼ିକୁ ଏହି ଯୋଜନାରୁ ଲାଭ ମିଳିବାର ସମ୍ଭାବନା ରହିଛି । ଏହି ଯୋଜନା, ଏସି ଏବଂ ଏଲଇଡି ଲାଇଟ ଉଦ୍ୟୋଗରେ ଉଚ୍ଚ ବିକାଶ ହାର ହାସଲ କରିବାରେ, ଭାରତରେ ସହାୟକ ଯନ୍ତ୍ରାଂଶର ସମ୍ପୂର୍ଣ୍ଣ ଇକୋ-ସିଷ୍ଟମ ବିକଶିତ କରିବାରେ ଏବଂ ଭାରତରେ ଉତ୍ପାଦନ କ୍ଷେତ୍ରରେ ବିଶ୍ୱସ୍ତରୀୟ କମ୍ପାନୀ ପ୍ରସ୍ତୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଏହି କମ୍ପାନୀଗୁଡ଼ିକୁ ଘରୋଇ ବଜାରରେ ବିକ୍ରି ନିମନ୍ତେ ବାଧ୍ୟତାମୂଳକ ବିଆଇଏସ ଏବଂ ବିଇଇ ମାନକ ତଥା ବିଶ୍ୱ ବଜାରରେ ଲାଗୁ ମାନକଗୁଡ଼ିକୁ ପୂରଣ କରିବାକୁ ହେବ । ଏହି ଯୋଜନା ଫଳରେ ଗବେଷଣା, ବିକାଶ ଓ ନବୋନ୍ମେଷରେ ନିବେଶ ଏବଂ ପ୍ରଯୁକ୍ତି ଉନ୍ନୟନରେ ସହାୟତା ମିଳିବ । ପିଏଲଆଇ ଯୋଜନା ଫଳରେ ଆସନ୍ତା ୫ ବର୍ଷ ମଧ୍ୟରେ ୭୯୨୦ କୋଟି ଟଙ୍କାର ବର୍ଦ୍ଧିତ ନିବେଶ ହେବ; ୧,୬୮,୦୦୦ କୋଟି ଟଙ୍କାର ବୃଦ୍ଧିଶୀଳ ଉତ୍ପାଦନ ହେବ, ୬୪,୦୦୦ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ରପ୍ତାନି ହେବ । ୪୯,୩୦୦ କୋଟି ଟଙ୍କାର ପ୍ରତ୍ୟକ୍ଷ ଓ ପରୋକ୍ଷ ରାଜସ୍ୱ ଆୟ ହେବା ସହିତ ଚାରି ଲକ୍ଷ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ବ୍ୟତୀତ ସୋଲାର୍ ପିଭି ମଡ୍ୟୁଲ୍ ପାଇଁ ମଧ୍ୟ ସରକାର ୪,୫୦୦ କୋଟି ଟଙ୍କାର ୧୦,୦୦୦ ମେଗାୱାଟ କ୍ଷମତା ବିଶ୍‌ିଷ୍ଟ ମଡୁଲାର୍ କାରଖାନା ସ୍ଥାପନ ପାଇଁ ଅନୁମୋଦନ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *