ମାର୍ଚ୍ଚ ସୁଦ୍ଧା ସବୁ ପିଲାଙ୍କର ଆଧାର ଲିଙ୍କ୍ ବାଧ୍ୟତାମୂଳକ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଆଧାର ଲିଙ୍କ ବାଧ୍ୟତାମୂଳକ କରାଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡିକରେ ଯେଉଁ ଛାତ୍ରଛାତ୍ରୀଙ୍କ ଆଧାର ଲିଙ୍କ କରାଯାଇ ନାହିଁ ତାହା ଶେଷ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଏହା ପୂର୍ବରୁ ରାଜ୍ୟର ୩୧୪ଟି ବ୍ଲକରେ ଆଧାର ଶିବିର ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏ ସମ୍ପର୍କରେ ପୂର୍ଣ୍ଣାଙ୍ଗ ରିପୋର୍ଟ ୧୫ ତାରିଖ ମଧ୍ୟରେ ଦାଖଲ କରିବାକୁ କୁହାଯାଇଛି । ଓସେପା ପକ୍ଷରୁ ଜାରି କରାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ ସବୁ ସ୍କୁଲରେ ଆଧାର ଏନରୋଲମେଣ୍ଟ ଶିବିର ଆୟୋଜନ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀ ଏହାର ତଦାରଖ କରି ରିପୋର୍ଟ ଦାଖଲ କରିବେ । ଏସଓପି ଅନୁଯାୟୀ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ । ଡିଇଓ ଏବଂ ବିଇଓମାନେ କ୍ଷେତ୍ର ଅଧିକାରୀମାନଙ୍କ ସହିତ ସମନ୍ୱୟ ରକ୍ଷା କରିବେ । ତେବେ ଯେଉଁ ଛାତ୍ରଛାତ୍ରୀଙ୍କର ଆଧାର ନାହିଁ ସେମାନେ ଯେପରି ଶିବିରକୁ ଆସିବେ ସେଥିଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୫୯ଲକ୍ଷ ୭୨ହଜାର ୮୭୦ ଛାତ୍ରଛାତ୍ରୀ ରହିଛନ୍ତି । ୨୦୧୮ ମସିହାରୁ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲରେ ଆଧାର ଲିଙ୍କ ବାଧ୍ୟତାମୂଳକ କରାଯାଇଥିବାରୁ ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କ ଆଧାର କାର୍ଡ ଦେବାକୁ ପଡୁଛି । ମାତ୍ର ଦେଢ଼ବର୍ଷ ହେବ କରୋନା ଲାଗି ଆଧାର ଉଠାଇବା ବ୍ୟବସ୍ଥା ବନ୍ଦ ରହିଥିବାରୁ ଅନେକ ଛାତ୍ରଛାତ୍ରୀଙ୍କ ପାଖରେ ଆଧାର କାର୍ଡ ନାହିଁ । ରାଜ୍ୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଛି । ଯେଉଁ ଛାତ୍ରଛାତ୍ରୀମାନେ ଗତବର୍ଷ କିମ୍ବା ଚଳିତବର୍ଷ ପ୍ରାଥମିକ ଶ୍ରେଣୀରେ ନାମ ଲେଖାଇଛନ୍ତି ସେମାନଙ୍କ ପାଖରେ ଆଧାର ନମ୍ବର ନାହିଁ । ଆଗକୁ ପ୍ରାଥମିକ ସ୍କୁଲ ଖୋଲିବାର ସମ୍ଭାବନା ରହିଛି । ଫଳରେ ଶିକ୍ଷାଦାନ ଆରମ୍ଭ ହେବା ପୂର୍ବରୁ ଗତବର୍ଷ ଏବଂ ଚଳିତ ବର୍ଷ ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖାଇଛନ୍ତି ସେମାନଙ୍କର ଆଧାର ନମ୍ବର ସ୍କୁଲରେ ପୈଠ କରିବାକୁ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି । ସ୍କୁଲରେ ଆଧାର ଲିଙ୍କ ହେବା ପରେ ଛାତ୍ରଛାତ୍ରୀଙ୍କ ସଠିକ ତଥ୍ୟ ସ୍ପଷ୍ଟ ହୋଇପାରିବ । ଫଳରେ ସରକାରୀ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *