ଫାରୁକ୍ ଅବ୍ଦୁଲ୍ଲାଙ୍କ ବିବାଦୀୟ ବୟାନ : ଅଧିକାର ପାଇଁ କୃଷକଙ୍କ ପରି ବଳିଦାନ ଦେବାକୁ ପଡ଼ିବ
ଜମ୍ମୁ: ନ୍ୟାସ୍ନାଲ୍ କନ୍ଫରେନ୍ସ ଅଧ୍ୟକ୍ଷ ଡ. ଫାରୁକ୍ ଅବ୍ଦୁଲ୍ଲା ପୁଣି ଏକ ବିବାଦୀୟ ବୟାନ୍ ଦେଇଛନ୍ତି । ପାର୍ଟି କର୍ମକର୍ତ୍ତାଙ୍କୁ ଫାରୁକ୍ କହିଛନ୍ତି ‘କେନ୍ଦ୍ର ସରକାରଙ୍କ ଦ୍ୱାରା ଛଡ଼ାଇ ନିଆଯାଇଥିବା ଅଧିକାର ଫେରି ପାଇବା ପାଇଁ କୃଷକଙ୍କ ପରି ବଳିଦାନ ଦେବାକୁ ପଡ଼ିପାରେ ।’ କେନ୍ଦ୍ରଶାସିତ ପ୍ରଦେଶକୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ଦେବା ନିମନ୍ତେ ଏକ ଅଲଗା ମଞ୍ଚ ପ୍ରସ୍ତୁତ ପାଇଁ ମଧ୍ୟ ସେ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି । ହଜରତବଲ୍ରେ ପିତା ଶେଖ୍ ଅବ୍ଦୁଲ୍ଲାଙ୍କ ପୁଣ୍ୟତିଥି ଅବସରରେ ଫାରୁକ୍ ଅବ୍ଦୁଲ୍ଲା ପାର୍ଟିର ଯୁବ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କହିଥିଲେ, ଆପଣମାନେ ଯୁବକ, ଆପଣଙ୍କୁ ରାଜ୍ୟର ଭାରତ ନିଜ କାନ୍ଧ ଉପରକୁ ନେବାକୁ ହେବ । କାହା ସହିତ କିପରି ସମ୍ପର୍କ ସ୍ଥାପନ କରିବାକୁ ହେବ ତାହା ଆପଣମାନଙ୍କୁ ସ୍ଥିର କରିବାକୁ ପଡ଼ିବ । ସେ ଆହୁରି କହିଥିଲେ, ଆପଣମାନେ ନମାଜ ରାସ୍ତରେ କାଏମ ରୁହନ୍ତୁ । ଆଲ୍ଲାଙ୍କ ରାସ୍ତାରେ ଚାଲନ୍ତୁ, କେଉଁଠି ମୁଣ୍ଡ ନିଆଁଇବାର ଆବଶ୍ୟକତା ନାହିଁ । ଏହାଛଡ଼ା ସେ କହିଥିଲେ, କେନ୍ଦ୍ର ଦ୍ୱାରା ଛଡ଼ାଇ ନିଆଯାଇଥିବା ଆମର ଅଧିକାର ଫେରି ପାଇବା ପାଇଁ ଆମକୁ ଆନ୍ଦୋଳନରତ କୃଷକଙ୍କ ପରି ବଳିଦାନ ଦେବାକୁ ହେବ । ସେହିପରି ହୈଦରପୋରା ଏନ୍କାଉଣ୍ଟର ଉପରେ ପ୍ରଶ୍ନ ଉଠାଇ ସେ କହିଥିଲେ, ହତ୍ୟା କରାଯାଇଥିବା ତିନିଜଣଙ୍କ ପରିବାର ପକ୍ଷରୁ ବିରୋଧ କରାଯିବା ପରେ ଦୁଇଟି ଶବ ପୀଡ଼ିତ ପରିବାକୁ ହସ୍ତାନ୍ତର କରାଯାଇଛି । ତୃତୀୟ ବ୍ୟକ୍ତିଙ୍କ ଶବ ଉଧମପୁରରେ ତାଙ୍କ ପରିବାରକୁ ପ୍ରଦାନ କରାଯିବା ବାକି ଅଛି ।