୬୬% ଅଭିଭାବକ ପିଲାଙ୍କୁ ଟିକାଦେବାକୁ ନାରାଜ
ନୂଆଦିଲ୍ଳୀ: ଭାରତରେ ଏପର୍ଯ୍ୟନ୍ତ ୧୮ ବର୍ଷରୁ କମ ବୟସର ପିଲା କୋଭିଡ୍ ଟିକା ନେଇନାହାନ୍ତି । ଯଦିଓ ଜାଇଡସ୍ କାଡିଲା କମ୍ପାନୀ ଖୁବଶୀଘ୍ର ଏମାନଙ୍କ ପାଇଁ ଟିକା ମାର୍କେଟକୁ ଆଣିବାକୁ ଯାଉଛି, ତଥାପି ପିଲାଙ୍କୁ ଟିକାଦେବାକୁ ଅଧିକାଂଶ ଭାରତୀୟ ପିତାମାତା ଅରାଜି ହେଉଥିବା ଜଣାପଡିଛି । ଚଣ୍ଡିଗଡ଼ସ୍ଥିତ ପିଜିଆଇଏମ୍ଇଆର (ପୋଷ୍ଟ ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଡୁକେସନ ଆଣ୍ଡ୍ ରିସର୍ଚ୍ଚ) ଏବଂ ପୁଡୁଚେରୀସ୍ଥିତ ଜେଆଇପିଏମଇଆର (ଜବାହରଲାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟଗ୍ରାଜୁଏଟ୍ ମେଡିକାଲ ଏଡୁକେସନ ଆଣ୍ଡ୍ ରିସର୍ଚ୍ଚ) ପକ୍ଷରୁ ମିଳିତଭାବେ କରାଯାଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ ଭାରତରେ ୬୬ ପ୍ରତିଶତ ଅଭିଭାବକ ସେମାନଙ୍କର ପିଲାଙ୍କୁ କୋଭିଡ୍ ଟିକା ଦେବାକୁ ଅମଙ୍ଗ ହେଉଛନ୍ତି । ଏହାର ପ୍ରମୁଖ କାରଣ ହେଉଛି କୋଭିଡ୍ ଟିକାର କାର୍ଯ୍ୟକାରିତା ଓ ପାଶ୍ୱର୍ ପ୍ରତିକ୍ରିୟା । ୮୬.୪ ପ୍ରତିଶତ ଅଭିଭାବକ କୋଭିଡ୍ ଟିକାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଥିବାବେଳେ ୭୮.୨ ପ୍ରତିଶତ ଅଭିଭାବକ ଟିକାର ପାଶ୍ୱର୍ ପ୍ରତିକ୍ରିୟାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ।
ଏହି ସର୍ଭେରେ ଦେଶର ବିଭିନ୍ନ ପ୍ରାନ୍ତରୁ ୭୭୦ ଜଣ ଅଭିଭାବକଙ୍କୁ ସାମିଲ କରାଯାଇଥିଲା । ଅବଶ୍ୟ ୩୪ ପ୍ରତିଶତ ଅଭିଭାବକ ଶିକ୍ଷିତ ହୋଇଥିବାରୁ ସେମାନେ ପିଲାଙ୍କୁ ଟିକା ଦେବା ସପକ୍ଷରେ ମତବ୍ୟକ୍ତ କରିଛନ୍ତି । ଅପରପକ୍ଷରେ ନାରାଜ ହେଉଥିବା ୬୬ ପ୍ରତିଶତ ଅଭିଭାବକଙ୍କ ମଧ୍ୟରୁ କେତେକ ଶିକ୍ଷିତ ହୋଇଥିଲେ ସୁଦ୍ଧା ସେମାନେ ଟିକାର କାର୍ଯ୍ୟକାରିତା ଓ ପାଶ୍ୱର୍ ପ୍ରତିକ୍ରିୟା ସମ୍ପର୍କରେ ସନ୍ଦେହ ପ୍ରକାଶ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ପିଲାଙ୍କୁ ଟିକାଦାନ ପ୍ରସଙ୍ଗରେ ପିତାମାତାଙ୍କୁ ବୁଝାଇବାକୁ ଟିକା ପ୍ରସ୍ତୁତକାରୀ କମ୍ପାନୀ ଉଦ୍ୟମ କରିବା ଉଚିତ ବୋଲି ରିପୋର୍ଟରେ କୁହାଯାଇଛି ।
ବର୍ତ୍ତମାନ ଭାରତରେ କେବଳ ଜାଇଡସ୍ କାଡିଲା କମ୍ପାନୀ ୧୨ରୁ ୧୮ ବର୍ଷର ପିଲାଙ୍କ ପାଇଁ ଜାଇକୋଭ୍-ଡି’ ଟିକା ପ୍ରସ୍ତୁତ କରୁଥିଲେ ଏହା ମାର୍କେଟକୁ ଆସିନାହିଁ । ଭାରତ ବାୟୋଟେକ୍ (କୋଭାକ୍ସିନ୍ ଟିକା ନିର୍ମାତା) ମଧ୍ୟ ୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଟିକା ପ୍ରସ୍ତୁତ କରୁଥିବାବେଳେ ବିଶେଷଜ୍ଞ କମିଟିର ସ୍ୱୀକୃତି ପାଇସାରିଲାଣି । ଏଥିପାଇଁ କମ୍ପାନୀ କେବଳ ଡିସିଜିଆଇଙ୍କ ସବୁଜ ସଙ୍କେତକୁ ଅପେକ୍ଷା କରିଛି । ପୁନଶ୍ଚ ଶିଶୁଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହୁଥିବାବେଳେ ସେମାନେ କୋଭିଡ୍ରେ ଆକ୍ରାନ୍ତ ହେବାର ଦୃଷ୍ଟାନ୍ତ ଅତି ନଗଣ୍ୟ । ଏପର୍ଯ୍ୟନ୍ତ ଭାରତରେ କୌଣସି ଶିଶୁ କୋଭିଡ୍ରେ ପ୍ରାଣ ହରାଇନାହାନ୍ତି । ତେଣୁ ପିଲାଙ୍କୁ ଟିକା ଦେଇ ଅଜଣା ଆଶଙ୍କାରେ ରହିବାକୁ ଅଧିକାଂଶ ଅଭିଭାବକ ଆଗ୍ରହ ପ୍ରକାଶ କରୁନଥିବା କୁହାଯାଇଛି । ଅପରପକ୍ଷରେ ପିଲାଙ୍କୁ ଟିକା ନଦେବା ଉଚିତ ବୋଲି କଲ୍ୟାଣୀସ୍ଥିତ ଏମ୍ସ ପ୍ରଫେସର ଡାଃ ରିତେଶ ସିଂହ ଓ ମୌଲନା ଆଜାଦ ମେଡିକାଲ କଲେଜ ପ୍ରଫେସର ଡାଃ ସୁନୀଲା ଗର୍ଗ ମତବ୍ୟକ୍ତ କରିଛନ୍ତି ।