ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ
ଭୁବନେଶ୍ୱର : ମଙ୍ଗଳବାର ଜଣେ ଅଳିଆବୁହା ଡ୍ରାଇଭରର ଲୋଲୁପ ଦୃଷ୍ଟିରୁ ରକ୍ଷା ପାଇବାରେ ସକ୍ଷମ ହୋଇଛି ଜଣେ ୫ ବର୍ଷର ନାବାଳିକା । ଯୁବକ ଜଣଙ୍କ ପିଲାଟିକୁ ବ୍ଲେଡ ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେଇ ତାର ପାଟିରେ ହାତଦେଇ ଏକ ନିଛାଟିଆ ସ୍ଥାନରେ ଥିବା ବୁଦାମୂଳକୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ ବେଳେ ସେ ଉପସ୍ଥିତ ବୁଦ୍ଧି ଖଟାଇ କାମୁକ ଯୁବକ କବଳରୁ ଖସି ପଳାଇଆସିବାରେ ସକ୍ଷମ ହୋଇଛି । ଏନେଇ ଇନ୍ଫୋସିଟି ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି ।ଏହିଭଳି ଘଟଣା ଦେଖିବାକୁ ମିଳିଛି ଇନ୍ଫୋସିଟି ଥାନା ପଟିଆ ଷ୍ଟେସନ ଯିବା ରାସ୍ତାରେ । ପ୍ରକାଶ ଯେ ଖୋର୍ଦ୍ଧା ଅଞ୍ଚଳର ଏକ ପରିବାର ପଟିଆ ଷ୍ଟେସନ ଯିବା ରାସ୍ତାକଡ଼ରେ ଏକ ହୋଟେଲରେ ରହି କାର୍ଯ୍ୟ କରୁଛନ୍ତି । ସେହିଠାକୁ ପ୍ରତ୍ୟେକ ଦିନ ଏକ ଅଳିଆ ବୁହା ଅଟୋ ଆସି ଅଳିଆ ଉଠାଏ । ଏହା ଭିତରେ ଅଳିଆ ଗାଡ଼ିର ଡ୍ରାଇଭର ଶଙ୍କର ଆଚାର୍ଯ୍ୟ (୨୦) ପ୍ରାୟ ପ୍ରତ୍ୟେକ ଦିନ ହୋଟେଲରେ କାର୍ଯ୍ୟ କରୁଥିବା ପରିବାରର ୫ ବର୍ଷ ଝିଅ ସହ ଖେଳାଖେଳି କରେ ।
ଏହି ଖେଳଖେଳି ଭିତରେ ଆଜି ଉକ୍ତ ଡ୍ରାଇଭରର କୁନି ଝିଅଟି ଉପରେ ଲୋଲୁପ ଦୃଷ୍ଟି ପଡ଼ିଥିଲା । ସେ ଅପରାହ୍ନ ପ୍ରାୟ ୧ଟାରେ ନିଛାଟିଆ ଦେଖି ଉକ୍ତ ହୋଟେଲକୁ ଯାଇଥିଲା। ସେଠାରେ ଏକୁଟିଆ ଝିଅଟି ଖେଳୁଥିବା ଦେଖି ସେ ଆଣିଥିବା ଏକ ବ୍ଲେଡ୍କୁ ଝିଅଟିକୁ ଦେଖାଇ ତାକୁ ଜୀବନରେ ମାରିଦେବାକୁ ଧମକଦେବା ସହ ତାର ପାଟିରେ ହାତଦେଇ ହୋଟେଲ ନିକଟରେ ଥିବା ଏକ ବୁଦାମୂଳକୁ ଟେକି ନେଇଥିଲା । ସେଠାରେ ସେ ଦୁଷ୍କର୍ମ ଉଦ୍ୟମବେଳେ ଝିଅଟି କୌଶଳକ୍ରମେ କାମୁକ ଯୁବକକୁ ଠେଲିଦେଇ ଦୌଡ଼ିବା ସହ ଜୋର୍ରେ ନିଜ ପରିବାର ଲୋକଙ୍କୁ ଡାକ ପକାଇଥିଲା । ଫଳରେ ତାର ପରିବାର ଲୋକଙ୍କ ସହ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକେମାନେ ଯୁବକଟି ଖସିପଳାଉଥିବା ବେଳେ ତାକୁ ମାଡ଼ିବସିଥିଲେ । ପରେ ପିସିଆର୍କୁ ଡାକି ଯୁବକକୁ ଜିମା ଦେଇଥିଲେ । ପରିବାର ଲୋକ ଥାନାକୁ ଯାଇ ଅଭିଯୋଗ କରିଥିବା ବେଳେ ପୁଲିସ ଯୁବକକୁ ଅଟକ ରଖି ତଦନ୍ତ ଚଳାଇଛି । ଅଭିଯୁକ୍ତ ଯୁବକଙ୍କ ଘର ଖୋର୍ଦ୍ଧାରେ ବୋଲି ଜଣାପଡ଼ିଛି ।