ଅଶୋଭନୀୟତାର ନିଚ୍ଛକ ନିଦର୍ଶନ,  ବାଚସ୍ପତିଙ୍କୁ ଚପଲ ଫିଙ୍ଗିଲେ ବିରୋଧୀ

ଭୁବନେଶ୍ୱର : ପବିତ୍ର ବିଧାନସଭାରେ ପ୍ରଥମ ଥର ପାଇଁ ଅଭାବନୀୟ ଘଟଣା ଘଟିଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉପରକୁ ବିଜେପି ସଭ୍ୟମାନେ ଚପଲ, ମାଇକ୍ରୋଫୋନ୍‌, କଲମ, କାଗଜ ପିଣ୍ଡୁଳା ଓ ଡଷ୍ଟବିନ୍ ଫୋପାଡିଛନ୍ତି । ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ପୂର୍ବରୁ ବିଧାନସଭାରେ ଚପଲ ଫିଙ୍ଗା ଭଳି ଘଟଣା ଘଟିଛି । ପୂର୍ବତନ ବିଧାୟକ ଅନୁପ ସାଏ ଦର୍ଶକ ଗ୍ୟାଲେରୀକୁ ଚପଲ ଫିଙ୍ଗି ନିଲମ୍ବିତ ହୋଇଥିଲେ । କିନ୍ତୁ କେବେହେଲେ ଗୃହର ସର୍ବମୟ କର୍ତ୍ତା ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗା ଭଳି ଘଟଣା ଘଟି ନଥିଲା ।

ଶନିବାର ନିର୍ଦ୍ଧାରିତ ସମୟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଓଡ଼ିଶା ସୀମାରେ ଲୋକଙ୍କ ସମସ୍ୟା, ଚାଷୀଙ୍କ ମଣ୍ଡି ସମସ୍ୟା ପ୍ରସଙ୍ଗ ଉଠାଇ ବିରୋଧୀ ହଟ୍ଟଗୋଳ କାଟିଥିଲେ । ଏଭଳି ହୋହାଲ୍ଲା ମଧ୍ୟରେ କଂଗ୍ରେସ ପକ୍ଷରୁ ଖଣି ପ୍ରସଙ୍ଗରେ ଦିଆଯାଇଥିବା ମୁଲତବି ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରିଥିଲେ । ତାହାକୁ ନେଇ ବିରୋଧି କଂଗ୍ରେସ ସଭ୍ୟମାନେ ହଟଗୋଳ କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କାହିଁକି ମୁଲତବୀ ପ୍ରସ୍ତାବ ଅଗ୍ରାହ୍ୟ ହେଲା ବୋଲି ପ୍ରଶ୍ନ କରିଥିଲେ । ବାଚସ୍ପତି ଡ. ପାତ୍ର କହିଥିଲେ ଯେ ଏହା ଏକ ପୁରୁଣା ଘଟଣା ଓ ବିଧାନସଭାର ନିୟମାନୁସାରେ ସଦ୍ୟ ଘଟଣା ଭାବେ ଆଲୋଚନା ହୋଇ ପାରିବ ନାହିଁ । ବିରୋଧିଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗୃହରେ ଖଣି ପ୍ରସଙ୍ଗ ଆଲୋଚନା ହେବା ଜରୁରୀ ବୋଲି ଦାବି କରିଥିଲେ । ବାଚସ୍ପତି ତାହାକୁ ଅଗ୍ରାହ୍ୟ କରିବା ଠିକ ନୁହେଁ । ଏଥିପାଇଁ ବାଚସ୍ପତିଙ୍କୁ ସେ ଦାୟୀ କରିଥିଲେ । ଏଭଳି ହୋହାଲ୍ଲା ଭିତରେ ଗୃହରେ ଆଗତ ହୋଇଥିଲା ଦୁଇଟି ସଂଶୋଧିତ ବିଧେୟକ । ତାହା ହେଉଛି ଓଡ଼ିଶା ଲୋକାୟୁକ୍ତ (ସଂଶୋଧନ) ବିଲ -୨୦୨୧ ଏବଂ ସମିତି ପଞ୍ଜୀକରଣ (ଓଡିଶା) ବିଲ – ୨୦୨୧ ଓ ପ୍ରଥମେ ଲୋକାୟୁକ୍ତ ସଂଶୋଧନ ବିଲ୍ ୨୦୨୧ । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ଲୋକାୟୁକ୍ତ ବିଲ୍‌କୁ ଉପସ୍ଥାପନ କରିଥିଲେ । ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଓ ରାଜକିଶୋର ଦାସ ସଂକ୍ଷିପ୍ତ ମତ ଦେବାପରେ ଏହାକୁ ବାଚନିକ ଭୋଟରେ ବାଚସ୍ପତି ପାରିତ କରିଥିଲେ । ଦ୍ୱିତୀୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଆଗତ କରିଥିବା ସମିତି ପଞ୍ଜୀକରଣ ସଂଶୋଧନ ବିଲ୍ ୨୦୨୧ ଗୃହୀତ ହୋଇଥିଲା । ହେଲେ ବିଲ୍ ଆଲୋଚନାରେ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟ ଭାଗ ନେଇ ନ ଥିଲେ । ହେଲେ ବିଲ୍ ପାଶ୍ ସମୟରେ ସେମାନେ ଗୃହରେ ପ୍ରବଳ ହଟଗୋଳ କରିଥିଲେ । ଏହି ସମୟରେ ବିଜେପି ସଦସ୍ୟମାନେ ଖୁବ୍ଧ ହୋଇ ବାଚସ୍ପତିଙ୍କ ଆସନ ଉପରକୁ ମାଇକ୍ରୋଫୋନ୍‌, କଲମ, କାଗଜ ପିଣ୍ଡୁଳା ଓ ଡଷ୍ଟବିନ୍ ଫୋପାଡ଼ିଥିଲେ । ଗହଳି ମଧ୍ୟରେ କେହି ଜଣେ ବିଧାୟକ ବାଚସ୍ପତିଙ୍କୁ ଉପରକୁ ଚପଲ ଫିଙ୍ଗିଥିଲେ । ଚପଲ କିଏ ଫିଙ୍ଗିଛି ତାହାକୁ ନେଇ ନିର୍ଦ୍ଦିଷ୍ଟ ଭାବେ କେହି କିଛି କହୁ ନାହାନ୍ତି । ଏହାକୁ ନେଇ ଗୃହ ଭିତରେ ଓ ବାହାରେ ସ୍ଥିତି ସରଗରମ ହୋଇଥିଲା । ଏହା ସତ୍ତ୍ୱେ ବି ଦୁଇଟି ବିଲ୍ ପାଶ୍ ପରେ ବାଚିସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ ।

ବାଚସ୍ପତିଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକଟ ସହିତ ପ୍ରତିବାଦରେ ଏହା କରାଯାଇଥିଲା ବୋଲି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ବିଷ୍ଣୁ ସେଠୀ ଓ ଅନ୍ୟ ନେତାମାନେ ଗୃହ ବାହାରେ ପ୍ରକାଶ କରିଥିଲେ । ସେମାନେ କହିଥିଲେ ବାଚସ୍ପତିଙ୍କ ଆସନ ଉପରକୁ ଚପଲ, ମାଇକ୍ରୋଫୋନ୍ ଓ ଡଷ୍ଟବିନ୍ ଫିଙ୍ଗା ଯାଇଛି । ହେଲେ ଚପଲ କିଏ ଫିଙ୍ଗିଛି ତାହା ଆମେ ଜାଣିନୁ ବୋଲି କହିଥିଲେ । ବାଚସ୍ପତି ଡ. ପାତ୍ର କହିଥିଲେ ଯେ ସିସିଟିଭିର ଫୁଟେଜ ମଗେଇଛି, ତାହା ଅନୁଧ୍ୟାନ କରାଯିବ । ଫୁଟେଜ ଦେଖିଲା ପରେ ପଦକ୍ଷେପ ଗ୍ରହଣ କରାଯିବ । ନରସିଂହ ମିଶ୍ର କହିଲେ ଯେ ପବିତ୍ର ଗୃହରେ ଏଭଳି ଆଚରଣ ପ୍ରଦର୍ଶନ କରିବା ଦୁଃଖର ବିଷୟ ଓ କଂଗ୍ରେସ ଏହାକୁ ନିନ୍ଦା କରିଛି । ବିଷ୍ଣୁ ସେଠୀ କହିଲେ ଯେ ମୁଁ ହେଡଫୋନ ଓ କଲମ ଫିଙ୍ଗିଛି । କେହି ନୂଆ ବିଧାୟକ ଚପଲ ଫିଙ୍ଗିଥିବେ । ମଣିଷକୁ ବାଧିଲେ ଯାହା ପାରିବ ତାହା କରିବ । ସାମ୍ବିଧାନିକ ବ୍ୟବସ୍ଥାକୁ ବାଚସ୍ପତି ପାଳନ କରୁନଥିବାରୁ ଏଭଳି ସ୍ଥିତି ଉପୁଜିଛି । ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଲେ ଯେ ଏଭଳି ଅଶୋଭନୀୟ ଆଚରଣକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ ଓ ଏହି ଘଟଣାକୁ ସବୁ ମହଲରୁ ନିନ୍ଦା କରାଯାଇଛି । ଅପରାହ୍ନ ଅଧିବେଶନରେ ଗୃହ ଆରମ୍ଭ ହେବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଜଣକ ପରେ ଜଣେ ସଦସ୍ୟଙ୍କ ମତ ନେଇ ଥିଲେ ଓ ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ଶାସକ ସଦସ୍ୟ ଭୂପିନ୍ଦର ସିଂହ, ପ୍ରତାପ ଦେବ, ଶଶୀ ଭୂଷଣ ବେହେରା, କିଶୋର ମହାନ୍ତି, ଅମର ପ୍ରସାଦ ଶତପଥୀ, ଭାଗିରଥି ସେଠୀ, ପ୍ରୀତି ରଞ୍ଜନ ଘଡେଇ ପ୍ରମୁଖ ଚପଲ ଫିଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ପରେ ବାଚସ୍ପତି ଡ. ପାତ୍ର ଭିଡିଓ କ୍ଲିପ୍ ଦେଖି ନିଷ୍ପତ୍ତି ନେବେ ବୋଲି ଗୃହରେ ରୁଲିଂ ଦେଇଥିଲେ । ପରେ ଗୃହକୁ ୧୫ ମିନିଟ ପାଇଁ ମୁଲତବୀ କରି ନିଜ ପ୍ରକୋଷ୍ଠରେ ସଂସଦୀୟ ବ୍ୟାପର ମନ୍ତ୍ରୀ ଓ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ସହାୟତାରେ ରେକର୍ଡିଙ୍ଗ ହୋଇଥିବା ଭିଡିଓ ଯାଞ୍ଚ କରିଥିଲେ ।ଚପୁଣି ଗୃହକୁ ମୁଲତବୀ କରି ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଭିଡିଓ ଦେଖାଇ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *