ଭବ୍ୟ ଉଦଘାଟନୀ ସମାରୋହ ସହ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ୨୦୨୧ର ଶୁଭାରମ୍ଭ

  • ତୃଣମୂଳସ୍ତରରେ କ୍ରୀଡ଼ା ଗତିବିଧିକୁ ପ୍ରୋତ୍ସାହନ ପାଇଁ ଉପରାଷ୍ଟ୍ରପତିଙ୍କ ଆହ୍ବାନ
  • ଦେଶର ଗ୍ରାମୀଣ ଏବଂ ସ୍ବଦେଶୀ କ୍ରୀଡ଼ାର ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ପ୍ରାଥମିକତା ଦିଆଯିବା ଉଚିତ୍‌ : ଶ୍ରୀ ଏମ. ଭେଙ୍କିୟା ନାଇଡ଼ୁ
  • ମହାମାରୀ ସମସ୍ୟା ସମୟରେ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ନୂତନ ଭାରତର ନିଷ୍ଠା ଓ ଉତ୍ସାହର ପ୍ରତୀକ । ଏହି ଯୁବ ସୁଲଭ ଉତ୍ସାହ ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ଏକ ନୂତନ ଗତିରେ ଆଗେଇ ନେଉଛି: ପ୍ରଧାନମନ୍ତ୍ରୀ
  • ସାମଗ୍ରିକ ଆଭିମୁଖ୍ୟ ଏବଂ ଶତପ୍ରତିଶତ ସମର୍ପଣ କ୍ରୀଡ଼ା ଓ ଜୀବନରେ ସଫଳତା ପାଇଁ ପ୍ରମୁଖ ଆବଶ୍ୟକତା : ପ୍ରଧାନମନ୍ତ୍ରୀ

 

Newdelhi,24/4(Bnews): ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କିୟା ନାଇଡ଼ୁ ଆଜି ବେଙ୍ଗାଲୁରୁ ଠାରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା (କେଆଇୟୁଜି-୨୦୨୧)ର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ଭର୍ଚୁଆଲ ମାଧ୍ୟମରେ ନିଜର ବାର୍ତ୍ତା ଦେଇଛନ୍ତି ।

କର୍ଣ୍ଣାଟକ ରାଜ୍ୟପାଳ ଶ୍ରୀ ଥୱର ଚନ୍ଦ ଗେହଲଟ, ମୁଖ୍ୟମନ୍ତ୍ରୀ ଶ୍ରୀ ବସବରାଜ ବୋମ୍ମାଇ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ନୀଶିଥ ପ୍ରାମାଣିକ, କ୍ରୀଡ଼ା ସଚିବ ଶ୍ରୀମତୀ ସୁଜାତା ଚତୁର୍ବେଦୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କିୟା ନାଇଡ଼ୁ କହିଥିଲେ ଯେ, ଦେଶର ଗ୍ରାମାଞ୍ଚଳ ସ୍ତରରୁ କ୍ରୀଡ଼ା ଗତିବିଧିକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି । ତୃଣମୂଳସ୍ତରରେ କ୍ରୀଡ଼ା ଭିତ୍ତିଭୂମି ବିକଶିତ କରିବାର ଆବଶ୍ୟକତା ଉପରେ ସେ ଜୋର ଦେଇଥିଲେ । ସେ କହିଥିଲେ ଯେ ଏ କ୍ଷେତ୍ରରେ କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଦୃଢ଼ ପ୍ରୟାସ କରିବା ଆବଶ୍ୟକ । ସମସ୍ତଙ୍କ ପ୍ରୟାସ ବଳରେ ଭାରତର କ୍ରୀଡ଼ା ସମ୍ଭାବନା ଏକ ନୂତନ ଉଚ୍ଚତାରେ ପହଞ୍ଚି ପାରିବ ବୋଲି ସେ କହିଥିଲେ । ଉପରାଷ୍ଟ୍ରପତି କହିଥିଲେ ଯେ କଲେଜରେ ନାମଲେଖା ଏବଂ ବିଭିନ୍ନ ବିଭାଗରେ ପଦୋନ୍ନତି ପାଇଁ କ୍ରୀଡ଼ାବିତ୍‌ମାନଙ୍କୁ ଅତିରିକ୍ତ ମାର୍କ ଦିଆଯିବା ଆବଶ୍ୟକ । ଏଭଳି ପ୍ରୋତ୍ସାହନ ଦେଶରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ ସହାୟକ ହୋଇପାରିବ ।

ସ୍ବଦେଶୀ ଏବଂ ଗ୍ରାମୀଣ କ୍ରୀଡ଼ାର ସଂରକ୍ଷଣ ଏବଂ ପ୍ରୋତ୍ସାହନ ପ୍ରତି ପ୍ରାଥମିକତା ଦେବା ଲାଗି ଉପରାଷ୍ଟ୍ରପତି ସବୁ ଅଂଶୀଦାରମାନଙ୍କୁ ଆହ୍ବାନ କରିଥିଲେ । ପ୍ରଥମ ଥର ପାଇଁ ଚଳିତ ଖେଲୋ ଇଣ୍ଡିଆ ବିଶ୍ବ ବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭରେ ଯୋଗାସନ ଏବଂ ମାଲଖମ୍ବ ଭଳି ୨୦ଟି ସ୍ବଦେଶୀ କ୍ରୀଡ଼ା ବର୍ଗରେ ପ୍ରତିଯୋଗିତା ହେଉଥିବାରୁ ଉପରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ, ବେଙ୍ଗାଲୁରୁ ସହର ଦେଶର ଯୁବସୁଲଭ ଉତ୍ସାହର ପ୍ରତୀକ । ଏହା ପେସାଦାରମାନଙ୍କ ପାଇଁ ଗର୍ବ । ସେ କହିଥିଲେ ଯେ, ଏଠାରେ କ୍ରୀଡ଼ା ଏବଂ ଷ୍ଟାର୍ଟଅପ୍ସର ସଙ୍ଗମ ଦେଖିବାକୁ ମିଳିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସେ କହିଥିଲେ ଯେ, ବେଙ୍ଗାଲୁରୁରେ ଖୋଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବା ଫଳରେ ଏହି ସୁନ୍ଦର ସହରର ଊର୍ଜା ଆହୁରି ବୃଦ୍ଧି ପାଇବ । କୋଭିଡ ମହାମାରୀ ସମସ୍ୟା ମଧ୍ୟରେ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଆୟୋଜକମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଏପରି ଆହ୍ବାନପୂର୍ଣ୍ଣ ସମୟରେ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ନୂତନ ଭାରତର ନିଷ୍ଠା ଓ ଉତ୍ସାହର ପ୍ରତୀକ । ଏହି ଯୁବ ସୁଲଭ ଉତ୍ସାହ ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ଏକ ନୂତନ ଗତିରେ ଆଗେଇ ନେଉଛି ପ୍ରଧାନମନ୍ତ୍ରୀ କହିଥିଲେ ।

ସଫଳତାର ପ୍ରଥମ ମନ୍ତ୍ର ଭାବେ ଦଳଗତ ଭାବନାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ସେ କହିଥିଲେ ଯେ ଆମେ କ୍ରୀଡ଼ାରୁ ଏହି ଦଳଗତ ଭାବନା ଶିକ୍ଷା ଲାଭ କରିଥାଉ । ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଆପଣ ଏହି ଭାବନାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିପାରିବେ । ଏହି ଦଳଗତ ଭାବନା ଜୀବନକୁ ଏକ ଭିନ୍ନ ଦୃଷ୍ଟିକୋଣ ନେଇ ଦେଖିବା ପାଇଁ ଆମକୁ ଶିକ୍ଷା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅନୁରୂପ ଭାବେ ସାମଗ୍ରିକ ଆଭିମୁଖ୍ୟ ଏବଂ ଶତପ୍ରତିଶତ ସମର୍ପଣ କ୍ରୀଡ଼ା ଓ ଜୀବନରେ ସଫଳତା ପାଇଁ ପ୍ରମୁଖ ଆବଶ୍ୟକତା ବୋଲି ଶ୍ରୀ ମୋଦୀ କହିଥିଲେ । ବାସ୍ତବରେ ଦେଖିବାକୁ ଗଲେ, କ୍ରୀଡ଼ା ଜୀବନରେ ଏକ ମୌଳିକ ସହାୟକ ପ୍ରଣାଳୀ ଭାବେ କାର୍ଯ୍ୟ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ । ସେ କ୍ରୀଡ଼ା ଏବଂ ଜୀବନ ମଧ୍ୟରେ ରହିଥିବା ସମାନତା ଉପରେ ଆଲୋଚନା କରିଥିଲେ । ଉତ୍ସାହ, ଆହ୍ବାନ, ପରାଜୟରୁ ଶିକ୍ଷା, ସଚ୍ଚୋଟତା ଏବଂ ନିର୍ଦ୍ଦିଷ୍ଟ ମୁହୂର୍ତ୍ତକୁ ନେଇ ବଞ୍ଚିବା ଆଦି ଜୀବନର ଗୁରୁତ୍ବପୂର୍ଣ୍ଣ ଶିକ୍ଷା, କ୍ରୀଡ଼ାରୁ ହିଁ ପ୍ରାପ୍ତ ହୋଇଥାଏ ବୋଲି ସେ କହିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ବିଜୟକୁ ଭଲ ଭାବେ ଗ୍ରହଣ କରିବା ଏବଂ ପରାଜୟରୁ ଶିକ୍ଷା ଲାଭ କରିବାର ଗୁରୁତ୍ବପୂର୍ଣ୍ଣ କଳା ଆମେ କ୍ରୀଡ଼ା କ୍ଷେତ୍ରରୁ ଶିକ୍ଷା ଲାଭ କରିଥାଉ ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ବସଭରାଜ ବୋମ୍ମାଇ ଦେଶର ପ୍ରଯୁକ୍ତି ରାଜଧାନୀ ବେଙ୍ଗାଲୁରୁରେ ୪ହଜାରରୁ ଅଧିକ କ୍ରୀଡ଼ାବିତ୍‌ମାନଙ୍କୁ ସ୍ବାଗତ କରିଥିଲେ । ସେ କହିଥିଲେ ଯେ ବେଙ୍ଗାଲୁରୁରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯିବା ଆମ ପାଇଁ ଗର୍ବର ବିଷୟ । ବେଙ୍ଗାଲୁରୁରେ ଏହି କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହରେ ଭାରତର ଉପରାଷ୍ଟ୍ରପତି ଶ୍ରୀ ଭେଙ୍କିୟା ନାଇଡ଼ୁ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଯୋଗ ଦେବା ଖୁସିର କଥା । କେଆଇୟୁଜି ୨୦୨୧ ଆମକୁ ନିଜର ଆତିଥେୟ ପ୍ରମାଣିତ କରିବା ଏବଂ ଆମ ଦେଶ ଓ ସଂସ୍କୃତିର ରାଷ୍ଟ୍ରୀୟ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଆମ ପ୍ରତିବଦ୍ଧତାକୁ ପ୍ରମାଣିତ କରିବା ଲାଗି ଏକ ଅବସର । ଖେଲୋ ଇଣ୍ଡିଆ ମିଶନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମର କ୍ରୀଡ଼ା ଜଗତକୁ ଏକ ନୂତନ ଉତ୍ସାହ ଏବଂ ମାର୍ଗ ପ୍ରଦର୍ଶନ କରିଛନ୍ତି ବୋଲି ଶ୍ରୀ ବୋମ୍ମାଇ କହିଥିଲେ ।

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର କହିଥିଲେ ଯେ, ପ୍ରଥମ କେଆଇୟୁଜି କ୍ରୀଡ଼ା ପ୍ରତିଯୋଗିତା ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା। ସେତେବେଳେ ଲୋକମାନଙ୍କ ମଧ୍ୟରେ ଏକ ଗର୍ବ ଏବଂ ଉତ୍ସାହର ଭାବନା ଜାଗ୍ରତ କରିଥିଲା । କିନ୍ତୁ ଏହାପରେ କୋଭିଡ ମହାମାରୀ ଆମ ସମସ୍ତଙ୍କ ଜୀବନକୁ ପ୍ରଭାବିତ କରିଥିଲା । ଖେଲୋ ଇଣ୍ଡିଆ ବିଶ୍ବ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ୨୦୨୧ ଆୟୋଜନ କରିବା ଲାଗି ଆମମାନଙ୍କୁ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା । ପୁଣିଥରେ ଆମେ ସମସ୍ତେ ଏକାଠି ହେବାର ସୁଯୋଗ ପାଇଛୁ ଏବଂ ଯୁବକମାନଙ୍କ ମଧ୍ୟରେ ସମାନ ଉତ୍ସାହ ଦେଖିବାକୁ ମିଳିଛି । କର୍ଣ୍ଣାଟକରେ ଅନୁଷ୍ଠିତ ହେଉଥିବା ଚଳିତ ବର୍ଷର ପ୍ରତିଯୋଗିତାରେ ୨୦୦ରୁ ଅଧିକ ବିଶ୍ବ ବିଦ୍ୟାଳୟର ୪ ହଜାରରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ ଯେ ଆୟୋଜକ ଜୈନ ବିଶ୍ବବିଦ୍ୟାଳୟ ସେ ପରିଦର୍ଶନ କରିଥିଲେ । ସେଠାରେ ୫୦୦ରୁ ଅଧିକ ଉତ୍ସାହୀ କ୍ରୀଡ଼ାବିତ୍‌ଙ୍କୁ ଭେଟିଥିଲେ । ଏଠାରେ ବିଶ୍ବସ୍ତରୀୟ ଶ୍ରେଷ୍ଠ କ୍ରୀଡ଼ା ସୁବିଧା ଯୋଗାଇ ଦିଆଯାଇଥିବାରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଠାକୁର ସନ୍ତୋଷ ବ୍ୟକ୍ତ କରିଥିଲେ ।

ରବିବାର, ୨୪ ଏପ୍ରିଲ ୨୦୨୨ରେ ବେଙ୍ଗାଲୁରୁର ଶ୍ରୀ କାନ୍ତୀରବା ଇନଡୋର ଷ୍ଟାଡିୟମରେ ଦ୍ବିତୀୟ ଖେଲୋ ଇଣ୍ଡିଆ ବିଶ୍ବ ବିଦ୍ୟାଳୟ କ୍ରୀଡ଼ା ୨୦୨୧ର ଭବ୍ୟ ଉଦଘାଟନୀ ସମାରୋହ ଆୟୋଜନ କରାଯାଇଥିଲା । କର୍ଣ୍ଣାଟକର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଆଧାରିତ କାର୍ଯ୍ୟକ୍ରମ ପରିବେଷଣ, ମାଲଖମ୍ବ, ଯୋଗାସନ ପ୍ରଦର୍ଶନ ଏବଂ ଚମତ୍କାର ଶବ୍ଦ ଓ ଆଲୋକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା ।

ଆୟୋଜନ ଜୈନ ବିଶ୍ବବିଦ୍ୟାଳୟ ପକ୍ଷରୁ ଅଲିମ୍ପିକ ମାନକ ସମୟ ସହ ତୁଳନୀୟ ସଫଳତା ହାସଲ କରିଥିବା ସର୍ବକନିଷ୍ଠ ଭାରତୀୟ ସନ୍ତରଣ କ୍ରୀଡ଼ାବିତ୍‌ ଶ୍ରୀହରି ନଟରାଜ ସବୁ କ୍ରୀଡ଼ାବିତଙ୍କ ପାଇଁ କେଆଇୟୁଜି ୨୦୨୧ର ଶପଥ ପାଠ କରିଥିଲେ । ଏହାପରେ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କିୟା ନାଇଡ଼ୁ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ ଘୋଷଣା କରିଥିଲେ । କିମ୍ବଦନ୍ତୀ କ୍ରୀଡ଼ାବିତ୍‌ ବିମଳ କୁମାର, ଅଞ୍ଜୁ ବବି ଜର୍ଜ, ରୀତ ଆବ୍ରାହମ, ଅଶ୍ବିନୀ ନଚ୍ଚପ୍ପା, ମାଳତୀ ହୋଲ୍ଲା, ବିଆର ବୀଡ଼ୁ, ଏବି ସୁବାୟା, ଏସଭି ସୁନୀଲ, ଭିଆର ରଘୁନାଥ ପ୍ରମୁଖ ସମାରୋହରେ ଉପସ୍ଥିତ ଥିଲେ । କେଆଇୟୁଜି ୨୦୨୧ର ସ୍ବାଗତ ସଙ୍ଗୀତ ପରିବେଷଣ ପରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

କଡ଼ା ସୁରକ୍ଷା ସତ୍ତ୍ବେ ବହୁସଂଖ୍ୟାରେ କ୍ରୀଡ଼ାପ୍ରେମୀ ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମକୁ ସିଧାସଳଖ ଉପଭୋଗ କରିଥିଲେ । ଉଦଘାଟନୀ ସମାରୋହ ଡିଡି ସ୍ପୋର୍ଟସ, ଅଲ୍‌ ଇଣ୍ଡିଆ ରେଡିଓ ଏବଂ ରେଡିଓ ସିଟୀରେ ପ୍ରସାରଣ କରାଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *