ଇନ୍ଦ୍ରାବତୀ କେନାଲ ଭୁଶୁଡି ଚାଷରେ ମାଡ଼ିଲା ପାଣି, ୪୦ ହେକ୍ଟର ଚାଷ ନଷ୍ଟ
ଭବାନୀପାଟଣା : ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ଡିଷ୍ଟିବୁଟାରୀ ଗୁନଗୁନିଆଗ୍ରାମ ନିକଟରେ ଆଜି କେନାଲ ହୁଡା ଭୁଶୁଡି ପଡିବାରୁ ଗୁଣଗୁଣିଆ ବାଣ୍ଡିଗା ରେଙ୍ଗାଳପାଲି ଗ୍ରାମର ପ୍ରାୟ ୪୦ ହେକ୍ଟର ଚାଷ ଜମିରେ ପାଣି ମାଡ଼ି ବ୍ୟାପକ ମାତ୍ରାରେ ଧାନ ଚାଷ ନଷ୍ଟ ହୋଇଥିବା ଆଶଙ୍କା ଦେଖାଦେଇଛି । ଏବେ ଚାଷୀ ରବି ଧାନ ଚାଷ ରୁଆ ସରିଥିବା ବେଳେ ଧାନ ଗଛ ବଢିବା ସମୟ କେନାଲ ପାଣି ମାଡିବାରୁ ଚାଷ କ୍ଷତି ହେବାର ଆଶଙ୍କା ଦେଖାଦେଇଛି । ଗୁଣଗୁଣିଆ ଡିଷ୍ଟିବୁଟାରୀର ଲମ୍ବ ୧୨ ହଜାର ୬ ଶହ ମିଟର କିନ୍ତୁ ତାହା କେନାଲ ମରାମତି ଅଭାବରୁ ଅନେକ ସ୍ଥାନରେ ଶୋଚନୀୟ ହୋଇପଡିଛି ।
କେନାଲ ମରାମତି ପାଇଁ ବାର୍ଷିକ କୋଟି କୋଟି ବିଭାଗୀୟ ଅନୁଦାନରୁ ଖର୍ଚ୍ଚ ହେଉଛି । ହେଲେ ଠିକାଦାର ପୋଷା ନୀତିରେ ନିନ୍ମମାନର କାମ ଯୋଗୁ ତାହା ବର୍ଷେ ନ ପୁରୁଣୁ କେନାଲର ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇ ଭୁଶୁଡୁଛି । ଏହା ଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ । କେନାଲ ଭୁଶୁଡିବା ପରେ କନିଷ୍ଠ ଯନ୍ତ୍ରୀ କଳାକାର ନାଏକ ଓ ଗୁଣଗୁଣିଆ ରାଜସ୍ୱ ନିରୀକ୍ଷକ ଆଶିଷ ନାଏକ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି । ଜଳ ସେଚନ ବିଭାଗ ମଧ୍ୟ ମୋସରକାର ଅଧୀନରେ ଥିବାବେଳେ ବିଭାଗୀୟ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ଦେଖାଦେଇଛି । ଏ ନେଇ ମୁଖୀଗୁଡା ନିର୍ବାହ ଯନ୍ତ୍ରୀ ପଦ୍ମନାଭ ପଣ୍ଡାଙ୍କୁ ପଚାରିବାରୁ ଘଟଣାକୁ ସ୍ୱୀକାର କରିବାସହ ଦିନେ ଦୁଇଦିନ ମଧ୍ୟରେ କେନାଲ ଘାଇ ମରାମତି କରାଯାଇ ସ୍ୱାଭାବିକ ଭାବରେ ଜଳସେଚନ କରାଯିବ ବୋଲି କହିଛନ୍ତି ।