ବାତ୍ୟା ‘ଜୱାଦ୍’ ଯୋଗୁଁ ୫.୭୮ ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ
ଭୁବନେଶ୍ବର: ବାତ୍ୟା ‘ଜୱାଦ’ ପ୍ରଭାବରେ ବର୍ଷା ଯୋଗୁଁ ରାଜ୍ୟର ୫.୭୮ ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟରୁ ଏହା ଜଣାପଡ଼ିଛି। ବାତ୍ୟା ଯୋଗୁଁ ରାଜ୍ୟର ୧୨ ଜିଲ୍ଲାର ୧୩୧ ବ୍ଲକର ଚାଷ ଜମି ପ୍ରଭାବିତ ହୋଇଛି। ପ୍ରଭାବିତ ଜିଲ୍ଲା ଗୁଡ଼ିକ ହେଲା ଗଂଜାମ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଂଜ ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଚାଷୀମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଏହି ସବୁ ଜିଲ୍ଲା ଗୁଡ଼ିକରେ ଧାନ କାଟିବା ପୂର୍ବରୁ ବର୍ଷା ଆସିଥିବାରୁ ଅଧିକ କ୍ଷତି ହୋଇଛି। ତେଣୁ ଚାଷୀମାନଙ୍କ ଆଖିରୁ ଲୁହ ବାହାରିଛି। ତେବେ ତୃଣମୂଳ ସ୍ତରରେ କ୍ଷୟକ୍ଷତି ଆକଳନ ଜାରି ରହିଛି। ସାମୁଦ୍ରିକ ବାତ୍ୟା ‘ଜୱାଦ୍’ ଯୋଗୁଁ ଚଳିତ ମାସର ପ୍ରଥମ ସପ୍ତାହରେ ଲଗାଣ ବର୍ଷାରେ ପୁରୀ ଓ ଗଂଜାମ ଜିଲ୍ଲାରେ ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି । ଗ୍ରାଉଣ୍ଡ ଜିରୋରେ ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ କରି ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହିତ ବୈଠକରେ କେନ୍ଦ୍ରୀୟ ଟିମ ସଦସ୍ୟ ପୂଜା ଜୈନ ଏହି ସୂଚନା ଦେଇଛନ୍ତି। କେନ୍ଦ୍ରୀ ଟିମ୍ର ସଦସ୍ୟ ଶ୍ରୀମତୀ ଜୈନ କହିଛନ୍ତି, ଚାଷୀଙ୍କୁ ଉପଯୁକ୍ତ ସହାୟତା ମିଳିବା ପାଇଁ ରିଲିଫ କୋଡ଼ରେ ସଂଶୋଧନର ଆବଶ୍ୟକତା ରହିଛି । ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯିବ । ରିଲିଫ କୋଡ଼ ସଂଶୋଧନ ପାଇଁ ବିଭିନ୍ନ ମନ୍ତ୍ରଣାଳୟର ସମ୍ପର୍କ ରହିଛି । ଏନେଇ କେନ୍ଦ୍ର କ୍ୟାବିନେଟ ଚୂଡ଼ାନ୍ତ ନିଷ୍ପତ୍ତି ନେବ ।