୪ ଦିନ ହେଲା ଡା. ସୁମିତ ନିଖୋଜ, କୋର୍ଟଙ୍କ ଦ୍ବାରସ୍ଥ ହେଲେ ତପସ୍ବିନୀ

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ସୁମିତ-ତପସ୍ବିନୀ ମାମଲା ଦିନକୁ ଦିନ ଆହୁରି ଜଟିଳ ହେବାରେ ଲାଗିଛି। ଗୋଟିଏ ପଟେ ଡାକ୍ତର ସ୍ବାମୀ ସୁମିତ ସାହୁ ୪ଦିନ ହେଲା ନିଖୋଜ ରହିଛନ୍ତି। ଅନ୍ୟପଟେ ପତ୍ନୀ ତପସ୍ବିନୀ ଦାଶ ନ୍ୟାୟ ଗୁହାରି କରି କୋର୍ଟଙ୍କ ଦ୍ବାରସ୍ଥ ହେଉଛନ୍ତି। ଆଜି ପୁଣିଥରେ ତପସ୍ବିନୀ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହିତ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ପହଞ୍ଚିଥିଲେ। ଡା. ସୁମିତ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ୪ଦିନ ହେଲା କୁଆଡ଼େ ପଳାଇ ଯାଇଛନ୍ତି। ଏ ଦିଗରେ କିଛି ନିର୍ଦ୍ଦେଶନାମା ଜାରି କରିବାକୁ ତପସ୍ବିନୀ ତାଙ୍କର ଓକିଲଙ୍କ ଜରିଆରେ ପିଟିସନ୍‌ ରୁଜୁ କରିଥିଲେ। ଆସନ୍ତା ୧୭ତାରିଖରେ ପରବର୍ତ୍ତୀ ଶୁଣାଣି ତାରିଖ ଥିବାରୁ ସେହି ଦିନ ପିଟିସନ୍‌ ଉପରେ କୋର୍ଟ ରାୟ ଦେବେ ବୋଲି ଜଣାପଡ଼ିଛି। କିନ୍ତୁ କୋର୍ଟ ଦେଇଥିବା ପୂର୍ବ ନିର୍ଦ୍ଦେଶ ଅନୁସାରେ ଆସିକା ଥାନା ଅଧିକାରୀ ଓ ସୁରକ୍ଷା ଅଧିକାରୀ ୭ଦିନରେ ଥରେ ତାଙ୍କର ରିପୋର୍ଟ କୋର୍ଟରେ ଦାଖଲ କରିବେ। ଡା. ସୁମିତ ପୂର୍ବରୁ ପରିବାର କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଏଥିପାଇଁ ଆଜି ଉଭୟ ପକ୍ଷର କାଉନ୍‌ସେଲିଂ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ଆଜି କେବଳ ତପସ୍ବିନୀ ପରିବାର କୋର୍ଟରେ ହାଜର ହୋଇଥିଲେ। ଡା. ସୁମିତ ଅନୁପସ୍ଥିତ ଥିବାରୁ କାଉନ୍‌ସେଲିଂ ହୋଇପାରି ନଥିଲା। ତପସ୍ବିନୀ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି। କୋର୍ଟ ଯାହା ନିର୍ଦ୍ଦେଶ ଦେଇଥିଲେ ତାହା ସୁମିତ ପାଳନ ନକରି କୁଆଡ଼େ ଚାଲି ଯାଇଛନ୍ତି। ଭଡ଼ାଘର ନେଇ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ସୁମିତ ତାହା ପାଳନ କରୁ ନାହାନ୍ତି ବୋଲି ତପସ୍ବିନୀ କହିଛନ୍ତି। ଅପରାହ୍ଣରେ ପୁଣିଥରେ ତପସ୍ବିନୀ ଆସିକା ଚିନିଶିଳ୍ପ ଆଇବିକୁ ଫେରି ଯାଇଛନ୍ତି। ତପସ୍ବିନୀଙ୍କ ତରଫରୁ ଆଇନଜୀବୀ ରଂଜନ ଉପାଧ୍ୟାୟ, ଆଇନଜୀବୀ ପ୍ରଦୀପ କୁମାର ବେହେରା ମକଦ୍ଦମା ପରିଚାଳନା କରୁଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *