ଯୌତୁକ ନେବାକୁ ମନା କଲେ ବର, କନିଆଁ ରାଗିଯାଇ କହିଲେ ଏପରି….
ଭୋପାଳ : ରାଜଧାନୀ ଭୋପାଳ ଠାରେ ଦେଖିବାକୁ ମିଳିଛି ଅଜବ ଘଟଣା । ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଛି ଏକ ଅଦ୍ଭୁତ କାରଣ ପାଇଁ । ବାହା ହୋଇଥିବା ନବବଧୂ ରାଗିବାର କାରଣ ହେଉଛି ଯେ, ସେ ଯୌତୁକରେ ଦେଉଥିବା କାର ଓ ଅନ୍ୟ ଜିନିଷକୁ ସ୍ୱାମୀ ନେବା ପାଇଁ ମନା କରି ଦେଇଛନ୍ତି । ଏହି ସାମାନ୍ୟ କଥାକୁ ନେଇ ଝଗଡା ଏତେ ବଢିଯାଇଥିଲା ଯେ ବାହା ହୋଇଥିବା ନୂଆ ବୋହୂ ଶାଶୂଘରକୁ ଯିବା ପାଇଁ ରାଜି ହେଉନାହିଁ । ଏମିତିକି ଏହି କଥା ଏବେ କୋର୍ଟ ପର୍ଯ୍ୟନ୍ତ ଆସିଗଲାଣି । ପତ୍ନୀଙ୍କୁ ଘରକୁ ଡାକିବା ପାଇଁ ସ୍ୱାମୀ ହିନ୍ଦୁ ବିବାହ ଆଇନ ଧାରା ୯ ଅନୁଯାୟୀ ଅଭିଯୋଗ କରିଛନ୍ତି । କୋର୍ଟରେ ଏହି ମାମଲାର ବିଚାର ବର୍ତ୍ତମାନ ଚାଲିଛି । ଏହି ଘଟଣା ହେଉଛି ରାଜଧାନୀ ଭୋପାଳର ଆରୋରା କଲୋନୀର । ପୁରୁଷଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ସଂସ୍ଥା ‘ଭାଇ ୱେଲଫେୟାର ସୋସାଇଟି’ କୁ ସ୍ୱାମୀ ପୁରା ଘଟଣା ବିଷୟରେ ସୂଚନା ଦେଇଥିଲେ । ତେବେ ନୂଆ ବିବାହ କରିଥିବା ବର ସେହି ଅନୁଷ୍ଠାନକୁ କହିଛନ୍ତି ଯେ ତାଙ୍କ ଘର ଆରୋରା କଲୋନୀ ଇ – ୬ ରେ ଅବସ୍ଥିତ । ସେମାନଙ୍କ ବିବାହ ଚଳିତ ବର୍ଷ ୧୪ ଫେବୃଆରୀରେ ହୋଇଥିଲା । ବିବାହ ରୀତିନୀତି ଅନୁଯାୟୀ ସେ ତାଙ୍କ ଶ୍ୱଶୂର ଘରୁ ବିବାହ ସମୟରେ ଏକ ଟଙ୍କା ନେଇଥିଲେ । ଏହାପରେ ଝିଅ ବିଦାୟ ନେବା ପରେ ଶ୍ୱଶୂରଘର ଲୋକେ ଯୌତୁକରେ ତାଙ୍କୁ କାର୍ ଏବଂ ସମସ୍ତ ଘରକରଣା ସାମଗ୍ରୀ ଦେଇଥିଲେ । କିନ୍ତୁ ସେ ଏହି ଜିନିଷ ନେବାକୁ ମନା କରିଦେଲେ । ତାଙ୍କ ପତ୍ନୀ ଏ ବିଷୟରେ ଜାଣି ରାଗିଯାଇ ନିଜ ଘରକୁ ଚାଲିଯାଇଥିଲେ । ପତ୍ନୀ ଗତ ୩ ମାସ ଧରି ତାଙ୍କ ଶାଶୂଘରକୁ ଆସିନାହାଁନ୍ତି । ସେ ନିଜ ଜିଦ୍ରେ ଅଟଳ ଅଛନ୍ତି । ଯେ ଯେପର୍ଯ୍ୟନ୍ତ ତାଙ୍କ ବାପଘର ତରଫରୁ ଦିଆଯାଇଥିବା କାର ଓ ସବୁ ଯୌତୁକ ତାଙ୍କ ଶାଶୂଘର ଲୋକ ନେଇନାହାଁନ୍ତି, ସେପର୍ଯ୍ୟନ୍ତ ତାଙ୍କ ଶାଶୂଘର ଯିବେନି କି ତାଙ୍କ ସ୍ୱାମୀଙ୍କ ସହ ରହିବେ ନାହିଁ । ବର୍ତ୍ତମାନ ଜିଲ୍ଲା କୋର୍ଟରେ ପରିବାର ତରଫରୁ ହୋଇଥିବା ଅଭିଯୋଗ ମାମଲାରେ କାଉନସେଲିଂ କରାଯାଉଛି । ପରାମର୍ଶଦାତା ସ୍ୱାମୀଙ୍କୁ ଏହା ମଧ୍ୟ ବୁଝାଇ କହିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କ ଘରୁ ଦିଆଯାଇଥିବା କୌଣସି ଜିନିସକୁ ସେ ଯୌତୁକ ବୋଲି ଭାବନ୍ତୁ ନାହିଁ । କାରଣ ଆପଣ ଯୌତୁକ ମାଗି ନାହାନ୍ତି । ଶ୍ୱଶୂର ଘର ଲୋକ ନିଜ ଝିଅର ଖୁସି ପାଇଁ ଏହି ସବୁ ଜିନିଷ ଦେଇଛନ୍ତି । ଏହି ସବୁ ଦିଆଯାଇଥିବା ସାମଗ୍ରୀ ତୁମ ସ୍ତ୍ରୀଙ୍କର ତେଣୁ ତାଙ୍କ ଅଧିକାରରୁ ତାଙ୍କୁ ବଞ୍ଜିତ କରନାହିଁ ।